ଭୁବନେଶ୍ୱର: ଓଡିଶା କଂଗ୍ରେସକୁ ମିଳିଛି ନୂଆ ପ୍ରଭାରୀ । ଡକ୍ଟର ଚେଲ୍ଲା କୁମାରଙ୍କୁ ପ୍ରଭାରୀ ପଦରୁ ହଟାଇ ତାଙ୍କ ଜାଗାରେ ଡକ୍ଟର ଅଜୟ କୁମାରଙ୍କୁ ନିଯୁକ୍ତି ମିଳିଛି । ଅଜୟ କୁମାର ହେଉଛନ୍ତି ଝାଡ଼ଖଣ୍ଡ ଜାମସେଦପୁରର ପୂର୍ବତନ ସାଂସଦ । ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ୱ ସହ ତାଙ୍କୁ ତାମିଲନାଡୁ ଓ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ବିଦାୟୀ ପ୍ରଭାରୀ ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଭାବେ ନିଯୁକ୍ତି ଦିଆଯାଇଛି । ଏଆଇସିସି ପକ୍ଷରୁ ଏହି ନିର୍ଦ୍ଦେଶନାମା ଆଜି ଜାରି ହୋଇଛି ।
ଉଲ୍ଲେଖନୀୟ ଯେ ଦୁଇ ଦିନ ତଳେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକମାନେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଓଡ଼ିଶା କଂଗ୍ରେସର ସ୍ଥିତି ଓ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲେ ।
ଇତି ମଧ୍ୟରେ ପ୍ରଦେଶ କଂଗ୍ରେସର ସୋସିଆଲ ମିଡିଆ ମୁଖ୍ୟ ଭାବେ ଯୁବନେତା ଅମୀୟ ପାଣ୍ଡବକୁ ନିଯୁକ୍ତି ମିଳିଥିବାବେଳେ ରଣଜିତ ପାତ୍ରଙ୍କୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବେ ଏଆଇସିସି ପକ୍ଷରୁ ନିଯୁକ୍ତ କରାଯାଇଛି । ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ପ୍ରଦେଶ କଂଗ୍ରେସର ଏଭଳି ନବକଳେବର ଉପରେ ଏବେ ସମସ୍ତଙ୍କ ନଜର ା