Home General ମ୍ୟୁଜିୟମରେ ବନ୍ଦୀ ଗାନ୍ଧୀ ପ୍ରତିମୂର୍ତ୍ତି

ମ୍ୟୁଜିୟମରେ ବନ୍ଦୀ ଗାନ୍ଧୀ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ବ୍ରିଟିଶ ଜେଲରେ ଅନ୍ୟୁନ ୨୩୩୯ ଦିନ କଟାଇଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ତାଙ୍କର ଓଡିଶା ଗସ୍ତର ସ୍ମାରକୀ ବହନ କରୁଥିବା ତଥ୍ୟାବଳୀ ବର୍ଷାଧିକକାଳ ଧରି ଓଡିଶା ରାଜ୍ୟ ସଂଗ୍ରହାଳୟରେ ଏକ ପ୍ରକାର ବନ୍ଦୀ ହୋଇ ରହିଛି । ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଓ ଅନ୍ୟାନ୍ୟ ତଥ୍ୟାବଳୀକୁ ମୁକ୍ତକରି ଜନସାଧାରଣଙ୍କ ଦର୍ଶନ ପାଇଁ ତାହାକୁ କେବେ ଉନ୍ମୋଚନ କରାଯିବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ଉତ୍ତର ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଓଡିଶା ସରକାର ପାଳନ କରୁଥିବାବେଳେ ରାଜ୍ୟ ସଂଗ୍ରହାଳୟରେ ଓଡିଶାରେ ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀଜୀଙ୍କ ଓଡିଶା ଗସ୍ତକୁ ଆଧାର କରି ଦୁଇଟି ଗ୍ୟାଲେରୀ ସ୍ଥାପନ ଲାଗି ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଥିଲେ । ଗାନ୍ଧୀଜୀଙ୍କ ଓଡିଶା ଗସ୍ତର ଶହେ ବର୍ଷ ପୂର୍ତ୍ତି ବେଳକୁ ଏହି ଗ୍ୟାଲେରୀ ଦୁଇଟିର କାମ ଆରମ୍ଭ ହୋଇଥିଲା । ତେବେ ଏଥିରେ ସ୍ଥାନିତ ହୋଇଥିବା ଅନେକ ପ୍ରତିମୂର୍ତ୍ତି ଠିକଣା ନଥିବା ଘେନି ବିଶେଷଜ୍ଞ କମିଟି ମତଦେବା ପରେ ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସଂସ୍କୃତି ନିର୍ଦ୍ଦେଶକ ଆଦି ତ୍ରୁଟିପୂର୍ଣ୍ଣ ମୂର୍ତ୍ତିଗୁଡିକୁ ପରିବର୍ତ୍ତନ କରିବା ଲାଗି ମତବ୍ୟକ୍ତ କରିଥିଲେ । ତେବେ ଇତି ମଧ୍ୟରେ ଚାରିଜଣ ଶାସନ ସଚିବ ବଦଳି ସାରିଥିଲେ ମଧ୍ୟ ଗାନ୍ଧୀ ଓଡିଶା ଗ୍ୟାଲେରି ଖୋଲିପାରୁ ନାହିଁ ।

ଅବଶ୍ୟ ଗତ ଗାନ୍ଧୀଜୟନ୍ତୀ ଅବସରରେ ରାଜ୍ୟ ସଂଗ୍ରହାଳୟ ପରିସରରେ ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀ ଲୋକାର୍ପିତ ହୋଇଛି ଏବଂ ଏହା ସାଧାରଣ ଲୋକଙ୍କ ଦ୍ୱାରା ମଧ୍ୟ ପ୍ରଶଂସିତ ହେଉଛି । ଅଥଚ ପ୍ରାୟ ତିନି ବର୍ଷ ଧରି ଗାନ୍ଧୀଓଡିଶା ଗ୍ୟାଲେରୀରେ ତାଲା ଝୁଲୁଛି । କେତେବେଳେ କେମିତି ଏହାର ନିର୍ମାଣକାରୀ ସଂସ୍ଥା ଇନ୍‍ଟାକ୍‍ ଓ ରାଜ୍ୟ ମ୍ୟୁଜିୟମର କର୍ମକର୍ତ୍ତା ମଝିରେ ମଝିରେ ଘର ଖୋଲି ଅସମ୍ପୂର୍ଣ୍ଣ କାମ ଦେଖି ଆସୁଛନ୍ତି ।

ଏହି ଗ୍ୟାଲେରୀରେ ରଖାଯିବାକୁ ଥିବା ଗାନ୍ଧୀଜୀଙ୍କ ଆଠଟି ଅବିସ୍ମରଣୀୟ ଓଡିଶା ଗସ୍ତର ସ୍ମାରକୀରେ ଥିବା ତ୍ରୁଟି ବିଚ୍ୟୁତିରୁ ଇତି ମଧ୍ୟରେ କିଛି ସଂଶୋଧିତ ହୋଇଛି । କିନ୍ତୁ ଏଠାରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିକୁ କିନ୍ତୁ ତ୍ରୁଟିମୁକ୍ତ କରାଯାଇ ପାରିନାହିଁ । ଏହି ଗ୍ୟାଲେରୀ ନିର୍ମାଣ କାର୍ଯ୍ୟ ଶେଷ କରିବାପାଇଁ ଅତୀତରେ ବିଭାଗୀୟ ନିର୍ଦ୍ଦେଶକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଖୋଦ୍‍ ମୁଖ୍ୟ ଶାସନ ସଚିବ ଘଟଣାସ୍ଥଳ ପରିଦର୍ଶନ କରିବା ସଂଗେ ସଂଗେ ବହୁବାର ଉଚ୍ଚସ୍ତରୀୟ ବୈଠକମାନ କରିଛନ୍ତି । ଏହା ସତ୍ୱେ ବି ତିନି ବର୍ଷ ଧରି ଏହି ଗ୍ୟାଲେରୀଟି ଜନସାଧାରଣଙ୍କ ପାଇଁ ଖୋଲାଯାଉ ନାହିଁ ।

ଆଗାମୀ ଜାନୁୟାରୀ ୩୦, ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଥିବାରୁ ତାହା ପୂର୍ବରୁ ଗ୍ୟାଲେରୀର ତ୍ରୁଟି ବିଚ୍ୟୁତି ସଂଶୋଧନ କରି ଏହି ଦିବସରେ ତାହା ଯେଭଳି ଉନ୍ମୋଚିତ ହୁଏ ସେ ଦିଗରେ ଦୃଷ୍ଟି ଦେବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି । ଇନ୍‍ଟାକ୍‍ ଭଳି ଏକ ଖ୍ୟାତିସମ୍ପନ୍ନ ସଂସ୍ଥା ଏହି ଗ୍ୟାଲେରୀର ପ୍ରସ୍ତୁତି ଦାୟିତ୍ୱରେ ଥିବା ସ୍ଥଳେ ଗାନ୍ଧୀ ଗ୍ୟାଲେରୀ ବିଳମ୍ବିତ ହେଉଥିବା ଘେନି ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ । (ତଥ୍ୟ)