ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ଶନିବାର ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ନୂଆ ଦାୟିତ୍ଵ ଗ୍ରହଣ ପରେ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ଵରାନ୍ଵିତ କରି ଡିସେମ୍ବର ୧୫ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ. ଏହା ନୂଆବର୍ଷ ରେ ଭକ୍ତ ମାନଙ୍କୁ ନୂଆ ଅନୁଭବ ଦେବ ବୋଲି ସେ ମତ ବ୍ୟକ୍ତ କରିଥିଲେ ।
ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ପରିକ୍ରମା ପ୍ରକଳ୍ପର ଉଦ୍ୟାନ ଭିତ୍ତିକ ସୌନ୍ଦର୍ଯ୍ୟକରଣ କାମରେ ଜଗନ୍ନାଥ ସଂସ୍କୃତି ସହ ଜଡିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ । ସେ ଶ୍ରୀମନ୍ଦିର ଚାରି ଦ୍ଵାର କାମ ମଧ୍ୟ ବୁଲି ଦେଖିଥିଲେ ।
ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ । ଏତଦବ୍ୟତୀତ ମେଘନାଦ ପାଚେରୀ ପାଖରୁ ବିଭିନ୍ନ ଲୋକଙ୍କ ଆବଶ୍ୟକତା ମେଣ୍ଟାଉଥିବା ଶୌଚାଳୟ, ପାନୀୟଜଳ ଆଦି ବ୍ୟବହାରିକ ବ୍ୟବସ୍ଥା ଗୁଡିକର ସ୍ଥାନାନ୍ତର , ପରିକ୍ରମା ପ୍ରକଳ୍ପ ର ବିଦ୍ୟୁତ୍ ବ୍ୟବସ୍ଥା କାମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଉପରେ ସେ ଗୁରୁତ୍ଵ ଆରୋପ କରିଥିଲେ ।
ଜଗନ୍ନାଥବଲ୍ଳଭ ପାର୍କିଂ କାମ ସହ ଯାତ୍ରୀ ମାନଙ୍କ ପାଇଁ ସେଠାରେ କରାଯାଉଥିବା ବିଭିନ୍ନ ସୁବିଧା ର ବିକାଶ , ପ୍ରମୋଦ ଉଦ୍ୟାନ, ଓ ଶ୍ରୀସେତୁ କାମର ଅଗ୍ରଗତି ଶ୍ରୀ ପାଣ୍ଡିଆନ୍ ସମୀକ୍ଷା କରିଥିଲେ ଓ ନିର୍ଦ୍ଧାରିତ ସମୟ ରେ କାମ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଏଥି ପାଇଁ ଅଧିକ ଲୋକ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି ପରିଦର୍ଶନ ସମୟରେ ପୁରୀ ଜିଲ୍ଲାପାଳ , ଏସପି, ଓବିସିସି ପରିଚାଳନା ନିର୍ଦେଶକ ଏବଂ ବିଭିନ୍ନ ସଂସ୍ଥାର ଅଧିକାରୀ ମାନେ ଉପସ୍ଥିତ ଥିଲେ ।