ଭୁବନେଶ୍ୱର : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନସ୍ଥ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଅଛି ।
ଏସ୍ଆଇଆର୍ଡି ଆଣ୍ଡ ପିଆର୍ ର ନିର୍ଦ୍ଦେଶକ ଓ ଓଏସଡମା, ୟୁନିସେଫ, ୟୁଏନଡିପି, ୟୁଏନଏଫପିଏ, ଏସଭି-ନିରତାର, ପ୍ରଦାନ, ଏଫଇଏସ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।
ବୁଝାମଣା ପତ୍ର ସ୍ୱାକ୍ଷରର ଉଦ୍ଦେଶ୍ୟ ହେଲା ରାଜ୍ୟରେ ଅଧିକରୁ ଅଧିକ ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ରୂପେ ଗଢି ତୋଳି ସେମାନଙ୍କୁ ଉତ୍କର୍ଷ କେନ୍ଦ୍ର ଭାବେ କାର୍ଯ୍ୟକ୍ଷମ କରିବା । ପୁନଶ୍ଚ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସେବା ପ୍ରଦାନ ବ୍ୟବସ୍ଥାକୁ ସଶକ୍ତ କରି ଗ୍ରାମପଞ୍ଚାୟତଗୁଡିକ ଆଇଏସଓ ସାର୍ଟିଫିକେସନ ସ୍ୱୀକୃତି ପାଇବା ଦିଗରେ ସହାୟକ ହେବା ।
ଆଜିର ଏହି କାର୍ଯ୍ୟକ୍ରମରେ ଏସ୍ଆଇଆର୍ଡି ଆଣ୍ଡ ପିଆର୍ ର ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ର କୁମାର ମୀନା ସ୍ୱାଗତ ଅଭିଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପୁନଶ୍ଚ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ରାଜ୍ୟ ସରକାର ହାସଲ କରିଥିବା ଗତବର୍ଷର ସଫଳତା ଓ ଆଗାମୀ ଦିନର ପରିକଳ୍ପନା ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ତନ୍ମଧ୍ୟରେ ଜାତୀୟ ପଞ୍ଚାୟତ ପୁରସ୍କାରରେ ରାଜ୍ୟର ଅନନ୍ୟ ସଫଳତା, ସରକାରଙ୍କ ବିଭିନ୍ନ ଅଭିନବ ପ୍ରୟାସର ୫୪ଟି ଡକୁମେଣ୍ଟାରୀ ଫିଲ୍ମ ସର୍ବଭାରତୀୟ ସ୍ତରରେ ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହେବା ଅନ୍ୟତମ ।
ଗ୍ରାମପଞ୍ଚାୟତ ପ୍ରଶାସନକୁ ପ୍ରଭାବଶାଳୀ କରିବା ପାଇଁ ସଂପ୍ରତି ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ଆଇଏସଓ ସାର୍ଟିଫିକେସନ, ପଞ୍ଚାୟତ ଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ଉପରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଦେଇଥିଲେ । ସେ ପୁନଶ୍ଚ ୧ଲକ୍ଷରୁ ଊଦ୍ଧ୍ୱର୍ ଜନପ୍ରତିନିଧିଙ୍କୁ ସେମାନଙ୍କ ଦାୟିତ୍ୱ ଗ୍ରହଣର ୬ ମାସ ମଧ୍ୟରେ ଏସ୍ଆଇଆର୍ଡି ଆଣ୍ଡ ପିଆର୍ ଦ୍ୱାରା ପ୍ରାରମ୍ଭିକ ପ୍ରଶିକ୍ଷଣ ପ୍ରଦାନକୁ ସଂପୂର୍ଣ୍ଣ କରାଯାଇଥିବାରୁ ଏହା ଆମ ପାଇଁ ଏକ ଐତିହାସିକ ସଫଳତା ବୋଲି ସେ ପ୍ରକାଶ କରିଥିଲେ ।
ଏସ୍ଆଇଆର୍ଡି ଆଣ୍ଡ ପିଆର୍ ସ୍ୱତନ୍ତ୍ର ପ୍ରଶିକ୍ଷଣ ରଣନୀତି ଆପଣାଇ ବିଭିନ୍ନ ବିଷୟ ଯଥା ଜାତୀୟ ପଞ୍ଚାୟତ ପୁରସ୍କାର, ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ, ପିପୁଲ୍ସ ପ୍ଲାନ କ୍ୟାମ୍ପେନ ଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମଗୁଡିକୁ ଗ୍ରାମ ପର୍ଯ୍ୟନ୍ତ ପହଂଚାଯାଇଛି । ତେଣୁ ବର୍ତ୍ତମାନ ବିଭାଗ ଦ୍ୱାରା ଭିଲେଜ ୱାଟର ସାନିଟେସନ କମିଟି ସଦସ୍ୟମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି