ଭୁବନେଶ୍ୱର : ଛାତ୍ରଛାତ୍ରୀ ଅଭାବରୁ ରାଜ୍ୟ ସରକାର ସାଢେ ୫ହଜାରରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ନିକଟସ୍ଥ ବିଦ୍ୟାଳୟ ସହିତ ମିଶ୍ରଣ କରିଥିବାବେଳେ ଏବେ ଏଥିରୁ କିଛି ବିଦ୍ୟାଳୟ ଖୋଲିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଏ ନେଇ ରାଜ୍ୟ ସରକାର ସବୁଜ ସଙ୍କେତ ଦେବାପରେ ଏବେ ଗାଁ ଗହଳର ଅଭିଭାବକମାନେ ନିଜ ନିଜ ଅଞ୍ଚଳରେ ଥିବା ବିଦ୍ୟାଳୟକୁ ପୁନଃ ଖୋଲିବାପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିକଟକୁ ଦଉଡିବାରେ ଲାଗିଛନ୍ତି ।
ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଉପଲବ୍ଧ ହେଲେ ବନ୍ଦ ହୋଇ ଯାଇଥିବା ବିଦ୍ୟାଳୟଗୁଡିକ ପୁଣି ଖୋଲାଯାଇ ପାରିବ ବୋଲି ରାଜ୍ୟ ସରକାର ସଙ୍କେତ ଦେବା ସହିତ ଏଥିପାଇଁ ଲୋକପ୍ରତିନିଧିଙ୍କ ସୁପାରିଶ୍ ଆବଶ୍ୟକ ଥିବା କହିଛନ୍ତି । ଏହି ସୂଚନା ପାଇବାପରେ ପରେ ଏବେ ନିଜ ନିଜ ପିଲାଙ୍କୁ ଘରପାଖ ବିଦ୍ୟାଳୟରେ ପଢାଇବାପାଇଁ ଅଭିଭାବକମାନେ ଆବଶ୍ୟକ ପିଲା ଯୋଗାଡ କରିବାରେ ଲାଗିଛନ୍ତି । ପ୍ରତି ପିଲାଙ୍କ ସମ୍ପୂର୍ଣ୍ଣ ବିବରଣୀ ସହିତ ସେମାନଙ୍କ ଅଭିଭାବକଙ୍କ ଠାରୁ ଦସ୍ତଖତ ସଂଗ୍ରହ କରୁଛନ୍ତି । ଏଥି ସହିତ ବିଦ୍ୟାଳୟ ଖୋଲିବାପାଇଁ ଲମ୍ବା ଚଉଡା ଦରଖାସ୍ତ ବି ଲେଖାଯାଇ ସେଥିରେ ସମସ୍ତ ଅଭିଭାବକ, ବିଦ୍ୟାଳୟ କର୍ମକର୍ତ୍ତାମାନେ ଦସ୍ତଖତ କରୁଛନ୍ତି ।
ଏହାପରେ ଏଥିରେ ସ୍ଥାନୀୟ ୱାର୍ଡମେମ୍ବର, ସମିତିସଭ୍ୟ ଓ ସରପଞ୍ଚଙ୍କ ସୁପାରିଶ୍ ଦସ୍ତଖତ ଏଥିରେ ନେବାପରେ ବିଧାୟକଙ୍କ ନିକଟକୁ ଯାଉଛନ୍ତି । ବିଧାୟକଙ୍କ ସୁପାରିଶ୍ ଜରୁରୀ ହୋଇଥିବାରୁ ଲୋକେ ଏବେ ବିଧାୟକମାନଙ୍କ ନିକଟରେ ପହଞ୍ଚି କାଗଜପତ୍ର ଦାଖଲ କରୁଛନ୍ତି । ବିଧାୟକମାନେ ବି ହସ ହସ ବଦନରେ ସମସ୍ତଙ୍କୁ ଅଭୟବାଣୀ ଶୁଣାଇବା ସହିତ ଏ ନେଇ ବିଭାଗ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ତେବେ ବହୁ ସ୍ଥାନରେ ଏଭଳି ଦରଖାସ୍ତ ଦେବାର ମାସ ପରେ ମାସ ବିତୁଥିଲେ ବି କୌଣସି ଠୋସ୍ ସୂଚନା ମିଳୁନଥିବାରୁ ଲୋକେ ଏବେ ଜିଲ୍ଲା ଶିକ୍ଷା ଦପ୍ତର ସହିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ସୂଚନା ପାଇବାପାଇଁ ରାଜଧାନୀକୁ ଦଉଡିବା ଆରମ୍ଭ କରିଛନ୍ତି ।
ଯେହେତୁ ଲୋକ ପ୍ରତିନିଧିଙ୍କ ସୁପାରିଶ୍ ଅପରିହାର୍ଯ୍ୟ ତେଣୁ ଜିଲ୍ଲା ସ୍ତରରେ ଥିବା ଶିକ୍ଷା ଅଧିକାରୀମାନେ ଏଥିରେ ମୁଣ୍ଡ ଖେଳାଉ ନାହାନ୍ତି । ସେମାନେ ଏଥିରେ କିଛି କରିପାରିବେ ନାହିଁ ବୋଲି ରୋକଠୋକ୍ ଶୁଣାଇ ଦେଉଛନ୍ତି । ବିଦ୍ୟାଳୟ ଖୋଲିବା ନେଇ କୌଣସି ଠୋସ୍ ସୂଚନା ମିଳିପାରୁ ନଥିବାରୁ ଦରଖାସ୍ତ ଦେଇଥିବା ଲୋକେ ଏବେ ନିଜ ନିଜ ବିଧାୟକମାନଙ୍କ ନିକଟକୁ ବି ଦଉଡିବା ଆରମ୍ଭ କଲେଣି ।
ରାଜ୍ୟରେ ମୋଟ୍ ୫୬୩୭ଟି ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନୀୟ ବିଦ୍ୟାଳୟ ସହିତ ମିଶ୍ରଣ କରାଯାଇଥିବାବେଳେ ଏଥିରୁ କେତୋଟି ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇନଥିବାରୁ ଲୋକ ପ୍ରତିନିଧିମାନେ ଏବେ ଅକଳରେ ପଡିଲେଣି । ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ଏ ନେଇ ଚାପ ବଢିବାରେ ଲାଗିଛି । ଉପକୂଳ ଜିଲ୍ଲାରେ ଏହି ସମସ୍ୟ ଉତ୍କଟ ହେବାରେ ଲାଗିଛି । ଆଗକୁ ନିର୍ବାଚନ ଆସୁଥିବାରୁ ଏହାକୁ ନେଇ କାଳେ ରାଜନୀତି ଆରମ୍ଭ ହୋଇଯିବ ତେଣୁ ପ୍ରାଥମିକ ବିଦ୍ୟାଳୟ ଖୋଲାକୁ ନେଇ ରାଜନେତାମାନଙ୍କ ରକ୍ତଚାପ ବଢିବାରେ ଲାଗିଛି । (ତଥ୍ୟ)