ଭୁବନେଶ୍ୱର : ନ୍ୟାୟିକ ଲଢେଇ ଯୋଗୁ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକରେ ନିୟମିତ ଶିକ୍ଷକ ନିଯୁକ୍ତି ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ଓ ଗବେଷକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧିନ ବିଶ୍ୱବିଦ୍ୟାଳୟ ଅନୁଦାନ ଅୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ଏହି ବିବାଦର କେବେ ସମାଧାନ ହେବ କେହି ସ୍ପଷ୍ଟ ସୂଚନା ଦେଇପାରୁନଥିବାରୁ ବିଭିନ୍ନ ବିଷୟରେ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ନମ୍ବର ରଖି ସ୍ୱର୍ଣ୍ଣ ପଦକ ହାସଲ ପରେ ଏମ୍ଫିଲ୍ ଓ ପିଏଚ୍ଡି କରିଥିବା ବହୁ ମେଧାବୀ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପୂର୍ବ ବ୍ୟବସ୍ଥା ଅନୁଯାୟୀ ପ୍ରତିଟି ବିଶ୍ୱବିଦ୍ୟାଳୟ ବିଭିନ୍ନ ବିଷୟରେ ନିଜ ନିଜର ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ସିଧାସଳଖ ନିଯୁକ୍ତି ଓ ପଦୋନ୍ନତି ଭିତ୍ତିରେ ପୁରଣ କରୁଥିଲେ । ଅବଶ୍ୟ ଏଥିପାଇଁ କୂଳାଧିପତି ତଥା ରାଜ୍ୟପାଳଙ୍କ ଅନୁମୋଦନ ଲୋଡା ପଡୁଥିଲା । ଆର୍ଥିକ ସଙ୍କଟ ଆଳରେ ୯୦ଦଶକର ଶେଷ ଭାଗରୁ ନିଯୁକ୍ତି ଉପରେ ରାଜ୍ୟ ସରକାର କଟକଣା ଲଗାଇବା ଦିନଠାରୁ ବିଶ୍ୱ ବିଦ୍ୟାଳୟ ଗୁଡିକରେ ନିୟମିତ ନିଯୁକ୍ତି ପ୍ରକ୍ରିୟା ବାଧାପ୍ରାପ୍ତ ହେଲା ଏବଂ ଅର୍ଥ ବିଭାଗର ଅନୁମୋଦନ ପରେ ଯାଇ କିଛି କିଛି ପଦବୀ ପୁରଣ କରାଯାଉଥିଲା । ଏଥିଲାଗି ୟୁଜିସିର ମାର୍ଗନିର୍ଦ୍ଦେଶିକା ଆଧାରରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକ ସ୍ୱତନ୍ତ୍ର ଚୟନ କମିଟି ଗଠନ କରୁଥିଲେ ।
ତେବେ କୌଣସି କାରଣରୁ ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ଆଣି ବିଶ୍ୱବିଦ୍ୟାଳୟଗୁଡିକର ଶିକ୍ଷକ ନିଯୁକ୍ତି ଦାୟିତ୍ୱ ଓଡ଼ିଶା ଲୋକସେବା ଆୟୋଗ ଉପରେ ନ୍ୟସ୍ତକଲେ । ବିଧାନସଭାରେ ପାରିତ ଏ ସଂକ୍ରାନ୍ତୀୟ ବିଲ୍କୁ ତତ୍କାଳୀନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଧ୍ୟ ସ୍ୱୀକୃତି ଦେଇଥିଲେ । ଏହା ଆଇନରେ ପରିଣତହେବାପରେ ଲୋକସେବା ଆୟୋଗ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାରୁ ବିଭିନ୍ନ ମହଲରୁ ବିରୋଧର ସ୍ୱର ଉଠିଲା । ଏ ସଂକ୍ରାନ୍ତୀୟ ମାମଲା ଓଡ଼ିଶା ହାଇକୋର୍ଟରେ ଖାରଜ ହୋଇଯିବାପରେ ପ୍ରାୟ ୨ବର୍ଷ ତଳେ ଏହା ବିରୁଦ୍ଧରେ ୟୁଜିସି ସୁପ୍ରିମ୍କୋର୍ଟରେ ଏସ୍ଏଲ୍ପି ଦାଖଲ କରିଛନ୍ତି । ସୁପ୍ରିମକୋର୍ଟରେ ମାମଲା ବିଚାରାଧିନ ଥିବାରୁ ଲୋକସେବା ଆୟୋଗ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି କାମରେ ଆଗେଇ ପାରୁନାହିଁ ।
