Home Health ବିଏସକେୱାଇର କଳେବର ବୃଦ୍ଧି

ବିଏସକେୱାଇର କଳେବର ବୃଦ୍ଧି

ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ )ଅଭୂତପୂର୍ବ ସଫଳତା ହାସଲ କରିଛି । ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ ଚିକିତ୍ସା ବାବଦ ବିନିଯୋଗ ଅର୍ଥରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଡି ବୃନ୍ଦାଙ୍କ ଆଭ୍ୟନ୍ତରୀଣ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । 

ସୋସାଇଟିର ସଭାଗୃହ ଠାରେ ଅନୁଷ୍ଠିତ ଏହି ବୈଠକରେ ଯୁଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଶୁଭାନନ୍ଦ ମହାପାତ୍ର ଆଲୋଚନା ନିମନ୍ତେ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତଃ ଅନୁବନ୍ଧିତ ହସ୍ପିଟାଲମାନେ ଦେଉଥିବା ବିଲର ସଠିକ ଯାଞ୍ଚ ଓ ପୈଠ, ମୋ ସରକାର ଏବଂ ଅନନ୍ୟ ସୂତ୍ରରୁ ମିଳୁଥିବା ଆପତ୍ତି ଅଭିଯୋଗର ଆଶୁ ସମାଧାନ, କ୍ଷେତ୍ରସ୍ତରରେ ସ୍ୱାସ୍ଥ୍ୟମିତ୍ରମାନଙ୍କର କାର୍ଯ୍ୟଦକ୍ଷତା ଆଦି ବିଷୟ ଆଲୋଚନା ହୋଇଥିଲା ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଡାକ୍ତର ବୃନ୍ଦା ଅନୁବନ୍ଧିତ ହସ୍ପିଟାଲମାନଙ୍କର ନିୟମିତ ସମୀକ୍ଷା ପାଇଁ ନୋଡ଼ାଲ  ଅଫିସରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷତଃ ଓଡ଼ିଶା ବାହାର ରାଜ୍ୟର ଅନୁବନ୍ଧିତ ହସ୍ପିଟାଲମାନଙ୍କରେ ଯେପରି କାର୍ଡଧାରୀମାନଙ୍କର ଚିକିତ୍ସା ସହଜଲବ୍ଧ ଓ ସୁଗମ ହେବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ମୋ ସରକାର ଏବଂ ଅନ୍ୟାନ୍ୟ ସୁତ୍ରରୁ ମିଳୁଥିବା ବିଭିନ୍ନ ଆପତ୍ତି ଅଭିଯୋଗଗୁଡିକର  ସମାୟନୁବନ୍ଧିତ ସମାଧାନ ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ ।  

 ସମୀକ୍ଷାରୁ ଏହା ଜଣାପଡ଼ିଛି ଯେ ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା  ୮୧୬ଟି ସୁପରସ୍ପେସିଆଲିଟି ଘରୋଇ ହସ୍ପିଟାଲ ବି.ଏସ୍.କେ.ୱାଇ ଅନୁବନ୍ଧିତ ହୋଇଛନ୍ତି । ଗତ ବର୍ଷ ଉକ୍ତ ସମୟ ତୁଳନାରେ ଏହା ୪୩.୪୦ ପ୍ରତିଶତ ଅଧିକ । ଏହାସହ ପ୍ରାୟ ୮୫୩୦ ସରକାରୀ ହସ୍ପିଟାଲ ରୋଗୀମାନଙ୍କୁ ଗୁଣାତ୍ମକ ସେବା ଯୋଗାଇ ଦେବାକୁ ଦିନ ରାତି ପ୍ରଚେଷ୍ଟା ଜାରି ରଖିଛନ୍ତି । ୮୧୬ ଟି ଘରୋଇ ହସ୍ପିଟାଲ ମଧ୍ୟରୁ ୧୬୦ ଟି ଆନ୍ଧ୍ରପ୍ରଦେଶ, ଆସାମ, ତେଲେଙ୍ଗାନା, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମ ବଙ୍ଗଳା, ଛତିଶଗଡ, ଝାଡଖଣ୍ଡ, ପଞ୍ଜାବ, ହରିୟାନା, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୧୬ ଟି ରାଜ୍ୟରେ ଅବସ୍ଥିତ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୬୫୬ ଟି ଘରୋଇ ହସ୍ପିଟାଲ ଗରିବ ଲୋକଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ସହଭାଗୀ ହୋଇଛନ୍ତି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଚଳିତ ବର୍ଷ ଡିସେମ୍ବର ସୁଦ୍ଧା  ଅନୁବନ୍ଧିତ ହସ୍ପିଟାଲମାନେ ରୋଗୀମାନଙ୍କର ଚିକିତ୍ସା ବାବଦରେ ୧୨.୧୧ ଲକ୍ଷରୁ ଉର୍ଦ୍ଧ ଦାବି ଉପସ୍ଥାପନା କରିଛନ୍ତି । ବି.ଏସ୍.କେ.ୱାଇର ଦୃତବର୍ଦ୍ଧିଷ୍ଣୁ ଲୋକପ୍ରିୟତା ପରିପ୍ରେକ୍ଷୀରେ ଚଳିତ ବର୍ଷ ଶେଷ ସୁଦ୍ଧା ଚିକିତ୍ସା ବାବଦରେ ଦାବି ସଂଖ୍ୟା ୧୩ ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଗତ ବର୍ଷର ଏହି ସମୟ ତୁଳନାରେ ଏହା ୧୦୨ ପ୍ରତିଶତ ଅଧିକ ।

ଏହି ଯୋଜନା ଅଧୀନରେ ପଞ୍ଜୀକୃତ ୯୬.୫ ଲକ୍ଷ ପରିବାର ମଧ୍ୟରୁ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲୋକଙ୍କ ପାଇଁ ସରକାର ଚଳିତ ବର୍ଷ ଡିସେମ୍ବର ୧୫ ସୁଦ୍ଧା ୨୫୦୭.୦୫ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ଏହି ରାଶି ୨୯୦୦ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ହୋଇଥିବା ଖର୍ଚ୍ଚ ତୁଳନାରେ ଏହା ୧୦୭ ପ୍ରତିଶତ ଅଧିକ । ତଥ୍ୟ ଅନୁସାରେ ୨୦୨୨ ମସିହାରେ ରୋଗୀମାନଙ୍କ ଚିକିତ୍ସା ବାବଦରେ ଘରୋଇ ହସ୍ପିଟାଲମାନଙ୍କ ଠାରୁ ମିଳିଥିବା ପ୍ରାୟ ୧୪୦୯.୪୦ କୋଟି ଟଙ୍କାର ବିଲ ରାଜ୍ୟ ସରକାର ପୈଠ କରିଥିଲେ । ସୋସାଇଟିର ନୋଡାଲ ଡାକ୍ତରମାନଙ୍କ ସମେତ ବରିଷ୍ଠ  ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।