ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ୱାର୍ଡରେ ବିଏମସିର ମାଳ ମାଳ ମିନି ଡମ୍ପିଂୟାର୍ଡ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହେଲାଣି । ଗଳି କନ୍ଦିରେ ଅଳିଆ ଗଦା ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧ ସହିତ ମଶାବଂଶ ବଢିବାରେ ବୃଦ୍ଧିରେ ସହାୟକ ହେଉଛି ।
ସହରର ଭିତରୁ ଏବେ ଅଳିଆ ଉଠାଇବାପାଇଁ ବିଏମ୍ସି ଦୁଇଟି ଉପାୟ ଅବଲମ୍ବନ କରିଛି । ଗୋଟିଏ ପଟେ ଘରକୁ ଘର ବୁଲି ଅଳିଆ ସଂଗ୍ରହ ହେଉଥିବାବେଳ ରାସ୍ତାଘାଟରୁ ଉଠୁଥିବା ଅଳିଆକୁ ବିଭିନ୍ନ ସ୍ଥାନରେ ଗଦା କରାଯାଉଛି । ପରେ ସେଠାରୁ ଏହିସବୁ ଅଳିଆକୁ ସଫେଇ ଗାଡି ଆସି ନେଉଛି । ପୂର୍ବ ଭଳି ଅଳିଆ ପକାଇବାପାଇଁ ଆଉ ବଡ ବଡ ଡଷ୍ଟବିନ୍ ରଖାଯାଉନଥିବାରୁ ବିଭିନ୍ନ ସ୍ଥାନରେ ଅଳିଆ ଗଦାହୋଇ ରହୁଛି । ତେବେ ଏଠାରେ ଅଳିଆ ପଡିବାପରେ ଆଖପାଖ ଲୋକେ ନିଜ ନିଜ ଘରର ବର୍ଜ୍ୟ ଆଣି ଗଦାଇବାରେ ଲାଗୁଛନ୍ତି ।
ଅଳିଆ ଗଦା ହେବାର ବହୁ ବିଳମ୍ବରେ ଏହା ଉଠୁଥିବାରୁ ବୁଲା କୁକୁରମାନେ ଏହାକୁ ଘାଣ୍ଟି ଆଖପାଖରେ ଖେଳାଉଛନ୍ତି । ସେହିଭଳି ଯେଉଁ ଅଳିଆବୁହା ଗାଡି ଆସୁଛି ତାହା ଯନ୍ତ୍ରଚାଳିତ ଉପାୟରେ ଅଳିଆ ଉଠାଉଥିବା ସମ୍ପୂର୍ଣ୍ଣ ଭାବେ ଏହା ପରିଷ୍କାର ହୋଇପାରୁ ନାହିଁ । ଗାଡି ଯିବାପରେ ଆଖପାଖରେ ରାସ୍ତାଉପରେ ଅଳିଆ ଆବର୍ଜନା ପଡି ରହୁଥିଲେ ମଧ୍ୟ ତାହାକୁ କେହି ଉଠାଉ ନାହାନ୍ତି ।
ସବୁଠାରୁ ବଡ କଥା ହେଲା ଯେଉଁସବୁ ସ୍ଥାନରେ ମିନି ଡମ୍ପିଂୟାର୍ଡ ବା ଛୋଟ ଅଳିଆ ଗଦା ପାଇଁ ସ୍ଥାନ ଚିହ୍ନଟ ହେଉଛି ସେ ସଂକ୍ରାନ୍ତରେ ଆଖପାଖ ଲୋକେ ଜାଣିପାରୁ ନାହାନ୍ତି । କାହା ଘର ଆଗରେ ଅଳିଆ ଗଦା ହେଉଛି ତ ଆଉ କେଉଁଠି ପ୍ରମୁଖ ଛକ ସ୍ଥାନ ଏବେ ଡମ୍ପିଂୟାର୍ଡ ପାଲଟିଛି । ଏଥିପାଇଁ ଉଭୟ ଦୁର୍ଗନ୍ଧ ସହୁଥିବା ଲୋକେ ଯିବା ଆସିବାରେ ବି ସମସ୍ୟାର ସମ୍ମୁଖୀନ ହେବାରେ ଲାଗୁଛନ୍ତି । ବିଶେଷକରି ଯେଉଁ ସବୁ ସ୍ଥାନରେ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି ସେଠାରେ ସମସ୍ୟା ଅଧିକ ସଙ୍ଗୀନ ହେବାରେ ଲାଗିଛି ।
ଉଲ୍ଲେଖନୀୟ ଯେ ରାଜଧାନୀରୁ ଦୈନିକ ପ୍ରାୟ ପାଞ୍ଚଶହ ଟନ୍ର ବିଭିନ୍ନ ପ୍ରକାର ଆବର୍ଜନା ବାହାରୁଥିବାବେଳେ ଏହାକୁ ଉଠାଇବାପାଇଁ କେତେକ ୱାର୍ଡରେ ଠିକାସଂସ୍ଥାଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥାମାନେ ଏବେ ଦାୟିତ୍ୱରେ ଥିବା ୱାର୍ଡର ବିଭିନ୍ନ ସ୍ଥାନରେ ରାତାରାତି ମିନି ଡମ୍ପିଂୟାର୍ଡ ସୃଷ୍ଟି କରୁଥିବାବେଳେ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଉ ନାହାନ୍ତି । ଏଥିଯୋଗୁଁ ସହରରେ ମଶାବଂଶ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁଁ ବିଭିନ୍ନ ହାଟ ବଜାର ଅଞ୍ଚଳରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି । ଏହିସବୁ ସ୍ଥାନରେ ବିଭିନ୍ନ କିସମର ଅଳିଆ ଗଦା ହେଉଥିବାବେଳେ ଦୀର୍ଘସମୟ ଧରି ଏହା ପଡି ରହୁଥିବାରୁ ସେଠାରେ ପୂତ୍ତିଗନ୍ଧମୟ ପରିବେଶରେ ଲୋକେ ଯା’ ଆସ କରୁଛନ୍ତି ।
ବର୍ତ୍ତମାନ ରାଜଧାନୀରେ ଆବର୍ଜନା ପାହାଡାକୁ ନେଇ ଅସନ୍ତୋଷ ବଢିବା ସହିତ ରାଜନୀତି ଜୋର ଧରିଥିବାବେଳେ ସହର ମଝିରେ ମାଳ ମାଳ ଅସ୍ଥାୟୀ ଅଳିଆଗଦା ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ ମଶାବଂଶ ବୃଦ୍ଧିର ଅନ୍ୟତମ କାରଣ ପାଲଟିଛି । (ତଥ୍ୟ)