ଭୁବନେଶ୍ୱର : ରାଜ୍ୟର ଯୁବକ ଯୁବତୀଙ୍କ ନାମ ପଞ୍ଜିକରଣ ସହିତ ସେମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବାପାଇଁ ଥିବା ଓଡିଶା ନିୟୋଜନ ନିର୍ଦ୍ଦେଶାଳୟରେ ଏବେ କର୍ମଚାରୀ ମରୁଡି ଅବସ୍ଥା । ନିର୍ଦ୍ଦେଶାଳୟରେ ଥିବା ବିଭିନ୍ନ ବର୍ଗର ପଦବୀ ମଧ୍ୟରୁ ୩୮୭ଟି ଖାଲି ପଡିଥିବାବେଳେ ଏଠାରେ ୧୬ଜଣ ଅବସରପ୍ରାପ୍ତ କର୍ମଚାରୀ କାର୍ଯ୍ୟ ତୁଲାଉଛନ୍ତି ।
ନିୟୋଜନ ନିର୍ଦ୍ଦେଶାଳୟରେ ରହିଛି ୫୭୨ଟି ମଞ୍ଜୁରୀପ୍ରାପ୍ତ ପଦବୀ । ଏଥିରୁ ଖାଲି ପଡିଛି ୩୮୭ଟି । ତେବେ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ମଙ୍ଗ ଧରୁଥିବା ତୃତୀୟ ଶ୍ରେଣୀର ୨୧୦ଟି ପଦବୀ ମଧ୍ୟରୁ ୧୭୨ ପଦବୀ ଫାଙ୍କା ପଡିଛି । ସେହିଭଳି ପ୍ରଥମଶ୍ରେଣୀ ପାହ୍ୟାର ୧୧ଟି ପଦବୀ ମଧ୍ୟରୁ ୨ଟି ଫାଙ୍କା ପଡିଥିବାବେଳେ ଦ୍ୱିତୀୟ ଶ୍ରେଣୀର ୧୮୫ ପଦବୀ ମଧ୍ୟରୁ ୯୮ଟି ଫାଙ୍କା । ନିର୍ଦ୍ଦେଶାଳୟରେ ଚତୁର୍ଥ ଶ୍ରେଣୀରେ ୧୬୬ଟି ପଦବୀ ମଧ୍ୟରୁ ୧୧୫ଟି ଖାଲି ପଡିଛି ।
କେବଳ ନିୟୋଜନ ନିର୍ଦ୍ଦେଶାଳୟ ନୁହେଁ ଖୋଦ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ବି ପାଖପାଖି ଅଧା ପଦବୀ ଖାଲି ପଡିଛି । ମୋଟ୍ ୫୭ ପଦବୀରୁ ୨୭ଟି ଖାଲି । ଏଠାରେ ୯ ଜଣ ଅବସରପ୍ରାପ୍ତ କର୍ମଚାରୀ ମଙ୍ଗ ଧରିଛନ୍ତି । ବିଭାଗରେ ଦ୍ୱିତୀୟଶ୍ରେଣୀ ପାହ୍ୟାର ୩୪ଟି ପଦବୀ ମଧ୍ୟରୁ ୨୩ଟି ଖାଲି ପଡିଛି । ବିଭାଗରେ ଥିବା ଗୋଟିଏ ଚତୁର୍ଥଶ୍ରେଣୀ ପଦବୀ ବି ଖାଲି ପଡିଛି ।
ସେହିଭଳି ବୈଷୟିକ ଶିକ୍ଷା ନିର୍ଦ୍ଦେଶାଳୟରେ ଥିବା ୨୨୦ ପଦବୀ ମଧ୍ୟରୁ ୧୦୮ଟି ଖାଲି ପଡିଛି । ଏହି ନିର୍ଦ୍ଦେଶାଳୟରେ ପ୍ରଥମଶ୍ରେଣୀ ପାହ୍ୟାର ୧୮ଟି ପଦବୀ ମଧ୍ୟରୁ ୯ଟି ଖାଲି ପଡିଥିବାବେଳେ ଦ୍ୱିତୀୟଶ୍ରେଣୀ ପାହ୍ୟାର ୧୨୯ଟି ପଦବୀ ମଧ୍ୟରୁ ୫୪ଟି ଖାଲି ପଡିଛି । ସେହିଭଳି ଏଠାରେ ତୃତୀୟଶ୍ରେଣୀ ପାହ୍ୟାରେ ଥିବା ୪୪ଟି ପଦବୀ ମଧ୍ୟରୁ ୩୧ଟି ପଦବୀ ଖାଲି । ତେବେ କାମ ଚଳାଇବାପାଇଁ ନିର୍ଦ୍ଦେଶାଳୟରେ ୧୩ ଜଣ ଅବସରପ୍ରାପ୍ତ କର୍ମଚାରୀ ନିୟୋଜିତ ହୋଇଛନ୍ତି ।
