ଭୁବନେଶ୍ୱର : ରାଜ୍ୟ ସରକାର ମିଶନ ଶକ୍ତି ଗ୍ରୁପ୍ (ଏମଏସଜି) ପାଇଁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସୁଧମୁକ୍ତ ଋଣ ଘୋଷଣା କରିଛନ୍ତି। ମିଶନ ଶକ୍ତି ଗ୍ରୁପର ବ୍ୟାଙ୍କ ସଂୟୋଗ ପାଇଁ ପଦକ୍ଷେପ ନିଆଯିବ । ଏହି ପରିପ୍ରେକ୍ଷୀରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି ।
ଜିଲାପାଳ, ମ୍ୟୁନିସିପାଲ କମିଶନର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ସୁଧ ରିହାତି ସୁବିଧା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ମିଶନ ଶକ୍ତି ଦଳ ଏବଂ ବ୍ୟାଙ୍କରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଅଭିୟାନ ଆୟୋଜନ କରିବା ଲାଗି କୁହାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ ମିଶନ ଶକ୍ତି ବିଭାଗ ପକ୍ଷରୁ ରାଜ୍ୟର ଏମ୍ ଏସ୍ ଜି ମହିଳାଙ୍କୁ ସୁଧ ରିହାତି ପ୍ରଦାନ ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମଧ୍ୟ ମିଶନ ଶକ୍ତି ଋଣ ଯୋଜନା ଅଧୀନରେ ସୁଧ ରିହାତି ସୁବିଧା ପ୍ରଦାନ କରିବା ପାଇଁ ମୁକ୍ତା ଅଧୀନରେ ଏସଏଚଜି ବ୍ୟାଙ୍କ ଲିଙ୍କେଜ୍ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛି।
ମୁକ୍ତା ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ଯକାରୀ ସଂସ୍ଥା ଭାବେ ମନୋନୀତ ମିଶନ ଶକ୍ତି ଗ୍ରୁପ୍ ଗୁଡିକ ବ୍ୟାଙ୍କ ଋଣ ଖିଲାପକାରୀ ନୁହନ୍ତି ବୋଲି କୁହାଯାଇଛି। ଏହି ସର୍ତ୍ତକୁ କଡାକଡି ଯାଞ୍ଚ କରାଯିବା ଆବଶ୍ୟକ ଏବଂ ଯାଞ୍ଚ କମିଟି ଦ୍ୱାରା ପ୍ରମାଣିତ କରାଯିବା ଆବଶ୍ୟକ ଏବଂ ଚୟନ କମିଟି ପୁଣିଥରେ ପୌରସଂସ୍ଥା ସ୍ତରରେ ଏହି ଦିଗକୁ ଯାଞ୍ଚ କରିବା ଉଚିତ ଏବଂ ସୁନିଶ୍ଚିତ କରିବା ଉଚିତ ଯେ କାର୍ଯ୍ୟକାରୀ ଏଜେନ୍ସି ବ୍ୟାଙ୍କ ଖିଲାପକାରୀ ନୁହନ୍ତି । ସମ୍ପୃକ୍ତ ସବୁ ଅଧିକାରୀ , ସି ଏମ୍ଏମ୍ , ସି ଓ ଏବଂ ୧୧୫ ପୌରସଂସ୍ଥା ର ମୁକ୍ତା ଟିମଗୁଡିକ ୨୦୨୩-୨୪ ପାଇଁ କାର୍ଯ୍ୟକାରୀ ଏଜେନ୍ସି ଭାବରେ କାର୍ଯ୍ୟ ଆଦେଶ ଦିଆୟାଇଥିବା ସମସ୍ତ ଏସ୍ ଏସ୍ ଜି ର ବ୍ୟାଙ୍କ ଲିଙ୍କେଜ୍ ସୁନିଶ୍ଚିତ କରିବା ପାଇଁ ସକ୍ରିୟ ପଦକ୍ଷେପ ନେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।