ଭୁବନେଶ୍ୱର : ନୂଆବର୍ଷ ପାଖେଇ ଆସୁଥିବାବେଳେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ବଣଭୋଜି ସ୍ଥଳରେ ଏବେ ଲୋକଙ୍କ ଭିଡ ବଢିବାରେ ଲାଗିଛି । ଏଥି ସହିତ ତାଳଦେଇ ଏହିସବୁ ସ୍ଥାନରେ ମଦ୍ୟପ ଓ ନିଶାଡିମାନଙ୍କ ଭିଡ ବି ପରିଲକ୍ଷିତ ହେଉଛି । ବିଶେଷକରି ବଣଭୋଜି କରିବାକୁ ଆସୁଥିବା ଲୋକେ ନିଶା ସେବନ କରି ମାତାଲ ହେଉଛନ୍ତି ।
ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ଲୋକଙ୍କ ସୁଅ ଛୁଟିଛି । ବୁଲାବୁଲି ସହିତ ସେଠାରେ ବଣଭୋଜି ବି ହେଉଛି । କିଏ ନିଜ ନିଜ ପରିବାର ସହିତ ଯାଉଛି ତ ଆଉ କିଏ ସାଙ୍ଗସାଥୀଙ୍କ ସହିତ । କିନ୍ତୁ ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜର ଛାତ୍ରଛାତ୍ରୀମାନଙ୍କୁ ଦେଖିବାକୁ ମିଳୁଛି । ପିଲାମାନେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହିତ ପିକ୍ନିକ୍ରେ ଆସୁଛନ୍ତି ।
କିନ୍ତୁ ଏହିସବୁ ବଣଭୋଜିସ୍ଥଳୀକୁ ଆସୁଥିବା ଯୁବଗୋଷ୍ଠି ମଦ ଓ ଅନ୍ୟାନ୍ୟ ନିଶା ସେବନ କରି ମାତାଲ ହୋଇ ବୁଲାବୁଲି କରୁଛନ୍ତି । ଅତି ଉଚ୍ଚ ସ୍ୱରରେ ଡିଜେ ବଜାଇ ମାତାଲ ହୋଇ ଉଦଣ୍ଡ ନୃତ୍ୟ କରୁଛନ୍ତି । ଏମାନଙ୍କ ଉତ୍ପାତରେ ଆଖପାଖକୁ ନିଜ ପରିବାର ସହିତ ଆସୁଥିବା ଲୋକେ ଭୟଭୀତ ହେବା ସହିତ ଅପ୍ରସ୍ତୁତ ବି ହୋଇ ପଡୁଛନ୍ତି । ଛାତ୍ରଛାତ୍ରୀଙ୍କ ଅବସ୍ଥା କହିଲେ ନସରେ ।
ନିଶାଡିମାନେ କିଭଳି ପର୍ଯ୍ୟଟନସ୍ଥଳୀଗୁଡିକରେ ଉତ୍ପାତ କରୁଛନ୍ତି ତାହା ଯେ କେହି ସେହିସବୁ ସ୍ଥାନକୁ ଗଲେ ଦେଖିପାରିବ । ବଣଭୋଜି ହେଉଥିବା ସ୍ଥାନରେ ମାଳ ମାଳ ମଦବୋତଲ ଗଡୁଛି । ଚାରିଆଡେ ଗୁଟ୍ଖା ଜରି ଓ ସିଗାରେଟ ଖୋଳ । ପିକ୍ନିକ୍ରେ ଆସୁଥିବା ଲୋକେ ସାଙ୍ଗରେ ମଦ ଓ ଅନ୍ୟାନ୍ୟ ନିଶାସାମଗ୍ରୀ ନେଇ ଆସୁଥିବାବେଳେ ଆଉ କେତେକ ଆଖପାଖରେ ଥିବା ମଦ ଦୋକାନରୁ ସହଜରେ ମଦ ଖରିଦ କରୁଛନ୍ତି ।
ଏଭଳି ସ୍ଥିତିରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ବଣଭୋଜି ଇଲାକାରେ ଅତି କମ୍ରେ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ଅବକାରୀ ଓ ପୁଲିସ୍ ଚଢାଉକୁ ଜୋରଦାର କରିବାପାଇଁ ମତପ୍ରକାଶ ପାଉଛି । ଯେଉଁସବୁ ସ୍ଥାନରେ ବଣଭୋଜି ପାଇଁ ଧାର୍ଯ୍ୟ ଅର୍ଥ ଆଦାୟ କରାଯାଉଛି ସେହିସବୁ ସ୍ଥାନରେ ଯେଭଳି ନିଶା ସେବନ ନହେବ ସେ ଦିଗରେ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ମତ ପ୍ରକାଶ ପାଉଛି । ଏହାବାଦ୍ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ବଣଭୋଜି ଆଖପାଖରେ ଥିବା ମଦଦୋକାନଗୁଡିକୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ସାମୟିକ ଭାବେ ବନ୍ଦ ରଖିବାବାପାଇଁ ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।
ପର୍ଯ୍ୟଟନସ୍ଥଳୀରେ ନିଶାଡିଙ୍କ ଉତ୍ପାତ ବଢୁଥିବାରୁ ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଥାନା ଆଖପାଖ କିମ୍ବା ନିଶାମୁକ୍ତ ଅଞ୍ଚଳକୁ ନିଜ ନିଜ ଛାତ୍ରଛାତ୍ରୀଙ୍କୁ ନେଇ ଯିବାକୁ ପସନ୍ଦ କରୁଛନ୍ତି । ତେଣୁ ରାଜ୍ୟରେ ନିଶାମୁକ୍ତ ଭାରତ ଅଭିଯାନ ଚାଲୁଥିବାବେଳେ ସ୍ଥାନୀୟ ଲୋକମାନେ ମଧ୍ୟ ନିଶାମୁକ୍ତ ପର୍ଯ୍ୟଟନ ଉପରେ ଜୋର ଦେବାପାଇଁ ମତପ୍ରକାଶ ପାଉଛି । ଏହାଦ୍ୱାରା କେବଳ ସେମାନଙ୍କ ଅଞ୍ଚଳରେ ପର୍ଯ୍ୟଟନର ମାନ ଓ ମର୍ଯ୍ୟାଦା ବୃଦ୍ଧି ପାଇବ ନାହିଁ, ପରିବେଶ ମଧ୍ୟ ସ୍ୱଚ୍ଛ ଓ ସୁନ୍ଦର ରହିବ । ସେହିଭଳି ସରକାରୀ ସ୍ତରରେ ଯେଭଳି ପଲିଥିନ୍ ମୁକ୍ତ ବଣଭୋଜି ପାଇଁ ଆହ୍ୱାନ ଦିଆଯାଇଛି ସେହିଭଳି ନିଶାମୁକ୍ତ ବଣଭୋଜି ପାଇଁ ଆହ୍ୱାନ ଦେବାକୁ ନିଶାମୁକ୍ତି କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଇଛନ୍ତି । (ତଥ୍ୟ)