ଭୁବନେଶ୍ୱର :ଦଶହରା ପୂଜାକୁ ସ୍ୱଚ୍ଛ ଓ ସବୁଜ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ଏହାକୁ ୱାର୍ଡସ୍ତରରୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ନିର୍ଦେଶ ଦେଇଛନ୍ତି କମିଶନର ।
ଏହି ଉପଲକ୍ଷେ ଆଜି ବିଏମ୍ସି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଲେ ଯେ ପୂଜାମଣ୍ଡପଗୁଡିକରୁ ଦୈନିକ ସକାଳେ, ଦ୍ୱିପ୍ରହରେ ଏବଂ ରାତିରେ ବର୍ଜ୍ୟ ଉଠିବ । ଏହାର ଦାୟିତ୍ୱନେବ ୱାର୍ଡ କୋର୍କମିଟି ।
କେଉଁ ୱାର୍ଡରେ କେତେ ପୂଜାମଣ୍ଡପ ହୋଇଛି, ତାର ତାଲିକା କୋରକମିଟି ପାଖରେ ରହିଛି । ସେହି ଅନୁପାତରେ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ଜୋନାଲ ଡେପୁଟିକମିଶନର ଓ ୱାର୍ଡ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି କମିଶନର । ପୂଜାମଣ୍ଡପ ନିକଟରେ ପଡୁଥିବା ବଜାର, ଉଠା ଦୋକାନୀ, ଠେଲାଗାଡି ଇଦ୍ୟାଦିଙ୍କୁ ଏଣେତେଣେ ଅଳିଆ ନପକାଇବା ପାଇଁ ସଚେତନ କରାଯିବ ।
ଏପରିକି ବିଭିନ୍ନ ଜନ ଗହଳି ସ୍ଥାନ ଗୁଡିକରେ ଯେପରି ଅଳିଆ ନପଡେ ସେଥିପ୍ରତି ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ । ଦଶହରା ପୂଜା ସମୟରେ ଜିରୋ ଡମ୍ପିହେବ ଏବଂ କେହି ଯେପରି ଅଳିଆ ପୋଡିବେ ନାହିଁ, ସେଥିପ୍ରତି ଦୃଷ୍ଟି ଦେବାକୁ କମିଶନର ସମସ୍ତ କର୍ମଚାରୀ ଓ ଏଜେନସିଙ୍କୁ ତାଗିଦ କରି ଦେଇଛନ୍ତି ।
ପ୍ରତି ୱାର୍ଡର କର୍ପୋରେଟରଙ୍କ ନେତୃତ୍ୱରେ ଏହିସବୁ କାମ କରାଯିବ । ଏଜେନ୍ସିମାନେ ମଧ୍ୟ ପୂଜା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇ କାମକରିବା ସହ ଦିନକୁ ୩ ଥର ଅଳିଆ ଉଠାଇବା ପାଇଁ କଡା ନିର୍ଦେଶ ଦେଇଛନ୍ତି କମିଶନର । କେବଳ ସେତିକି ନୁହେଁ, ଯେଉଁଠାରେ ଅଳିଆ ପଡିବ, ସାନିଟାରୀ ଇନ୍ସପେକ୍ଟରମାନେ ତୁରନ୍ତ ସଂପୃକ୍ତ ଏଜେନ୍ସିଙ୍କୁ ଅବଗତ କରାଇବେ । ଏସଆଇଙ୍କ କଥା ନଶୁଣିଲେ ସଂପୃକ୍ତ ଏଜେନ୍ସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଚେତାଇ ଦେଇଛନ୍ତି ।