ତେବେ ସବୁଠାରୁ ଅଧିକ ୧୩୫ଜଣ ଠିକା କର୍ମଚାରୀ ସରାଙ୍ଗ ଠାରେ ଥିବା ଆଇଜିଆଇଟିରେ କାର୍ଯ୍ୟ କରୁଛନ୍ତି । ଏଠାରେ ଥିବା ମୋଟ୍ ୩୩୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୭୪ଟି ଖାଲି ପଡିଛି । ଓଡିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟରେ ୮୩ଜଣ ଠିକା କର୍ମଚାରୀ ଅଛନ୍ତି । ଏଠାରେ ଥିବା ୧୮୫ଟି ଶିକ୍ଷକ ପଦବୀ ମଧ୍ୟରୁ ୯୩ଟି ଖାଲି ପଡିଥିବାବେଳେ ୯୯ଟି ଅଣଶିକ୍ଷକ ପଦବୀ ମଧ୍ୟରୁ ୫୨ଟି ଖାଲି ପଡିଛି ।
କଟକ ଠାରେ ଥିବା ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ପ୍ରତିଷ୍ଠାନରେ ୨୨ଟି ପଦବୀ ମଧ୍ୟରୁ ୮ଟି ଖାଲି ପଡିଛି । ଏଠାରେ ୧୨ ଠିକା କର୍ମଚାରୀ ଏକ ପ୍ରକାର ସଂସ୍ଥା ସମ୍ଭାଳିଛନ୍ତି । ଏଠାରେ ଦ୍ୱିତୀୟଶ୍ରେଣୀ ପାହ୍ୟାରେ ଥିବା ୧୪ଟି ପଦବୀ ମଧ୍ୟରୁ ୫ଟି ଖାଲି ପଡିଛି ।
ତେବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଦପ୍ତରରେ କାର୍ଯ୍ୟ ଚଳାଇବାପାଇଁ ବିଭିନ୍ନ ସଂସ୍ଥାରୁ କର୍ମଚାରୀ ଅଣାଯାଇଛି । ଏଥି ମଧ୍ୟରେ ଅଧିକାଂଶ ହେଉଛି ସୁରକ୍ଷା ଏଜେନି୍ସ ଓ କର୍ମଚାରୀ ଯୋଗାଣ ସଂସ୍ଥା । ଏମାନେ ବର୍ଷକୁ ୧୦ରୁ ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ନେଉଛନ୍ତି । ତେବେ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ନିୟମିତ ନିଯୁକ୍ତି ଦେବା ବଦଳରେ ବିଭିନ୍ନ ସଂସ୍ଥାରୁ ଠିକା କର୍ମଚାରୀ ଆଣି କାମ ଚଳାଇବାକୁ ଶିକ୍ଷାବିତ୍ମାନେ ନାପସନ୍ଦ କରୁଛନ୍ତି । (ତଥ୍ୟ)