ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ଆର୍ଥିକ ଅପରାଧ ବଢି ଚାଲୁଥିବାବେଳେ ଦଣ୍ଡବିଧାନ କିନ୍ତୁ ଢେର୍ କମ୍ ରହୁଛି । ଆର୍ଥିକ ଅପରାଧ ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ୩୨.୬ ପ୍ରତିଶତ ଥିବାବେଳେ ଗୁଜୁରାଟରେ ଏହା ସର୍ବନିମ୍ନ ୨ ପ୍ରତିଶତ ରହିଛି । ଆସାମରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୪.୯ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୫.୮ ପ୍ରତିଶତ ରେକର୍ଡ କରାଯାଇଛି । କେନ୍ଦ୍ର ସରକାରଙ୍କ ଏନ୍ସିଆର୍ବି ରିପୋର୍ଟରେୁ ଏହି ତଥ୍ୟ ଜଣାପଡିଛି ।
ତ୍ରିପୁରା, ମେଘାଳୟ, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ରାଜ୍ୟରେ ଦଣ୍ଡବିଧାନ ହାର ୧୦ ପ୍ରତିଶତରୁ କମ୍ ରହିଛି । ତେବେ ଆର୍ଥିକ ଅପରାଧ ମାମଲାରେ ସର୍ବାଧିକ ୮୯.୫ ପ୍ରତିଶତ ଦଣ୍ଡବିଧାନ ମିଜୋରାମ୍ରେ ହୋଇଛି । ଯେଉଁସବୁ ରାଜ୍ୟରେ ଏଭଳି କିସମର ମାମଲାରେ ଦଣ୍ଡବିଧାନ ହାର ୫ ପ୍ରତିଶତରୁ ଅଧିକ ରହିଛି ସେଗୁଡିକ ମଧ୍ୟରେ ଅଛନ୍ତି ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ନାଗାଲ୍ୟାଣ୍ଡ, ଛତିଶଗଡ଼ ଓ ବିହାର ।
ରିପୋର୍ଟରେ ପ୍ରକାଶିତ ତଥ୍ୟ ମୁତାବକ, ୨୦୨୩ ଆରମ୍ଭ ବେଳକୁ ସାରା ଦେଶରେ ୭, ୪୨,୦୬୦ ଆର୍ଥିକ ଅପରାଧ ମାମଲା ବିଚାର ପାଇଁ ରହିଥିବାବେଳେ ଓଡ଼ିଶାରେ ବିଚାର ପ୍ରତୀକ୍ଷାରେ ଥିବା ମାମଲା ସଂଖ୍ୟା ୨୮, ୭୭୬ । ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ଏ କିସମର ଲକ୍ଷାଧିକ ମାମଲା ବିଚାର ପାଇଁ ପଡି ରହିଛି । ୨୦୨୨ ବର୍ଷରେ ସାରା ଦେଶରେ ୪୦, ୪୮୮ଟି ଆର୍ଥିକ ଅପରାଧ ମାମଲାର ଫଇସଲା ହୋଇଥିବାବେଳେ ସେଥିରୁ ୧୦, ୫୭୫ଟିରେ ଦଣ୍ଡବିଧାନ କରାଯାଇଥିଲା । ଉକ୍ତବର୍ଷରେ ଓଡ଼ିଶାରେ ମାତ୍ର ୩୩୫ଟି ମାମଲା ଫଇସଲା ହୋଇଥିବାବେଳେ ସେଥିରୁ ମାତ୍ର ୧୯ଟିରେ ଦଣ୍ଡବିଧାନ କରାଯାଇଥିବାବେଳେ ୩୦୬ଟିରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।
