ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟିରେ ୨୭ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ସହିତ ଏଥିରେ ୧୫୮୭ କୋଟି ଟଙ୍କାରୁ ଅଧିକ ଅର୍ଥ ଖର୍ଚ୍ଚ ସରିଲାଣି । ଆଉ ୬ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି । ତେବେ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ମଧ୍ୟରୁ କେତେକ ଏବେ ରାଜଧାନୀବାସୀଙ୍କ କାମରେ ଲାଗୁନଥିବା ଦେଖିବାକୁ ମିଳିଛି ।
ସ୍ମାର୍ଟସିଟିର ବହୁ ପ୍ରଚାରିତ ପ୍ରକଳ୍ପ ହେଉଛି ସ୍ମାର୍ଟ ଜନପଥ । ବାଣୀବିହାର ଠାରୁ ଏହା ଶିଶୁଭବନ ଛକ ପର୍ଯ୍ୟନ୍ତ ଲମ୍ବିଛି । ଉୟଭ ପାଶ୍ୱର୍ର ସଡକକୁ ସଙ୍କୁଚିତ କରାଯିବା ସହିତ ଟାଇଲ୍ ବିଛା ଯାଇଛି । ଫଳରେ ପୂର୍ବାପେକ୍ଷା ପାର୍କିଂ ସ୍ଥାନ କମି ଯାଇଛି । ଶ୍ରୀୟା ଛକରୁ ଶିଶୁଭବନ ପର୍ଯ୍ୟନ୍ତ ସଡକ ପାଶ୍ୱର୍ରେ ପ୍ରମୁଖ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ଥିବାବେଳେ ଏଠାରେ ଲୋକେ ଗାଡି ରଖିବାକ ସ୍ଥାନଟିକେ ପାଉନାହାନ୍ତି । ଯେଉଁମାନେ ରାସ୍ତାର ଅପର ପାଶ୍ୱର୍ରେ ଗାଡି ରଖି ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବାଉଁଶ ବାଡ ବାଧକ ହୋଇଛି ।
ସ୍ମାର୍ଟ ଜନପଥରୁ ପାର୍କିଂ ଫି ଆଦାୟ ପାଇଁ କର୍ତ୍ତୃପକ୍ଷ ଯେତିକି ତତ୍ପରତା ପ୍ରକାଶ କରୁଛନ୍ତି ଲୋକେ କିଭଳି ସୁବିଧାରେ ଗାଡିମୋଟର ରଖିବେ ସେଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ତେବେ ପାର୍କିଂ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାଲାଗି ସ୍ମାର୍ଟ ସିଟି ପ୍ରକଳ୍ପରେ ଶହୀଦନଗର ଓ ରାଜମହଲର ଅନତି ଦୂରରେ ଦୁଇଟି ବହୁତଳ ପାର୍କିଂ ସୌଧ ନିର୍ମାଣ ହୋଇଛି । ହେଲେ ଏଠାରେ ଗାଡିମୋଟର ପାର୍କିଂ ପାଇଁ ଲୋକଙ୍କ ଆଗ୍ରହ ନାହିଁ । ଗୋଟିଏ ପଟେ ଅଧିକ ପାର୍କିଂ ଫି ଓ ଅନ୍ୟପଟେ ଦୋକାନ ବଜାର ଦୂରରେ ହୋଇଥିବାରୁ ଏଠାରେ ଗାଡି ରଖି ଯିବା ବଦଳରେ ଲୋକେ ଆଖପାଖ ଗଳିକନ୍ଦିରେ ଗାଡି ପାର୍କିଂ କରାଉଛନ୍ତି ।
