ଭୁବନେଶ୍ୱର : ଓଡିଶାରେ ଥିବା ଜତୀୟ ରାଜପଥ ଟୋଲ ପ୍ଲାଜାରୁ ଆଦାୟ ଫି ପରିମାଣ ବାର୍ଷିକ ହଜାରେ କୋଟି ଟଙ୍କା ଟପିଲାଣି । ୨୦୨୨-୨୩ ବର୍ଷରେ ଏହା ୧୧୯୧ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ନଭେମ୍ବର ଶେଷ ସୁଦ୍ଧା ଏହା ୧୧୧୮ କୋଟି ଟଙ୍କା ଅତିକ୍ରମ କରିଗଲାଣି ।
କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଲୋକସଭାରେ ଦେଇଥିବା ଏକ ଉତ୍ତରରୁ ଜଣାଯାଇଛି ଯେ ଓଡିଶା ଭିତରେ ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ୨୫ଟି ଟୋଲ ପ୍ଲାଜା ରହିଛି । ଏହି ସବୁ ଟୋଲ ପ୍ଲାଜାରୁ ୨୦୨୦-୨୧ ବର୍ଷରେ ୬୧୯ କୋଟି ଟଙ୍କାର ଫି ଆଦାୟ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ୬୮୫ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ଏହା ପରବର୍ଷ ଅର୍ଥାତ୍ ୨୦୨୨-୨୩ ବର୍ଷରେଏହା ପ୍ରାୟ ୧୧୯୧ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜା ମଧ୍ୟରେ ମଙ୍ଗୁଳି ଫାଟକରେ ସବୁଠାରୁ ଅଧିକ ଫି ଆଦୟ ହେଉଛି । ୨୦୨୦-୨୧ ବର୍ଷରେ ଏଠାରୁ ୧୭୯ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା ୧୯୫ କୋଟି ଟଙ୍କାକୁ ଟପିଯାଇଥିଲା । ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷସୁଦ୍ଧା ଏହା ୧୪୮ କୋଟି ଟଙ୍କାକୁ ଅତିକ୍ରମ କରିଛି ।
ସେହିଭଳି ପିପିଲି ଟୋଲ ପ୍ଲାଜାରୁ ଗତବର୍ଷ ୪୮ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ତାହା ୫୦ କୋଟି ଟଙ୍କା ଅତିକ୍ରମ କରିଯିବ ବୋଲି ଆଶା କରାଯାଉଛି । ମୋଟା ଅଙ୍କର ଫି ଆଦାୟ ହେଉଥିବା ରାଜ୍ୟର ଅନ୍ୟାନ୍ୟ ଟୋଲ ପ୍ଲାଜା ମଧ୍ୟରେ ବନଯୋଡି, ଖନ୍ତାଘର, ହସନପୁର, ବରାହଗୁଡା, ପାଣିକୋଇଲି, ସେରଗଡ,ଶ୍ରୀରାମପୁର, ଗୁରପଲ୍ଲୀ ଆଦି ରହିଛି । ଜାମୁଡିହି ପ୍ଲାଜାରୁ ଚଳିତବର୍ଷରୁ ଫି ଆଦାୟ ହୋଇଥିବାବେଳେ ନଭେମ୍ବର ଶେଷସୁଦ୍ଧା ତାହା ୨୯.୭୧ କୋଟି ଟଙ୍କାରେ ପହଞ୍ଚିଛି ।
କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମଗ୍ର ଦେଶରେ ୧,୪୬,୧୪୫ କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ଥିବାବେଳେ ଓଡିଶାରେ ୫୮୯୭ କିଲୋମିଟର ରହିଛି । ଓଡିଶାର ଏହି ଜାତୀୟ ରାଜପଥରେ ମୋଟ୍ ୨୫ଟି ଟୋଲ ପ୍ଲାଜା ରହିଛି । ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ସମସ୍ତ ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ୍ ଜରିଆରେ ଫି ଆଦାୟ କରାଯାଉଛି । ୨୦୧୬-୧୭ ବର୍ଷରେ ଟୋଲ ପ୍ଲାଜାରେ ଫାସ୍ଟ୍ୟାଗ୍ ପ୍ରଚଳନ ଆରମ୍ଭ ହୋଇଥିବାବେଳେ ୨୦୨୧ରେ ଟୋଲ ପ୍ଲାଜାର ସମସ୍ତ ଦେୟ ଏହା ଜରିଆରେ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୯୮.୯ ପ୍ରତିଶତ ଫି ଆଦାୟ ଫାସ୍ଟ୍ୟାଗ୍ ଜରିଆରେ ହୋଇପାରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିଭଳି ଦେଶରେ ଟୋଲ ପ୍ଲାଜାରୁ ଫି ଆଦାୟ ବର୍ଷକୁ ବର୍ଷ ବୃଦ୍ଧି ପାଉଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । ୨୦୧୫-୧୬ ବର୍ଷରେ ସମଗ୍ର ଦେଶରେ ୧୭,୭୫୯ କୋଟି ଟଙ୍କାର ଟୋଲ ଫି ଆଦାୟ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା ୪୮ହଜାର କୋଟି ଟଙ୍କାକୁ ଟପିଯାଇଛି । ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ସୁଦ୍ଧା ଏହା ୩୬ ହଜାର କୋଟି ଟଙ୍କାକୁ ଅତିକ୍ରମ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)