Home General ସମର୍ଥ ଯୋଜନାରେ ତିନି ହଜାର ହିତାଧିକାରୀ

ସମର୍ଥ ଯୋଜନାରେ ତିନି ହଜାର ହିତାଧିକାରୀ

ଭୁବନେଶ୍ୱର : ବୟନ ଶିଳ୍ପ କ୍ଷେତ୍ରରେ ଲୋକଙ୍କୁ ତାଲିମ ସହିତ କର୍ମସଂସ୍ଥାନ ଦେବାପାଇଁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରୁଥିବା ସମର୍ଥ ଯୋଜନାରେ ଗତ ତିନି ବର୍ଷରେ ରାଜ୍ୟରେ ତିନି ହଜାରରୁ ଅଧିକ ଲୋକ ତାଲିମ ଓ କର୍ମସଂସ୍ଥାନ ପାଇପାରିଛନ୍ତି । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଦର୍ଶନା ଜାରଦୋଶ ।

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଜାରଦୋଶ ଉଲ୍ଲେଖ କରିଛନ୍ତି ଯେ ଏହି ଯୋଜନାରେ ପାରମ୍ପରିକ କ୍ଷେତ୍ର ଯଥା ହସ୍ତତନ୍ତ, ହସ୍ତଶିଳ୍ପ, ସିଲ୍କ, ଝୋଟ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୁଣାକାର ଓ କାରିଗରମାନଙ୍କର ଦକ୍ଷତା ବିକାଶ କରାଯାଉଛି । ସମଗ୍ର ଦେଶରେ ଚାହିଦାକୁ ଦୃଷ୍ଟିରେ ରଖି ସମର୍ଥ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାରେ ସାମାଜିକ ଗୋଷ୍ଠି ବିଶେଷକରି ମହିଳା, ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଉଛି । ତେବେ ମହିଳାମାନେ ଏହି ଯେଜାନାର ସବୁଠାରୁ ବଡ ହିତାଧିକାରୀ ଅଟନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୨୦-୨୧ ରୁ ୨୦୨୨ ମଧ୍ୟରେ ଓଡିଶାରେ ୩୮୫୮ଜଣ ବ୍ୟକ୍ତି ସମର୍ଥ ଯେଜାନାରେ ତାଲିମ ଗ୍ରହଣ କରିଛନ୍ତି ଏବଂ ଏହି ସମୟରେ ୩୧୯୬ ଜଣ କର୍ମସଂସ୍ଥାନ ପାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୪,୨୮୭ ଜଣ ତାଲିମ ଗ୍ରହଣ କରିଥିବାବେଳେ କର୍ଣ୍ଣାଟକରେ ଏହି ସଂଖ୍ୟା ୩୧ ହଜାରରୁ ଅଧିକ ରହିଛି । ଏହି ତିନି ବର୍ଷ ମଧ୍ୟରେ ଆନ୍ଧ୍ରପ୍ରଦେଶରେ ୪ହଜାରରୁ ଅଧିକ ଲୋକ ତାଲିମ ନେଇଥିବାବେଳେ ସାଢେ ତିନି ହଜାରରୁ ଅଧିକ କର୍ମସଂସ୍ଥାନ ପାଇଛନ୍ତି ।

ସମର୍ଥ ଯୋଜନାରେ ଓଡିଶାର ୧୧ ଜିଲ୍ଲା ମଧ୍ୟରୁ ଖୋରଧାରେ ସର୍ବାଧିକ ୧୮୮୮ ଜଣ ତାଲିମ ପାଇଥିବାବେଳେ ୧୬୩୪ ଜଣ କର୍ମସଂସ୍ଥାନ ପାଇଛନ୍ତିା କଟକରେ ଏହା ଯଥାକ୍ରମେ ୬୫୯ ଓ ୫୫୮ ରହିଛି । ଗଞ୍ଜାମ ଜିଲ୍ଲାରେ ସବୁଠାରୁ କମ୍‍ ମାତ୍ର ୪୨ଜଣ ତାଲିମ ନେଇଥିବାବେଳେ ୪୦ଜଣ କର୍ମସଂସ୍ଥାନ ପାଇପାରିଛନ୍ତି ।

ସେହିଭଳି ସମର୍ଥ ଯୋଜନାରେ ତାଲିମ ପ୍ରଦାନ ପାଇଁ ସମଗ୍ର ଦେଶରେ ତାଲିମ କେନ୍ଦ୍ରମାନ ଖୋଲା ଯାଇଥିବାବେଳେ ଓଡିଶାରେ ଏହି ସଂଖ୍ୟା ୩୫ ରହିଛି । ସର୍ବାଧିକ ୫୨୭ଟି ତାଲିମକେନ୍ଦ୍ର ତାମିଲନାଡୁରେ ଥିବାବେଳେ କର୍ଣ୍ଣାଟକରେ ୪୪୬, ଉତ୍ତରପ୍ରଦେଶରେ ୨୨୯, ଆନ୍ଧ୍ରପ୍ରଦେଶରେ ୪୦, ଛତିଶଗଡର ୧୬, ଝାଡଖଣ୍ଡରେ ୧୯ ଓ ପଶ୍ଚିମବଙ୍ଗରେ ୧୯ଟି ରହିଛି ।

ଓଡିଶାରେ ଥିବା ୩୫ଟି ତାଲିମ କେନ୍ଦ୍ର ମଧ୍ୟରୁ ଖୋରଧାରେ ୧୧ଟି ଥିବାବେଳେ କଟକରେ ୬ଟି, ବଲାଙ୍ଗିର, ଢେଙ୍କାନାଳ, ଯାଜପୁର, କଳାହାଣ୍ଡିରେ ୨ଟି କରି ତାଲିମକେନ୍ଦ୍ର ଥିବାବେଳେ ବାଲେଶ୍ୱର, ଗଞ୍ଜାମ, ମୟୁରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡରେ ଗୋଟିଏ କରି ତାଲିମକେନ୍ଦ୍ର ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।(ତଥ୍ୟ)