ସେହିଭଳି ସ୍ମାର୍ଟସିଟି ପ୍ରକଳ୍ପରେ ସହରରେ କାର୍ଯ୍ୟକାରୀ ହେଉଛି ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା । ହେଲେ ଅଧିକାଂଶ ସ୍ଥାନରେ ଏହା ଠିକଣା ଭାବେ କାର୍ଯ୍ୟ କରୁନାହିଁ । ୨୦୧୮ ମସିହାରେ ସ୍ଥାପନ ସମୟରେ ଯେଉଁସବୁ ସେନ୍ସନର ଯୁକ୍ତ ସ୍ମାର୍ଟ କ୍ୟାମେରା ଲାଗିଥିଲା ତାହା ଏବେ ଅକାମୀ । ବିଭିନ୍ନ ଛକରରେ ଭିନ୍ନ ଭିନ୍ନ ଟ୍ରାଫିକ ଲାଇଟ୍ ବ୍ୟବସ୍ଥା । ତେବେ ଖୋଦ୍ ପୁଲିସ୍ କମିଶନରଙ୍କ ଦପ୍ତର ନିକଟରେ ଥିବା ଟ୍ରାଫିକ ପୋଷ୍ଟର କିଛି ଲାଇଟ୍ ଦୀର୍ଘଦିନ ହେଲା ଅଚଳ ହୋଇଥିବାବେଳେ ତାହା ମରାମତି କରାଯାଉ ନାହିଁ । ଘରୋଇ ସଂସ୍ଥା ଦ୍ୱାରା ଏହାର ରକ୍ଷଣା ବେକ୍ଷଣ ହେଉଥିଲେ ମଧ୍ୟରେ ସ୍ଥିତିରେ ସେଭଳି ଉନ୍ନତି ପରିଲକ୍ଷିତ ହେଉନାହିଁ ।
ସେହିଭଳି ସ୍ମାର୍ଟ ସିଟିର ମୋ ସାଇକେଲ ଯୋଜନା ଓ ୱାଇଫାଇ ଯୋଜନା ଅଚଳ ହୋଇପଡିଲାଣି । ସ୍ମାର୍ଟସିଟିର ୱାଇଫାଇ ବ୍ୟବହାର ପାଇଁ କାହାର ଆଗ୍ରହ ନଥିବାବେଳେ ମୋ ସାଇକେଲ ଏବେ ସହରର ଏଣେ ତେଣେ ପଡି ଖତ ହେବାରେ ଲାଗିଛି । ସ୍ମାର୍ଟସିଟି ପ୍ରକଳ୍ପରେ ସହରରେ ମହିଳା ଓ ବାଳିକା ମାନଙ୍କ ସୁରକ୍ଷା ସହିତ ସ୍ୱାସ୍ଥ୍ୟସେବା ସଚେତନତା କାର୍ଯ୍ୟକ୍ରମ ଚଳାଯାଉଛି । ହେଲେ ରାଜଧାନୀରେ ଡେଙ୍ଗୁ କାୟାବିସ୍ତାର କରୁଥିବାବେଳେ ସ୍ମାର୍ଟ ବର୍ଜ୍ୟ ପରିଚାଳନା ପାଇଁ ଲୋକଙ୍କୁ ବୁଝାଇ ବୁଝାଇ କର୍ତ୍ତୃପକ୍ଷ ନାକେଦମ ହେଉଛନ୍ତି ।
ସେହିଭଳି ସ୍ମାର୍ଟସିଟି ଯୋଜନାରେ ହେବାକୁ ବହୁ ପ୍ରତୀକ୍ଷିତ ‘ସ୍ନିକ୍’ ଏବେ ନାଲିଫିତା ତଳେ । ସତ୍ୟନଗର ଅଞ୍ଚଳରେ ହେବାକୁ ଥିବା ଏହି ସ୍ମାର୍ଟ ପ୍ରକଳ୍ପ ଆଉ ହେବାର କୌଣସି ଆଶା ନାହିଁ । ଯେଉଁସବୁ ବଡ ବଡ କମ୍ପାନୀ ଏହି ଯୋଜନାରେ ଏଠାରେ ପ୍ରକଳ୍ପ ପାଇଁ ଆଗେଇ ଆସିଥିଲେ ସେମାନେ ଇତି ମଧ୍ୟରେ ଏଥିରୁ ଦୂରେଇ ଗଲେଣି । ଭୁବନେଶ୍ୱର ସ୍ମାର୍ଟସିଟିରେ ବର୍ତ୍ତମାନ ସୁଦ୍ଧା ୧୫୮୭ କୋଟି ଟଙ୍କା ଖର୍ଚ୍ଚ ସରିଥିଲା ବେଳେ ଆଉ ୪୯୫ କୋଟି ଟଙ୍କାର କାର୍ଯ୍ୟ ସରିବାକୁ ଯାଉଛି । ଏତେ ପରିମାଣର ଅର୍ଥ ବ୍ୟୟ ପରେ ମଧ୍ୟ ରାଜଧାନୀବାସୀ ଏଥିରୁ କି ସୁଫଳ ପାଉଛନ୍ତି ତାହାର ଅନୁଧ୍ୟାନ ଜରୁରୀ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)