ଭୁବନେଶ୍ୱର : ବିଧାନସଭାର ଚଳିତ ଅଧିବେଶନ ଚାରି ଦିନରେ ସରି ଯାଇଛି । ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଆଜି ସରିଥିବାବେଳେ ଏହି ଚାରିଦିନରେ ଗୃହ କାର୍ଯ୍ୟ ମାତ୍ର ଦେଢ ଦିନ ପାଇଁ ଚାଲିପାରିଥିଲା ।
ପ୍ରଥମ ଦିନରେ ପୂର୍ବତନ ସଦସ୍ୟ ଓ ସୁରକ୍ଷାକର୍ମୀମାନଙ୍କ ପାଇଁ ଗୃହରେ ଶୋକ ପ୍ରକାଶ କରାଯିବା ସହିତ ସେମାନଙ୍କ ସମ୍ମାନାର୍ଥେ ଗୃହକୁ ଦିନକ ପାଇଁ ମୁଲତବି ଘୋଷଣା କରାଯାଇଥିଲା ।
ଦ୍ୱିତୀୟ ଦିନରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗକୁ ନେଇ ହଟଗୋଳ କରିବା ଫଳରେ ଗୃହରେ କୌଣସି କାର୍ଯ୍ୟହୋଇ ପାରିନଥିଲା । ବାରମ୍ବାର ମୁଲତବି ସହିତ ସର୍ବଦଳୀୟ ବୈଠକ ଡକାଯାଇଥିଲା । ତେବେ ସେଥିରୁ କୌଣସି ସୁଫଳ ମିଳିନଥିଲା ।
ତୃତୀୟ ଦିନର ପ୍ରଥମାର୍ଦ୍ଧଟି ମଧ୍ୟ ବିରୋଧି ସଦସ୍ୟଙ୍କ ହଟଗୋଳ ଯୋଗୁଁ ଚାଲିପାରିନଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧି ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ହଟଗୋଳ କରିବାରୁ ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ କେବଳ ଭୂସଂସ୍କାର ସଂଶୋଧନ ବିଲ୍ଟି ଗୃହରେ ଆଗତ ହୋଇପାରିଥିଲା ।
ତେବେ ଚତୁର୍ଥ ଅର୍ଥାତ୍ ଶେଷ ଦିନରେ ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ଶିଳ୍ପ ପ୍ରତିଷ୍ଠା ସଂକ୍ରାନ୍ତରେ ପ୍ରଥମ ପ୍ରଶ୍ନଟି ଉପରେ ୪୫ମିନିଟ୍ରୁ ଅଧିକ ସମୟ ଆଲୋଚନା ହୋଇଥିଲା ଓ ଏଥିରେ ସଂଖ୍ୟାଧିକ ସଦସ୍ୟ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ । ଦ୍ୱିତୀୟ ପ୍ରଶ୍ନଟି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କୁ ପଚରା ଯାଇଥିବାବେଳେ ଏଥିରେ କେବଳ ପ୍ରଶ୍ନକର୍ତ୍ତା ପ୍ରଶ୍ନ କରିବାର ସୁଯୋଗ ପାଇଥିଲେ ଓ ମନ୍ତ୍ରୀଙ୍କ ଦୀର୍ଘ ଉତ୍ତର ସହିତ ପ୍ରଶ୍ନକାଳର ଅବଧି ସରି ଯାଇଥିଲା ।
ଶୂନ୍ୟକାଳରେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝି ଲୋୟର ପିଏମ୍ଜିରେ ବସିଥିବା ଆନ୍ଦୋଳନକାରୀମାନଙ୍କ ଅଭିଯୋଗ ଶୁଣିବାପାଇଁ ସରକାର କାହିଁକି ସେମାନଙ୍କ ନିକଟକୁ ଯାଉ ନାହାନ୍ତି ବୋଲି ପ୍ରଶ୍ନ କରିଥିଲେ ? ସେହିଭଳି କଂଗ୍ରେସ ବିଧାୟକଦଳ ନେତା ସରକାର ନିଜର ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବା କହିବା ସହିତ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବାର ବର୍ଷକ ପରେ ମଧ୍ୟ ପଦ୍ମପୁର ଜିଲ୍ଲା ଗଠନ ପ୍ରକ୍ରିୟା ଆଦୌ ଆରମ୍ଭ ହୋଇନଥିବା କହିଥିଲେ । ସେହିଭଳି ଶ୍ରୀ ମିଶ୍ର ମଧ୍ୟ ବେଦାନ୍ତ ଜମି ଫେରସ୍ତ ପ୍ରସଙ୍ଗ ଉଠାଇଥିଲେ ।
