Home Culture ଆଖଣ୍ଡଳମଣି ପୀଠ ପାଇଁ ୨୮କୋଟି

ଆଖଣ୍ଡଳମଣି ପୀଠ ପାଇଁ ୨୮କୋଟି

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାବା ଅଖଣ୍ଡଳମଣି ମନ୍ଦିରର ପୁନଃବିକାଶ ପାଇଁ ରାଜ୍ୟ ସରକାର ୨୮.୦୪ କୋଟି ଟଙ୍କାର ଥଇଥାନ ଓ ପୁନର୍ବାସ ଯୋଜନାକୁ ଅନୁମୋଦନ କରିଛନ୍ତି । ନିକଟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ଏହି ଯୋଜନାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନୀତିଗତ ଅନୁମୋଦନ ଦେଇଥିଲେ ।

ଏହି ଯୋଜନାର ଅନୁମୋଦନ ପରେ ବାବା ଅଖଣ୍ଡଳମଣି ମନ୍ଦିର ପରିସରର ପୁନଃର୍ନିମାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧.୬୯୫ ଏକରର ଘରୋଇ ଜମି, ଟ୍ରଷ୍ଟ ବୋର୍ଡ ଜମି ଓ ଦେବତ୍ତୋର ଜମିକୁ ସିଧାସଳଖ କ୍ରୟ ଏବଂ ୯୮ ପରିବାରକୁ ଥଇଥାନ ଓ ପୁର୍ନବାସ ସହାୟତା ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି । ଆବଶ୍ୟକ ଜମି କିଣିବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କେତେକ ସର୍ତ୍ତ ଧାର୍ଯ୍ୟ କରାଯାଇଛି ।

ଅନୁସୂଚିତ ଜାତି ଓ ଜନଜାତି ମାଲିକଙ୍କଠାରୁ ଜମି କିଣିବା ସମୟରେ ପୂର୍ତ୍ତ ବିଭାଗ ସଂପୃକ୍ତ ଅଧିକାରୀମାନଙ୍କୁ ଯଥେଷ୍ଟ ଅନୁଧ୍ୟାନ କରିବାକୁ କହିଥିବା ବେଳେ ବୁଝାମଣା ତାରିଖରୁ କ୍ରୟ ତାରିଖ ପର୍ଯ୍ୟନ୍ତ କେବଳ ଜମିର ମୂଳ ବେଞ୍ଚ ମାର୍କ ମୂଲ୍ୟ ଉପରେ ବାର୍ଷିକ ୧୨ ପ୍ରତିଶତ ଅତିରିକ୍ତ ବଜାର ମୂଲ୍ୟ ଦିଆଯିବ । ନିକଟସ୍ଥ ଗ୍ରାମ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜମି କିସମର ହାରାହାରି ବିକ୍ରୟ ମୂଲ୍ୟ ବୋଲି ବିଭାଗ କହିଛି ।

ଥଇଥାନ ଏବଂ ପୁର୍ନବାସ ଯୋଜନା ଅନୁଯାୟୀ ୯୮ଟି ପ୍ଲଟ୍ ମଧ୍ୟରୁ ୫୪ଟି ପ୍ଲଟ୍ ଘରୋଇ ବ୍ୟକ୍ତିଙ୍କ ମାଲିକାନାରେ ଥିବା ବେଳେ ୨୦ଟି ପ୍ଲଟ୍ ଟ୍ରଷ୍ଟ ବୋର୍ଡର ଏବଂ ବାକି ୨୪ଟି ପ୍ଲଟ୍ ଦେବତ୍ତୋର ସଂସ୍ଥା ନାମରେ ରହିଛି । କ୍ଷତିଗ୍ରସ୍ତ ପରିବାରକୁ ୨୬.୨୯ କୋଟି ଟଙ୍କା, ସ୍ଥାନାନ୍ତର ପାଇଁ ସହାୟତା ବାବଦରେ ୧.୦୨ କୋଟି ଟଙ୍କା ଏବଂ ରକ୍ଷଣାବେକ୍ଷଣ ଭତ୍ତା ବାବଦରେ ୪୮.୯୯ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ସେହିପରି ଅସ୍ଥାୟୀ ସେଡ୍ ପାଇଁ ୨ ଲକ୍ଷ ୪୦ ହଜାର ଟଙ୍କା ଓ ପରିବହନ ପାଇଁ ୪ ଲକ୍ଷ ୮ ହଜାର ୨୬୮ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ସମୁଦାୟ ଥଇଥାନ ଓ ପୁର୍ନବାସର ପରିମାଣ ୧,୭୫,୫୬,୧୧୨ ଟଙ୍କା ରହିଛି ।

୫-ଟି ଅଭିଯାନର ଅଂଶ ସ୍ୱରୂପ ରାଜ୍ୟ ସରକାର ଭଦ୍ରକର ପ୍ରସିଦ୍ଧ ଶୈବ ପୀଠର ପୁନଃବିକାଶ ପାଇଁ ମୋଟ ୪୨ କୋଟି ଟଙ୍କା ବ୍ୟୟ ଅଟକଳ କରୁଛନ୍ତି । ଗତ ମାସରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏହି ପବିତ୍ର କାର୍ଯ୍ୟ ପାଇଁ ଭୂମି ପୂଜନ କରାଯାଇଥିଲା । (ତଥ୍ୟ)