ବିଧିବିଶେଷଜ୍ଞ ଓ ମାମଲା ସହିତ ଜଡିତ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ବିଭିନ୍ନ ପକ୍ଷ ବାରମ୍ବାର ଏହି ମାମଲାରେ ସମୟ ଗଡାଇ ଚାଲିଥିବାରୁ ସୁପ୍ରିମ୍କୋର୍ଟରେ ତାହା ଚୂଡାନ୍ତ ହୋଇପାରୁନାହିଁ । ସୁପ୍ରିମ୍କୋର୍ଟ ଉପରେ ୮୦ହଜାରରୁ ଅଧିକ ମାମଲାର ଚାପ ଥିବାବେଳେ ତାହା ଭିତରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ମାମଲା ଚାପିହୋଇ ରହିଯାଇଛି ।
ଓଡ଼ିଶାର ସୀମା ବିବାଦ ସଂକ୍ରାନ୍ତୀୟ ମାମଲା ସୁପ୍ରିମକୋର୍ଟରେ ୫୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଗଡୁଥିବା ଏବଂ ମହାନଦୀ ବିବାଦ ମାମଲା ଟ୍ରିବ୍ୟୁନାଲ୍ରେ ବର୍ଷ ବର୍ଷ ଧରି ଗଡି ଚାଲିଥିବାଭଳି ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ମାମଲା ଫଇସଲା ହେବାକୁ କେତେବର୍ଷ ଲାଗିବ ତାହା କହିବା ମୁସ୍କିଲ୍ ।
ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡିକରେ ଏବେ ସହସ୍ରାଧିକ ଶିକ୍ଷକ ପଦବୀ ଖାଲି ପଡିଛି । ପ୍ରାୟ ଏକ ତୃତୀୟାଂଶରୁ କମ୍ ନିୟମିତ ଶିକ୍ଷକଙ୍କୁ ନେଇ କଷ୍ଟେମଷ୍ଟେ ବିଶ୍ୱବିଦ୍ୟାଳୟ ଗୁଡିକ ଚାଲୁଛନ୍ତି । ରାଜ୍ୟର ସର୍ବପୁରାତନ ଉତ୍କଳ ବିଶ୍ୱବିଦ୍ୟାଳୟରେ ମାତ୍ର ୯ଜଣ ପ୍ରଫେସର ଥିବାବେଳେ ସମ୍ବଲପୁରରେ ମଧ୍ୟ ଅନୁରୂପ ଅବସ୍ଥା । ରେଭେନ୍ସା ଓ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟ ସମସ୍ୟା ନକହିବା ଭଲ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଗଙ୍ଗାଧର ମେହେର, ରମାଦେବୀ, ଫକୀରମୋହନ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ବିପୁଟ୍ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଜୟପୁର ଓ କେନ୍ଦୁଝରରେ ଥିବା ଅନ୍ୟ ଦୁଇଟି ସରକାରୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ମରୁଡି ଅତ୍ୟନ୍ତ ଉତ୍କଟତର ।
ବହୁ ବିଭାଗରେ ପ୍ରଫେସର ନାହାନ୍ତି । ଅତିଥି ଅଧ୍ୟାପକମାନଙ୍କୁ ଭରସା କରି ବିଶ୍ୱବିଦ୍ୟାଳୟ ଗୁଡିକ କୌଣସି ପ୍ରକାର ଚାଲୁଥିବାବେଳେ ରାଜ୍ୟ ଓ ଛାତ୍ର ସମାଜର ବୃହତର ସ୍ୱାର୍ଥକୁ ଆଖି ଆଗରେ ରଖି ତୁରନ୍ତ ଏହି ମାମଲାର ସମାଧାନ ସହ ଖାଲି ପଡିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ଲାଗି ବିଭିନ୍ନ ମହଲରୁ ଦାବି ହେଉଛି । (ତଥ୍ୟ)