ଆର୍ଥିକ ଅପରାଧ ମାମଲା ଫଇସଲା ହାର ସାରା ଦେଶରେ ୫.୨ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୧.୨ ପ୍ରତିଶତ ଥିବା ଜଣାପଡିଛି । ମୋଟାମୋଟି ଭାବେ ୨୦୨୨ ବର୍ଷରେ ସାରା ଭାରତରେ ଯେତେ ଆର୍ଥିକ ଅପରାଧ ମାମଲା ବିଚାର ପାଇଁ ଥିଲା ସେଥିରୁ ୯୪.୮ ପ୍ରତିଶତ ବାକିଆ ମାମଲା ଭାବେ ପରବର୍ଷକୁ ଗଡିଥିବାବେଳେ ଓଡ଼ିଶାରେ ମୋଟ ମାମଲାର ୯୮.୮ ପ୍ରତିଶତ ଫଇସଲା ହୋଇନପାରି ପରବର୍ଷର ବାକିଆ ମାମଲା ତାରିଖରେ ଯୋଡି ହୋଇଛି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ହେଉଛି ବିହାର, ମଣିପୁର ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ମାମଲା ଫଇସଲା ହାର ୧ ପ୍ରତିଶତ ଭିତରେ ସୀମିତ ଥିବାବେଳେ ପୁଡିଚୋରି, ଦିଲ୍ଲୀ, ପଶ୍ଚିମବଙ୍ଗ ଆଦିରେ ଫଇସଲା ହାର ୨ ପ୍ରତିଶତରୁ କମ୍ ରହିଛି ।
ଆର୍ଥିକ ଠକେଇ ଅପରାଧ ଏବେ ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି । କିଏ ସିଧାସଳଖ କାହାକୁ ଠକି ନେଲାଣି ତ ଆଉକିଏ ସ୍ମାର୍ଟଫୋନ୍ ମାଧ୍ୟମରେ କୋଟି କୋଟି ଟଙ୍କା ଠକିବାରେ ଲାଗିଛନ୍ତି । ଏମିତି କି ସ୍ମାର୍ଟ ଫୋନ୍ର ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରି ବହୁ ଲୋକ ବିପୁଳ ଖଟେଇର ଶିକାର ହେଉଥିବାବେଳେ ସାଇବର ଅପରାଧ କ୍ଷେତ୍ରରେ ବି ମାମଲା ଫଇସଲା ଓ ଦଣ୍ଡବିଧାନ ହାର ଢେର୍ କମ୍ ରହୁଛି । ଏଭଳି ଠକାମୀରୁ ବର୍ତ୍ତିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାରୀ କଳ ବିଜ୍ଞାପନ ମାଧ୍ୟମରେ ଜନସଚେତନତା ସୃଷ୍ଟି କରୁଥିବାବେଳେ ପ୍ରାୟ ପ୍ରତିଦିନ ଆର୍ଥିକ ଠକେଇ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଛି ।
ଚିଟ୍ଫଣ୍ଡଠାରୁ ଆରମ୍ଭ କରି କମ୍ ଦାମରେ ବେଶୀ ମୂଲ୍ୟର ସାମଗ୍ରୀ ଯୋଗାଇବା, ଜମି ଓ ଘର ବିକ୍ରି ସମେତ ସଞ୍ଚୟ ଜମା କ୍ଷେତ୍ରରେ ମଧ୍ୟ ଠକେଇ ଲାଗି ରହୁଛି । ଆର୍ଥିକ ଅପରାଧର ତ୍ୱରିତ ଫଇସଲା ପାଇଁ କେତେକ କିସମର ମାମଲାରେ ସ୍ୱତନ୍ତ୍ର ଅଦାଲତ ବ୍ୟବସ୍ଥା ହେଉଥିଲେ ବି ଏଭଳି ମାମଲା ଫଇସଲା ବର୍ଷ ବର୍ଷ ଧରି ଗଡିବା ଏବଂ ଅଧିକାଂଶ କ୍ଷେତ୍ରରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖସି ଯାଉଥିବାରୁ ଆର୍ଥିକ ଅପରାଧ ବୃଦ୍ଧି ପାଉଛି ବୋଲି ବିଧି ବିଶେଷଜ୍ଞମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)