ଭୁବନେଶ୍ୱର : ସମସ୍ତଙ୍କୁ ବିଜୁଳି ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଚଳିତ ଆସନ୍ତା ତିନି ବର୍ଷ ମଧ୍ୟରେ ବିଜୁ ଗ୍ରାମ ଜ୍ୟୋତି ଯୋଜନା (ବିଜିଜେୱାଇ) ଅଧୀନରେ ୫୬୯.୫୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟ ବ୍ୟୟ ଅର୍ଥ କମିଟି (ଇଏଫସି) ନିକଟରେ ଅନୁଷ୍ଠିତ ବୈଠକରେ ଶକ୍ତି ବିଭାଗର ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତକରଣ ଯୋଜନା (ଆରଜିଜିଭିୱାଇ) ଅଧୀନରେ ଅନ୍ତର୍ଭୁକ୍ତ ନଥିବା ପଡା ସମେତ ବିପିଏଲ୍ ପରିବାର ୧୦୦ରୁ କମ୍ ଜନସଂଖ୍ୟା ବିଶିଷ୍ଟ ପଡାଗୁଡ଼ିକର ବିଦ୍ୟୁତୀକରଣ ପାଇଁ ରାଜ୍ୟ ସରକାର ୨୦୦୭-୦୮ରେ ବିଜୁ ଗ୍ରାମ ଜ୍ୟୋତି ଯୋଜନା ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଏହି ଯୋଜନାରେ ୧୦ ହଜାର ପଡାକୁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା , ଯାହା ହାସଲ ହୋଇସାରିଛି । ପରବର୍ତ୍ତୀ ସମୟରେ ବିଜୁଳି ସଂଯୋଗ ନଥିବା ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର, ଅନ୍ୟାନ୍ୟ ଅନୁଷ୍ଠାନ ଓ ପରିବାରକୁ ବିଜୁଳି ସଂଯୋଗ ଦେବା ପାଇଁ ଏହି ଯୋଜନାକୁ ବ୍ୟାପକ କରାଯାଇଥିଲା ।
ଶକ୍ତି ବିଭାଗ ୫୬୯.୫୮ କୋଟି ଟଙ୍କା ବ୍ୟୟରେ ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ ତିନି ବର୍ଷ ମଧ୍ୟରେ ୨.୮୦ଲକ୍ଷରୁ ଅଧିକ ପରିବାରକୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେଥିମଧ୍ୟରୁ ଟାଟା ପାୱାର ସାଉଥ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପାଇଁ ସର୍ବାଧିକ ୧୯୭.୩୦ କୋଟି ଟଙ୍କା ଏବଂ ଟାଟା ପାୱାର ନର୍ଥ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପାଇଁ୧୫୧.୭୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) କ୍ଷେତ୍ରରେ ୧୪୮.୯ କୋଟି ଟଙ୍କା ଏବଂ ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ରେ ୭୧.୫୮ କୋଟି ଟଙ୍କା ବ୍ୟୟ ବରାଦ କରିବାକୁ ବିଭାଗ ନିଷ୍ପତ୍ତି ହୋଇଛି ।
