ଭୁବନେଶ୍ୱର : ଚଳିତ ଶତାଦ୍ଦୀ ଭାରତର । ଭାରତ ବିଶ୍ୱର ନେତୃତ୍ତ୍ୱ ନେବାକୁ ଯାଉଛି । ସଂପ୍ରତି ଭାରତ ବିଶ୍ୱରେ ପଂଚମ ବିଶାଳ ଅର୍ଥବ୍ୟବସ୍ଥା । ଖୁବ୍ ଶୀଘ୍ର ତୃତୀୟ ସ୍ଥାନରେ ପହଂଚିବ । ବିକାଶର ଏହି ଧାରାକୁ ତ୍ୱରାନ୍ୱିତ କରିବାରେ ନାରୀ ଶକ୍ତି ଅଗ୍ରଣୀ ଭୂମିକା ନେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି ।
ଆଜି ରମାଦେବୀ ବିଶ୍ୱବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ କହିଛନ୍ତି ଯେ, ଏବେ ନାରୀମାନେ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ସଫଳତା ଅର୍ଜନ କରିବା ସହ ନେତୃତ୍ତ୍ୱ ନେଉଛନ୍ତି । ଏହାକୁ ଆହୁରି କ୍ରିୟାଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଅନେକ ଦୂରଦୃଷ୍ଟିସଂପନ୍ନ କାର୍ଯ୍ୟକ୍ରମ ଓ ଯୋଜନା କାର୍ଯ୍ୟକାରୀ କରାଯାଉଛି । ନିକଟରେ ସଂମ୍ବିଧାନ ସଂଶୋଧନ କରି ନାରୀଶକ୍ତି ବନ୍ଦନ ଅଧିନିୟମ ଆଣି ନାରୀଶକ୍ତିର ଉପଯୋଗ ଓ ପ୍ରୟୋଗକୁ ସଶକ୍ତ କରାଯାଇଛି । ନାରୀଶକ୍ତିର ସମ୍ମାନ ଓ ଅଧିକାର ପାଇଁ ସରକାରଙ୍କ ପ୍ରତିବଦ୍ଧତା ଓ ଆନ୍ତରିକତା ବେଶ୍ ପ୍ରେରଣାଦାୟୀ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି ୨୦୨୦ ଏକ ପ୍ରଗତିଶୀଳ ପ୍ରୟାସ । ଜ୍ଞାନ ଆଧାରିତ ବ୍ୟବସ୍ଥାକୁ ଏହା ସୁଦୃଢ଼ କରିବ । ଦକ୍ଷତା ଓ କୌଶଳ ବିକାଶଠୁ ଆରମ୍ଭ କରି ମାତୃଭାଷାରେ ଶିକ୍ଷାଦାନ ଏବଂ ନବସୃଜନ ଓ ଅନୁସନ୍ଧାନକୁ ପ୍ରୋତ୍ସାହନ ମାଧ୍ୟମରେ ଦେଶ ଉଜ୍ଜଳ ଭବିଷ୍ୟତକୁ ଯାତ୍ରା କରିବ । ଏକ ବିକଶିତ ଓ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ନାରୀଶକ୍ତିର ଗରିଷ୍ଠ ଭୂମିକା ରହିଛି ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି ।
ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାତ୍ରା ବେଶ୍ ଅର୍ଥପୂର୍ଣ୍ଣ ଓ ପ୍ରେରଣା ପ୍ରଦାୟକ । ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ବିଶ୍ୱବିଦ୍ୟାଳୟର ଅବଦାନ ଉଲ୍ଲେଖନୀୟ । ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ନେଇ ଏ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ଭବିଷ୍ୟତର ଆହ୍ୱାନ ଓ ଆବଶ୍ୟକତାକୁ ସାମ୍ନା କରିବାକୁ ପ୍ରସ୍ତୁତି ସଂପର୍କରେ ଆତ୍ମସମୀକ୍ଷା ହିଁ ଆଜିର ଅନୁଚିନ୍ତା । ମା’ ରମାଦେବୀ ଚିର ପ୍ରେରଣାର ଉତ୍ସ । ତାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଗଢ଼ିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି ।
ରାଜ୍ୟପାଳ ଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ସଫଳତାରେ ଅତି ଉଲ୍ଲସିତ ହୁଅ ନାହିଁ କି ବିଫଳତାରେ ଭାଙ୍ଗି ପଡନାହିଁ । ନିଜ ଉପରେ ଆସ୍ଥା ଓ ଭରସା ରଖ । ଅନ୍ୟ କାହା ସହିତ ନୁହେଁ ନିଜ ସହ ପ୍ରତିଦ୍ୱନ୍ଦିତା କରିବାକୁ ରାଜ୍ୟପାଳ କହିଛନ୍ତି ।
ପ୍ରତିଷ୍ଠା ଦିବସ ସମାରୋହରେ ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ, କୁଳସଚିବ ଶ୍ୟାମଳୀ ମହାପାତ୍ର, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଚଣ୍ଡୀ ଚରଣ ରଥ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ସୂଚନା ଦେଇଥିଲେ । ଉତ୍ସବରେ ଦକ୍ଷିଣ କୋରିଆର ବୌଦ୍ଧ ସନ୍ନ୍ୟାସୀ ଭେନ୍. ସୀମ୍ ସାନ୍ ମାନବ କଲ୍ୟାଣରେ ମହିଳାଙ୍କ ଯୋଗଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସମ୍ମାନନୀୟ ଅତିଥି ତଥା “ସ୍ୱାଭିମାନ’ର ପ୍ରତିଷ୍ଠାତା ଓ ମୁଖ୍ୟନିର୍ବାହୀ ଶ୍ରୁତି ମହାପାତ୍ର ନିଜ ଜୀବନ ଯାତ୍ରାର ଅନୁଭବ ଓ ଉପଲବ୍ଧି ପ୍ରକାଶ କରିଥିଲେ । ଏହି ଅବସରରେ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ପୁସ୍ତକ ଉନ୍ମୋଚିତ ହେବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ରାଜ୍ୟପାଳ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କ ଦ୍ୱାରା ମା’ ରମାଦେବୀ ମ୍ୟୁଜିଅମ ଉଦ୍ଘାଟିତ ହୋଇଥିଲା ।