ମୁମ୍ବାଇ : ଜାତୀୟ ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ(ନାଫସ୍କବ) ର ଉପବିଧି ସଂଶୋଧନକୁ କେନ୍ଦ୍ରୀୟ ସମବାୟ ରେଜିଷ୍ଟ୍ରାର ମଞ୍ଜୁରୀ ଦେଇଛନ୍ତି।ଫଳରେ ଏଣିକି ଦେଶର ସମସ୍ତ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ନାଫସ୍କବର ସଭ୍ୟ ଭାବେ ଅନ୍ତର୍ଭୁକ୍ତ ହେବେ।ପ୍ରାରମ୍ଭିକ ପର୍ଯ୍ୟାୟରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନଙ୍କ ଆବେଦନ ପରେ ସେମାନଙ୍କୁ ସହଯୋଗୀ ସଭ୍ୟ ଭାବେ ଅନ୍ତର୍ଭୁକ୍ତ କରାଯିବ ବୋଲି ନାଫସ୍କବ ଏମଡି ଭିମା ସୁବ୍ରମଣ୍ୟମ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ,ପୂର୍ବରୁ ଦେଶର ରାଜ୍ୟ ସମବାୟ ବ୍ୟାଙ୍କ୍ନାମାନେ କେବଳ ନାଫସ୍କବର ସଭ୍ୟ ଥିବା ବେଳେ ଗତ ସେପ୍ଟେମ୍ବରରେ ଜୟପୁର ରେ ଅନୁଷ୍ଠିତ ସାଧାରଣ ସଭାରେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ମାନଙ୍କୁ ସଦସ୍ୟତା ଦେବା ଲାଗି ପ୍ରସ୍ତାବ ଗୃହୀତ ହେବା ସହ ଉପବିଧିରେ ସଂଶୋଧନ ଲାଗି ସ୍ଥିର ହୋଇଥିଲା ।
ଏହି ସଂଶୋଧନକୁ କେନ୍ଦ୍ରୀୟ ସମବାୟ ରେଜିଷ୍ଟ୍ରାର ଙ୍କ ମଞ୍ଜୁରୀ ମିଳିଥିବାରୁ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନଙ୍କ ସଦସ୍ୟତା ଲାଗି ପଥ ଉନ୍ମୁକ୍ତ ହୋଇଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ ର ବରିଷ୍ଠତମ ନିର୍ଦ୍ଦେଶକ ତଥା ନାଫସ୍କବର ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ଦାସ ଏହି ଅଭିନବ ପଦକ୍ଷେପକୁ ସ୍ଵାଗତ କରିବା ସହ ଏଣିକି ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ମାନେ ନାଫସ୍କବ ଜରିଆରେ ଜାତୀୟ ତଥା ଆନ୍ତର୍ଜାତୀୟ ସମବାୟ ଫୋରମ୍ ରେ ଅଂଶ ଗ୍ରହଣ କରିବାର ସୁଯୋଗ ପାଇ ପାରିବେ ବୋଲି କହିଛନ୍ତି।
ଓଡ଼ିଶାରେ ଏବେ ୧୫ ଟି ଜିଲ୍ଲାରେ ୧୭ ଟି କେନ୍ଦ୍ର ସମବାୟ ବ୍ୟାଙ୍କ୍ କାର୍ଯ୍ୟ କରୁଛନ୍ତି।ଯେଉଁ ଜିଲ୍ଲାରେ କେନ୍ଦ୍ର ସମବାୟ ବ୍ୟାଙ୍କ୍ ନାହିଁ ସେଠାରେ ସି ସି ବି ଖୋଲାଯିବା ଲାଗି ପ୍ରୟାସ ଆରମ୍ଭ ହୋଇଛି।