କାର୍ଯ୍ୟକ୍ରମରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଉପସ୍ଥିତ ଥିବା ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାର ମୁଖ୍ୟ ଯଥା ୟୁନିସେଫ୍ର ମୁଖ୍ୟ ଫିଲ୍ଡ ଅଫିସର ୱିଲିୟମ୍ ଜେ. ହାନ୍ଲୋନ୍, ୟୁଏନ୍ଡିପିର ରାଜ୍ୟ ମୁଖ୍ୟ ଆଭା ମିଶ୍ର, ୟୁଏନ୍ଏଫ୍ପିଏର ଓଡ଼ିଶା ରାଜ୍ୟ ମୁଖ୍ୟ ମହମ୍ମଦ ନଦିମ୍ ନୁର୍, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା, ଏସ୍ଭିନିର୍ତାର୍ର ନିର୍ଦ୍ଦେଶକ ଡ. ପି.ପି. ମହାନ୍ତି, ଏଫ୍ଇଏସ୍ର ରାଜ୍ୟ ମୁଖ୍ୟ ମୀନା ଦାସ ମହାପାତ୍ର, ‘ପ୍ରଦାନ’ର ରାଜ୍ୟ ମୁଖ୍ୟ ଅଜିତ କୁମାର ନାୟକ ପ୍ରମୁଖ ରାଜ୍ୟରେ ଦକ୍ଷତା ବୃଦ୍ଧି ଜରିଆରେ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସହ ସାମିଲ ହୋଇଥିବାରୁ କୃତଜ୍ଞତା ଜଣାଇ ସେମାନଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତଙ୍କ ଦ୍ୱାରା ଏସଡିଜି ସମ୍ବଳିତ ୯ ଗୋଟି ପ୍ରଶିକ୍ଷଣ ପୁସ୍ତିକା, ଆଇଏସଓ ସାର୍ଟିଫିକେସନ ଓ ପଞ୍ଚାୟତ ଲର୍ଣ୍ଣିଂ ସେଣ୍ଟର ମାର୍ଗଦର୍ଶିକା ଓ ନବ ନିଯୁକ୍ତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଗ୍ରାମପଞ୍ଚାୟତ ବିକାଶ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ପାଇଁ ପ୍ରଶିକ୍ଷଣ ପୁସ୍ତିକାର ଶୁଭ ଉନ୍ମୋଚନ ହୋଇଥିଲା । ମନ୍ତ୍ରୀ ଶ୍ରୀ ଅମାତ ତାଙ୍କ ଅଭିଭାଷଣରେ ପଞ୍ଚାୟତ ସଶକ୍ତିକରଣ କାର୍ଯ୍ୟ ନିମନ୍ତେ ସରକାରଙ୍କୁ ସହଯୋଗ କରିଥିବା ସମସ୍ତ ସଂସ୍ଥାକୁ ଧନ୍ୟବାଦ ଜଣାଇଥିଲେ ।
ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିକେନ୍ଦ୍ରୀକରଣର ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଇଛି । ୭୩ ତମ ସାମ୍ବିଧାନ ସଂଶୋଧନ ଜରିଆରେ ଗ୍ରାମାଞ୍ଚଳରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜକୁ ଆମ ସଂଘୀୟ ଶାସନ ବ୍ୟବସ୍ଥାରେ ସଂଯୋଗ କରି ଆମେ ସମଗ୍ର ବିଶ୍ୱରେ ଇତିହାସ ସୃଷ୍ଟି କରିଛୁ ବୋଲି ସେ ପ୍ରକାଶ କରିଥିଲେ । ଗ୍ରାମୀଣ ବିକାଶ କ୍ଷେତ୍ରରେ ପ୍ରମୁଖ ଅଂଶୀଦାର ଶିଶୁ ଓ ମହିଳାମାନଙ୍କ ସାମଗ୍ରୀକ ବିକାଶ ଲକ୍ଷ୍ୟରେ ଗ୍ରାମପଞ୍ଚାୟତ ସ୍ତରରେ ବାଲ୍ ସଭା ଓ ମହିଳା ସଭା ପରି ଅଭିନବ ପ୍ରୟାସ ନିମନ୍ତେ ସରକାରଙ୍କ ଦ୍ୱାରା ପଦକ୍ଷେପ ନିଆଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ ।
କାର୍ଯ୍ୟକ୍ରମ ପରିଶେଷରେ ଏସ୍ଆଇଆର୍ଡି ଆଣ୍ଡ ପିଆର୍ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଧରଣୀଧର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦ୍ଦେଶକ (ସ୍ୱତନ୍ତ୍ର ପ୍ରକଳ୍ପ) ଶ୍ରୀ ଜ୍ୟୋତିପ୍ରକାଶ ଦାସ, ନିର୍ଦ୍ଦେଶକ ଶ୍ରୀ ମହେଶ୍ୱର ସ୍ୱାଇଁ, ବରିଷ୍ଠ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧିମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।