ଶେଷ ଦିନରେ ଆଦିବାସୀଙ୍କ ଜମି ବିକ୍ରି ପ୍ରସଙ୍ଗରେ ବିରୋଧିଦଳ ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା । ଅପରାହ୍ନ ଅଧିବେଶନରେ ଶାସକଦଳର ମୁଖ୍ୟ ସଚେତକ ବିଧାନସଭା ଅଧିବେଶନ ସମାପ୍ତ ପାଇଁ ପ୍ରସ୍ତାବ ଆଣିଥିଲେ ଓ ଏହା ସପକ୍ଷରେ ବହୁମତ ପ୍ରକାଶ ପାଇବାରୁ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବି ଘୋଷଣା କରିଥିଲେ ।
ଏହି ଚାରିଦିନ ମଧ୍ୟରେ ଗୃହରେ ଭାଷାକୁ ନେଇ ରୋଚକ ଘଟଣା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ଯେତେବେଳେ କହିବାର ସୁଯୋଗ ପାଉଥିଲେ ସେ କୋଶଳୀ ଭାଷାରେ କହୁଥିଲେ । ତେବେ ଅନ୍ତିମ ଦିନରେ ପ୍ରଶ୍ନତ୍ତୋର ସମୟରେ ଶ୍ରୀ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ କରିଥିବାବେଳେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ମଧ୍ୟ କୋଶଳୀ ଭାଷାରେ ତାହାର ଉତ୍ତର ରଖିଥିଲେ ।
ଉଲ୍ଲେଖନୀୟ ଯେ ବିଧାନସଭା ଅଧିବେଶନ ପୂର୍ବରୁ ଅନୁଷ୍ଠିତ ବୈଠକରେ କୋଶଳୀ ଭାଷାରେ କହିବାପାଇଁ ସୁଯୋଗ ଦେବାକୁ କଂଗ୍ରେସ ବିଧାୟକ ଶ୍ରୀ ମିଶ୍ର ଦାବି କରିଥିବାବେଳେ ଏହି ଭାଷାର ଅନୁବାଦକ ଓ କ୍ଷୀପ୍ରଲିଖକ ନଥିବାରୁ ତାହା ସମ୍ଭବନୁହେଁ ବୋଲି କୁହାଯାଇଥିଲା । କିନ୍ତୁ ବିଧାନସଭାରେ ଭିତରେ ଉଭୟ ପ୍ରଶ୍ନ ଓ ଉତ୍ତର କୋଶଳୀ ଭାଷାରେ ଚାଲିଥିବା ଦେଖିବାକୁ ମିଳିଥିଲା ।
ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ଅଧିବେଶନ ହଠାତ୍ ଚାରିଦିନ ପରେ ସରିବାକୁ ନେଇ ବିଧାନସଭା ବାହାରେ ବିରୋଧି ଓ ଶାସକଦଳର ସଦସ୍ୟମାନେ ମତ ରଖିଥିଲେ । ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନିପତି ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଥିବାବେଳେ ଶାସକଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ସେଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଗୃହକୁ ବନ୍ଦ କରାଗଲା ବୋଲି କହିଥିଲେ ।
ତେବେ ଏହି ୪ଦିନର କାର୍ଯ୍ୟକାଳ ମଧ୍ୟରେ ଗୃହରେ ୪ଟି ତାରକା ଓ ୫୯୯ଟି ଅଣତାରକା ପ୍ରଶ୍ନର ଉତ୍ତର ରଖାଯାଇଥିଲା । ଗୋଟିଏ ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୫୪ଟି କାଗଜ ଉପସ୍ଥାପନ ହୋଇଥିଲା । ଏଥି ସହିତ ୧୭ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଗୋଟିଏ ବିଲ୍ ଉପସ୍ଥାପନ ହେବା ସହିତ ତାହା ଗୃହର ଅନୁମୋଦନ ଲାଭ କରିଥିଲା । ସେହିଭଳି ୫ଟି ବେସରକାରୀ ବିଲ୍ ଆଗତ ହୋଇଥିବାବେଳେ ଗୋଟିଏ ବିଲ୍ ଉପରେ ଆଲୋଚନା ହୋଇଥିଲା ।