ଇଏଫସି ବୈଠକରେ ଏହା ଆକଳନ କରାଯାଇଥିଲା ଯେ ୨୦୨୧ ମସିହାରେ ରାଜ୍ୟର ଗ୍ରାମାଞ୍ଚଳ ସର୍ଭେରେ ଚିହ୍ନଟ ହୋଇଥିବା ବିଦ୍ୟୁତ୍ ସଂଯୋଗ ନଥିବା ପଡା/ପରିବାରଗୁଡ଼ିକୁ ବିଦ୍ୟୁତ ସଂଯୋଗ କରିବା ପାଇଁ ବିସ୍ତାରିତ ବିଜିଜେୱାଇ ଯୋଜନା ଉଦ୍ଦିଷ୍ଟ । ବାଦ୍ ପଡ଼ିଥିବା ବିଦ୍ୟାଳୟ, ଅଙ୍ଗନବାଡିକେନ୍ଦ୍ର ଏବଂ ଅନ୍ୟାନ୍ୟ ଚିହ୍ନଟ ସୁବିଧା ବିଜିଜେୱାଇ ଅଧୀନରେ ଅନ୍ତର୍ଭୁକ୍ତ । ଶତ ପ୍ରତିଶତ ଗୃହ ବିଦ୍ୟୁତୀକରଣ ପାଇଁ ବିଜିଜେୱାଇ ଅଧୀନରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ଠିକ୍ ସମୟରେ କାର୍ଯ୍ୟକାରୀ କରିବାକୁ ବଣ୍ଟନକାରୀ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଯୋଜନା ସମ୍ପୂର୍ଣ୍ଣ ହେବା ପରେ ଏକ ସ୍ୱାଧୀନ ସଂସ୍ଥା ଜରିଆରେ ଏହାର ଅଡିଟ୍ କରାଯିବ । କାର୍ଯ୍ୟକାରୀ ସସ୍ଥାମାନଙ୍କ ଦ୍ୱାରା ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ଜମା ଉପରେ ଆଦାୟ କରାଯାଉଥିବା ସୁଧ ରାଜ୍ୟ ରାଜକୋଷରେ ଜମା କରାଯିବ ବୋଲି ସୂତ୍ରରୁ ପ୍ରକାଶ ।
ଉପରୋକ୍ତ ପ୍ରସ୍ତାବ ବ୍ୟତୀତ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି (ଓରେଡିଏଫ)କୁ ୫ ବର୍ଷରେ୨.୧୨ କୋଟି ଟଙ୍କାକୁ ସଂଶୋଧନ କରିବାକୁ ଇଏଫସି ଅନୁମୋଦନ ଦେଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ଅକ୍ଷୟ ଶକ୍ତି ନୀତି, ୨୦୨୨ ପ୍ରକାଶ ପାଇଥିଲା ଏବଂ ଏହି ନୀତିର କାର୍ଯ୍ୟକାରିତା ପାଇଁ ଗ୍ରିଡକୋକୁ ରାଜ୍ୟ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଅକ୍ଷୟଶକ୍ତି ପ୍ରକଳ୍ପଗୁଡ଼ିକୁ ଭିଜିଏଫ୍ ପ୍ରଦାନ ଏବଂ ଓଆରଇପି କାର୍ଯ୍ୟକାରୀ କରିବା ପାଇଁ ଗ୍ରିଡକୋକୁ ସହାୟତା ଦେବା ପାଇଁ ପ୍ରଥମେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ପାଣ୍ଠି ଅଧୀନରେ ୫୦୧ କୋଟି ଟଙ୍କାର ବଜେଟ୍ ସହାୟତା ପ୍ରସ୍ତାବ ଦିଆଯାଇଥିଲା ।
ତେବେ ୨୦୨୩ ଜୁଲାଇରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାସ୍ତବ ଆବଶ୍ୟକତା ଅନୁଯାୟୀ ଓରେଡିଏଫ ଅଧୀନରେ ବଜେଟ୍ ବ୍ୟବସ୍ଥାକୁ ପୁନଃ ସମୀକ୍ଷା କରିବା ସହ ବିପୁଳ ସବସିଡି/ଅନୁଦାନକୁ ଏଡ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହି ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୭-୨୮ ଆର୍ଥିକ ବର୍ଷ ମଧ୍ୟରେ ୨.୧୨ କୋଟି ଟଙ୍କାର ପାଣ୍ଠି ସହିତ ପ୍ରସ୍ତାବରେ ସଂଶୋଧନ କରାଯାଇଛି । ଏହାବ୍ୟତୀତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଏବଂ ଅକ୍ଷୟଶକ୍ତି ଇକୋସିଷ୍ଟମ୍ ବିକାଶ ଉଦ୍ଦେଶ୍ୟରେ ବିଦ୍ୟମାନ ବୈଷୟିକ ଅନୁଷ୍ଠାନ ଗୁଡ଼ିକ ମଧ୍ୟରୁ ଗୋଟିଏରେ ଉତ୍କର୍ଷ କେନ୍ଦ୍ର ଭାବରେ ଏକ ଅକ୍ଷୟଶକ୍ତି ଗବେଷଣା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । (ତଥ୍ୟ)