ଭୁବନେଶ୍ୱର : ବିଶେଷ ଗୁଣ ଯୋଗୁଁ ମିଲେଟସକୁ ଜଳବାୟୁ ସ୍ମାର୍ଟ ଫସଲ ଭାବରେ ସାଧାରଣରେ ଅଭିହିତ କରାଯାଏ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ଭୁବନେଶ୍ୱରଠାରେ ଆୟୋଜିତ ଅନ୍ତର୍ଜାତୀୟ ମିଲେଟସ ସମ୍ମିଳନୀ ଅବସରରେ କହିଛନ୍ତି ।
ଆଜି କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି ଯେ ଏହି ଲଘୁଶସ୍ୟକୁ ମୁଖ୍ୟଧାରାରେ ସାମିଲ କରିବାରେ ଓଡ଼ିଶାର ଯୋଗଦାନ ଅତ୍ୟନ୍ତ ପ୍ରଶଂସନୀୟ ।
ଲଘୁଶସ୍ୟକୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରହିଆସିଛି । ନିତି ଆୟୋଗ ଏବଂ ଭାରତ ସରକାର ଓଡ଼ିଶା ମିଲେଟ ମିଶନକୁ ବିଭିନ୍ନ ରାଜ୍ୟରେ ପ୍ରୟୋଗ କରିବା ପାଇଁ ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଓଡ଼ିଶା ମିଲେଟ ମିଶନକୁ ଏପରି ଏକ ମଡେଲ ଭାବରେ ଚିହ୍ନଟ କରିଛନ୍ତି, ଯାହାକୁ ପୂରା ଭାରତ, ଆଫି୍ରକା ଓ ଦକ୍ଷିଣ ବିଶ୍ୱରେ ପ୍ରୟୋଗ କରାଯାଇପାରିବ ।
ଏଥି ସହିତ ରାଜ୍ୟପାଳ ଶ୍ରୀ ଦାସ ବିଶ୍ୱାସ ପ୍ରକଟ କରିଥିଲେ ଯେ ଏହି ଅନ୍ତର୍ଜାତୀୟ ସମ୍ମିଳନୀରୁ ବାହାରିଥିବା ନିଷ୍କର୍ଷରୁ ପ୍ରସ୍ତୁତ ନୀତି ରୋଡ୍ମ୍ୟାପ୍ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରରେ ମିଲେଟସର ଭବିଷ୍ୟତ ରୂପରେଖ ପ୍ରଦାନ କରିବ ।
ମାନ୍ୟବର ରାଜ୍ୟପାଳ ଅନ୍ତରାଷ୍ଟ୍ରୀୟ ପୁଷ୍ଟିଶସ୍ୟ ସମ୍ମିଳନୀର ଭବ୍ୟ ଆୟୋଜନ ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରଶଂସା କରିବା ସହିତ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ମିଲେଟସକୁ ପହଞ୍ଚାଇବା କ୍ଷେତ୍ରରେ ହେଉଥିବା ଆମର ପ୍ରୟାସକୁ ସମର୍ଥନ କରୁଥିବା ହିତାଧିକାରୀ ଓ ସଂଗଠନମାନଙ୍କୁ ଧନ୍ୟବାଦ ଦେଇଥିଲେ ।
ଏଥି ସହିତ ମାନ୍ୟବର ରାଜ୍ୟପାଳ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ ଅବସରରେ ଭାରତ ସରକାରଙ୍କ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଓ ଭାରତର ସବୁ ରାଜ୍ୟ ଏବଂ ହିତାଧିକାରୀଙ୍କ ନିକଟରେ ରାଗିର ମହତ୍ତ୍ୱ ସଂପର୍କରେ ସନ୍ଦେଶ ପହଞ୍ଚାଇବା ଦିଗରେ ବ୍ୟାପକ ଅଭିଯାନ ସଂପର୍କରେ ଆଲୋକପାତ କରିଥିଲେ ।
ଉଦ୍ଯାପନୀ ସମାରୋହରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ ଯେ ପୁଷ୍ଟିଶସ୍ୟ ମାଣ୍ଡିଆ ରାଜ୍ୟ କୃଷିର ଏକ ଅଭିନ୍ନ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ମିଲେଟସର ଉତ୍ପାଦନ, ପ୍ରକି୍ରୟାକରଣ ଓ ଲୋକଙ୍କ ଖାଦ୍ୟଥାଳିରେ ପରଷା ଯିବାକୁ ଏକ ନୂଆ ଦିଗ ଦେଇଛି । ଏଥି ସହିତ ଚାଷୀ ଭାଇ ଓ ଭଉଣୀମାନଙ୍କର ଆୟବୃଦ୍ଧି ଓ ମହିଳା ସଶକ୍ତିକରଣ ଦିଗରେ ଏହା ଏକ ପ୍ରମୁଖ ଅସ୍ତ୍ର ଭାବରେ ସାବ୍ୟସ୍ତ ହୋଇଛି ।
ଉତ୍ସବର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଯେ ମାଣ୍ଡିଆର ପୌଷ୍ଟିକତା ସଂପର୍କରେ ଲୋକମାନେ ଅଧିକରୁ ଅଧିକ ସଚେତନ ହେବା ଓଡ଼ିଶା ମିଲେଟସ ମିଶନର ସଫଳତା ଦିଗରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତି୍ରପାଠୀ କହିଲେ ଯେ ଓଡ଼ିଶା ମିଲେଟସ ମିଶନ ପରି ଅନେକ କ୍ଷେତ୍ରରେ ଓଡ଼ିଶା ଆଜି ଭାରତବର୍ଷରେ ନେତୃତ୍ୱ ପ୍ରଦାନ କରୁଛି ।
ଉତ୍ସବରେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ୍ ପୁଷ୍ଟିଶସ୍ୟ ମାଣ୍ଡିଆର ପ୍ରଚାରପ୍ରସାର ଓ ଲୋକଙ୍କ ଖାଦ୍ୟଥାଳିରେ ମାଣ୍ଡିଆ ପହଞ୍ଚାଇବା ଦିଗରେ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଫିକିର ସଭାପତି ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ମାଣ୍ଡିଆର ପ୍ରଚାରପ୍ରସାର ଦିଗରେ ଓଡ଼ିଶା ମିଲେଟସ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ଉଦାହରଣୀୟ ବୋଲି କହିଥିଲେ ।
ପ୍ରାରମ୍ଭରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ମଞ୍ଚରେ ଉପସ୍ଥିତ ଥିଲେ । ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ପୁଷ୍ଟିଶସ୍ୟ ସମ୍ମିଳନୀ ଉପଲକ୍ଷେ ପ୍ରକାଶିତ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ମିଲେଟ ବିଶେଷାଙ୍କ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦିକା କସ୍ତୁରୀ ମହାପାତ୍ର ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲ ଉପସ୍ଥିତ ଥିଲେ । ଏଥି ସହିତ ‘ରିପୋର୍ଟସ ଅନ୍ ମିଲେଟ୍ ଆଣ୍ଡ ଏସ୍ଡିଜି’କୁ ମଧ୍ୟ ମାନ୍ୟବର ରାଜ୍ୟପାଳ ଉନ୍ମୋଚିତ କରିଥିଲେ । ଏହି ସମ୍ମିଳନୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।