ଭୁବନେଶ୍ୱର : ଚାରିବର୍ଷ ମଧ୍ୟରେ ଦେଶରେ ସୌରଶକ୍ତି ଉତ୍ପାଦନ କ୍ଷମତା ୩୫ହଜାର ମେଗାୱାଟରୁ ଅଧିକ ବଢିଥିବାବେଳେ ଓଡିଶାରେ ଏହା ମାତ୍ର ୪୦ ମେଗାୱାଟ ବୃଦ୍ଧି ପାଇଛି । ୨୦୨୦ ମସିହାରେ ଓଡିଶାର ସୌରଶକ୍ତି ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ଥିବାବେଳେ ବର୍ତ୍ତମାନ ତାହା ୪୬୫ କୁ ବୃଦ୍ଧି ପାଇଛି ।
ସୌରଶକ୍ତି ଉତ୍ପାଦନ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଅକ୍ଷୟଶକ୍ତି ବିଶେଷକରି ସୌରଶକ୍ତି ଉପରେ ଗୁରୁତ୍ୱ ଦେବା ଫଳରେ ଏହି ଚାରିବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷମତା ଦୁଇଗୁଣରୁ ଅଧିକ ଅର୍ଥାତ୍ ୩୫,୬୦୭ ମୋଗାୱାଟରୁ ୭୨,୦୧୮ ମେଗାୱାଟକୁ ବୃଦ୍ଧି ପାଇଛି । ଓଡିଶାରେ ଏହି ସମୟରେ ୪୦ ମେଗାୱାଟ କ୍ଷମତା ବଢିଥିବାବେଳେ ଛତିଶଗଡରେ କିନ୍ତୁ ଏହା ୪୨୪ ମେଗାୱାଟରୁ ୧୦୧୫ ମେଗାୱାଟକୁ ବୃଦ୍ଧି ପାଇଛି ।
ସୌରଶକ୍ତି କ୍ଷେତ୍ରରେ ଆଗୁଆ ଥିବା ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ତେଲେଙ୍ଗାନା ଆଦି ରାଜ୍ୟ ରହିଛନ୍ତି । ରାଜସ୍ଥାନର ସୌରଶକ୍ତି କ୍ଷମତା ଦେଶରେ ସର୍ବାଧିକ ୧୮ହଜାର ମେଗାୱାଟ ରହିଛି । ବିଗତ ଚାରିବର୍ଷ ମଧ୍ୟରେ ଏହି ରାଜ୍ୟରେ ସୌରଶକ୍ତି କ୍ଷମତା ୫୨୭୫ ମେଗାୱାଟରୁ ୧୮,୦୮୯ ମେଗାୱାଟକୁ ବୃଦ୍ଧି ପାଇଛି । ଗୁଜୁରାଟର କ୍ଷମତା ୧୦,୪୧୭ ମେଗାୱାଟ ଥିବାବେଳେ ମହାରାଷ୍ଟ୍ରର କ୍ଷମତା ୫୦୬୪ ମେଗାୱାଟ, ଆନ୍ଧ୍ରପ୍ରଦେଶର ୪୫୫୫ ମେଗାୱାଟ ଓ ମଧ୍ୟପ୍ରଦେଶର ୩୧୬୭ ମେଗାୱାଟ କ୍ଷମତା ରହିଛି ।
ତେବେ କେନ୍ଦ୍ର ସରକାର ସୋଲାର ପାର୍କ ମାଧ୍ୟମରେ ଅଧିକ ସୌରଶକ୍ତି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଅତି କମ୍ରେ ୫୦ଟି ସୋଲାର ପାର୍କ ଜରିଆରେ ୪୦,୦୦୦ ମେଗାୱାଟ ସୌରଶକ୍ତି ଉତ୍ପାଦନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିଭଳି ସରକାରୀ ସଂସ୍ଥା ଜରିଆରେ ଗ୍ରିଡକୁ ସଂଯୁକ୍ତ ହେଉଥିବା ୧୨,୦୦୦ ମେଗାୱାଟ ସୋଲାର ପ୍ୟାନେଲ ପ୍ରତିଷ୍ଠା କରାଯିବ । କେବଳ ସେତିକି ନୁହେଁ, ଗ୍ରିଡ୍କୁ ସଂଯୋଗ କରୁଥିବା ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ସହିତ ଆନ୍ତଃରାଜ୍ୟ ବିଦ୍ୟୁତ୍ ପରିବହନ ପାଇଁ ସବୁଜ ଶକ୍ତି କରିଡର ସ୍ଥାପନ ହେବ ।
ସୌରଶକ୍ତି କ୍ଷେତ୍ରରେ ଅଧିକ ପୁଞ୍ଜି ନିବଶେ ପାଇଁ ଇତି ମଧ୍ୟରେ କେନ୍ଦ୍ର ସରକାର ଶତ ପ୍ରତିଶତ ବିଦେଶୀ ପୁଞ୍ଜି ନିବେଶକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ରାଜ୍ୟ ମଧ୍ୟରେ ଉତ୍ପାଦିତ ହେଉଥିବା ଅକ୍ଷୟଶକ୍ତି ବିଶେଷକରି ସୌରଶକ୍ତି, ପବନ ଶକ୍ତି ଆଦିର ଆନ୍ତଃରାଜ୍ୟ ପରିବହନ ଉପରୁ ୨୦୨୫ ଜୁନ୍ ଶେଷ ପର୍ଯ୍ୟନ୍ତ ଶୁଳ୍କ ଛାଡ କରାଯାଇଛି । ଅକ୍ଷୟ ଶକ୍ତିକୁ ପ୍ରୋତ୍ସାହନ ପାଇଁ କେନ୍ଦ୍ର ସରକାର ଇତି ମଧ୍ୟରେ ଗ୍ରିନ୍ ହାଇଡ୍ରୋଜେନ୍ ମିଶନର ଶୁଭାରମ୍ଭ କରିଛନ୍ତି ।
ତେବେ ରାଜ୍ୟ ସରକାର ମଧ୍ୟ ସୌରଶକ୍ତି ଉପରେ ଗୁରୁତ୍ୱ ଦେବା ସହିତ ରାଜ୍ୟରେ ଥିବା ପ୍ରମୁଖ ଜଳାଶୟଗୁଡିକରେ ଭାସମାନ ସୌରପ୍ୟାନେଲ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏଥି ସହିତ ରାଜ୍ୟରେ ପଡିଆ ପଡିଥିବା ବିସ୍ତୀର୍ଣ୍ଣ ଅଞ୍ଚଳରେ ଭୂମି ଉପରେ ସୌରପ୍ୟାନେଲ ବସାଇ ଅଧିକରୁ ଅଧିକ ସୌରଶକ୍ତି ଉତ୍ପାଦନ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି । ଯେଉଁମାନେ ନିଜସ୍ୱ ଉଦ୍ୟମରେ ଘରୋଇ ବ୍ୟବହାର ପାଇଁ ଛୋଟ ଛୋଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରୁଛନ୍ତି ସେମାନଙ୍କୁ ସରକାରୀ ସବସିଡ୍ ଯୋଗାଇ ଦିଆଯାଉଛି । (ତଥ୍ୟ)