Home Health ତମାଖୁ ନିୟନ୍ତ୍ରଣରେ ହିମାଚଳ ଆଗରେ

ତମାଖୁ ନିୟନ୍ତ୍ରଣରେ ହିମାଚଳ ଆଗରେ

ନୂଆଦିଲ୍ଲୀ : ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଭାବେ ହିମାଚଳ ପ୍ରଦେଶକୁ ପୁରସ୍କୃତ କରାଯାଇଛି।

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଭାବେ ହିମାଚଳ ପ୍ରଦେଶକୁ ପୁରସ୍କୃତ କରାଯାଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ହିମାଚଳ ପ୍ରଦେଶର ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ରାଜ୍ୟ କାର୍ଯ୍ୟକ୍ରମ ଅଧିକାରୀ ଗୋପାଳ ଚୌହାନ ଏହି ପୁରସ୍କାର ଗ୍ରହଣ କରିଥିଲେ।

ତମାଖୁ ନିୟନ୍ତ୍ରଣ ପାଇଁ ରାଜ୍ୟକୁ ୨୦୧୨ ଏବଂ ୨୦୨୩ରେ ଦୁଇଟି ଡବ୍ଲ୍ୟୁଏଚଓ ପୁରସ୍କାର ମିଳିଥିଲା (ହିମାଚଳ ପ୍ରଦେଶ ପାଇଁ ସ୍ୱାସ୍ଥ୍ୟ ପାଇଁ ଏକମାତ୍ର ଡବ୍ଲୁଏଚଓ ପୁରସ୍କାର)। ବର୍ତ୍ତମାନ ସୁଦ୍ଧା ହିମାଚଳ ପ୍ରଦେଶରେ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଶସ୍ତା ଏବଂ ସ୍ଥାୟୀ ଭାବେ ପରିଚଣିତ ହେଉଛି ।

ହିମାଚଳ ପ୍ରଦେଶରେ ତମାଖୁ ନିୟନ୍ତ୍ରଣ ହେଉଛି ୨୦୦୮ ପରଠାରୁ ସମସ୍ତ ପ୍ରମୁଖ ଅଂଶୀଦାରଙ୍କ ମଧ୍ୟରେ ସର୍ବୋଚ୍ଚ ରାଜନୈତିକ ଏବଂ ପ୍ରଶାସନିକ ପ୍ରତିବଦ୍ଧତା ଏବଂ ଭାଗିଦାରୀ ସହିତ ସରକାରୀ-ଏନଜିଓ ଭାଗିଦାରୀର ଏକ ବଡ ଉଦାହରଣ ।

ହିମାଚଳ ପ୍ରଦେଶ ସରକାର ସଚେତନତା ଏବଂ ଏନଫୋର୍ସମେଣ୍ଟ ଦ୍ୱାରା ତମାଖୁ ନିୟନ୍ତ୍ରଣ ଆରମ୍ଭ କରିଥିଲେ ଏବଂ ଶିମଲାକୁ ଅକ୍ଟୋବର ୨, ୨୦୧୦ରେ ପ୍ରଥମ ପ୍ରମାଣ ଆଧାରିତ ଧୂମପାନ ମୁକ୍ତ ସହର ଭାବେ ଘୋଷଣା କରାଯାଇଥିଲା । ୨୦୧୩ରେ ହିମାଚଳ ପ୍ରଦେଶ ଭାରତର ସମସ୍ତ ୨୧ଟି ବୃହତ ରାଜ୍ୟ ମଧ୍ୟରେ ପ୍ରଥମ ଧୂମପାନ ମୁକ୍ତ ରାଜ୍ୟ ହୋଇଥିଲା ।

ଏହା ବ୍ୟତୀତ ହିମାଚଳ ପ୍ରଦେଶ ୨୦୧୬ରେ ତମାଖୁ ବିକ୍ରେତାଙ୍କୁ ଲାଇସେନ୍ସ ଦେବା ପାଇଁ ଏକ ଆଇନ ପ୍ରଣୟନ କରିଥିଲା । ରାଜ୍ୟ ସରକାର ଇ- ସିଗାରେଟ୍ ଉପରେ ପ୍ରତିବନ୍ଧକ ଲଗାଇବା, ଗୁଟଖା ବିକ୍ରି ଉପରେ କଟକଣା ଲଗାଇବା ସହ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗାଇଡଲାଇନ୍ ଜାରି କରିଛନ୍ତି। ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ ୨୦୧୬-୧୭ ଅନୁଯାୟୀ ତମାଖୁ ବ୍ୟବହାର ୨୧.୨%ରୁ (୨୦୧୦ରେ) ୧୬%କୁ ହ୍ରାସ ପାଇଛି।

ଆଶା କର୍ମୀ (ଇ-ହେଲଥ କାର୍ଡ) ମାଧ୍ୟମରେ କରାଯାଇଥିବା ରାଜ୍ୟ ତଦାରଖ ରୁ ଜଣାପଡିଛି ଯେ ରାଜ୍ୟରେ ବୟସ୍କ ତମାଖୁ ବ୍ୟବହାର ରେ ଆହୁରି ହ୍ରାସ ଘଟି୧୧.୬% କୁ ହ୍ରାସ ପାଇଛି । ଘରେ ନିଷ୍କ୍ରିୟ ଧୂମପାନ ୮୨.୫%ରୁ ୩୨.୯%କୁ ହ୍ରାସ ପାଇଛି। ସଦ୍ୟତମ ଗ୍ଲୋବାଲ ୟୁଥ୍ ଟୋବାକୋ ସର୍ଭେ ଅନୁଯାୟୀ ହିମାଚଳ ପ୍ରଦେଶରେ ୧୩-୧୫ ବର୍ଷ ବୟସ ବର୍ଗମଧ୍ୟରେ ତମାଖୁ ବ୍ୟବହାର ୧.୧% ଯାହା କି ଭାରତରେ ସର୍ବନିମ୍ନ ।

ତମାଖୁ ନିୟନ୍ତ୍ରଣ ପାଇଁ ହିମାଚଳ ପ୍ରଦେଶର ମଡେଲ ଶସ୍ତା, ଆତ୍ମନିର୍ଭରଶୀଳ ଏବଂ ସ୍ଥାୟୀ । ତମାଖୁ ସେବନ ପାଇଁ ୨୦୨୫ ସୁଦ୍ଧା ୧୦% ଓ ୨୦୩୦ ସୁଦ୍ଧା ୫% ତଳକୁ ହ୍ରାସ କରିବାକୁ ରାଜ୍ୟ ସରକାର ରଣନୀତି ପ୍ରସ୍ତୁତ କରିଛନ୍ତି।