Home General ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀରେ ଭିଡ ବଢୁଛି

ସ୍ୱାଧୀନତା ସଂଗ୍ରାମୀ ଗ୍ୟାଲେରୀରେ ଭିଡ ବଢୁଛି

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମ କାଳରେ ଓଡ଼ିଶାର ଐତିହାସିକ ଘଟଣାବଳୀକୁ ଉତ୍ତର ପିଢି ନିକଟରେ ଉଜ୍ଜୀବିତ କରି ରଖିବା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଗ୍ୟାଲେରି ଖୋଲିଛି । ରାଜ୍ୟ ଭିତର ଓ ବାହାରର ଦର୍ଶକ ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗ୍ୟାଲେରି ବେଶ୍‍ ଆକର୍ଷଣୀୟ ହୋଇଥିବାରୁ ଏଠାରେ ଭିଡ଼ ଜମୁଛି । କେବଳ ସେତିକି ନୁହେଁ ଏହି ଗ୍ୟାଲେରିରେ ଖୋଦିତ ଛବି ଗୁଡିକୁ ଦେଖିବାବେଳେ ଦର୍ଶକମାନେ ଓଡ଼ିଶା ଦେଶାତ୍ମବୋଧକ ସଙ୍ଗୀତରେ ମଧ୍ୟ ରୋମାଞ୍ôଚତ ହେଉଛନ୍ତି ।

ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ଇତିହାସର ଝଲକ ବହନ କରୁଥିବା ଏହି ଗ୍ୟାଲେରିରେ ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଅମର ଶହୀଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ ଓ ହରେକୃଷ୍ଣ ମହତାବ ଆଦିଙ୍କ ଆବକ୍ଷ ପ୍ରତିମୂର୍ତ୍ତି ରଖାଯାଇଛି । କେବଳ ସେତିକି ନୁହେଁ, ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ଭାଗିରଥୀ ମହାପାତ୍ର, ଭାଗିରଥୀ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ସୁଦୃଶ୍ୟ ଫଟୋଚିତ୍ରମାନ ରଖାଯାଇଛି ।

ରାଜ୍ୟ ସଂଗ୍ରହାଳୟରେ ଥିବା ଏହି ଗ୍ୟାଲେରିର ଏକ ଅଂଶ ଓଡ଼ିଶାର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ଉତ୍ସର୍ଗ କରାଯାଇଛି । ଏଥିରେ ନାରୀକବି କୁନ୍ତଳା କୁମାରୀ ସାବତ, ମାଳତୀ ଚୌଧୁରୀ, ଗୋଦାବରୀ ଦେବୀ, ପାର୍ବତୀ ଗିରି, କିରଣଲେଖା ମହାନ୍ତିଙ୍କ ସମେତ ବହୁ ଅଗ୍ରଣୀ ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କ ଚିତ୍ରମାନ ମଧ୍ୟ ସ୍ଥାନ ପାଇଛି । ବିଶେଷ କରି ଜାତୀୟ କବି ବୀର କିଶୋର ଦାସଙ୍କ ରଚିତ ବହୁ ଦେଶାତ୍ମବୋଧକ ସଙ୍ଗୀତ ସମେତ ସ୍ୱାଧୀନତା ସଂଗ୍ରାମ କାଳର ଅନେକ ପ୍ରେରଣାଦାୟୀ ସଙ୍ଗୀତର ମୂର୍ଚ୍ଛନା ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ରେକର୍ଡ କରାଯାଇ ଏଠାରେ ପରିବେଷଣ କରାଯାଉଛି ।

ଏହି ଗ୍ୟାଲେରି ପରିଦର୍ଶନରେ ଆସିଥିବା ବହୁ ଛାତ୍ରଛାତ୍ରୀ କହିଛନ୍ତି ଯେ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ବଳିଦାନ ସଂକ୍ରାନ୍ତରେ ଏହି ଗ୍ୟାଲେରିରେ ଯେପରି ସଚ୍ଚିତ୍ର ବିବରଣୀମାନ ରହିଛି ତାହା ଥରେ ଯିଏ ଦେଖିବ ତା’ ମନରେ ଏହାର ଛାପ ନିଶ୍ଚୟ ଆଜୀବନ ରହିବ । ବିଶେଷ କରି ଢେଙ୍ଗାନାଳ ଗଡ଼ଜାତରେ ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ସମେତ ଅନ୍ୟ ୫ଜଣଙ୍କୁ ହତ୍ୟା, ରଣପୁର ଗଡ଼ଜାତରେ ବେଜେଲ୍‍ଗେଟ୍‍ ହତ୍ୟାକାଣ୍ଡ ସହିତ ଆମ୍‍କୋ-ସିମ୍‍କୋ, ଇରମ୍‍, ମାଥିଲି, ପାପଡ଼ାହାଣ୍ଡି, କାଇପଡା-କଳାମାଟିଆ, ଲୁଣିଆ, ନିମାପଡ଼ା ଆଦି ରକ୍ତତୀର୍ଥ ସଂକ୍ରାନ୍ତରେ ଯେଭଳି ଚିତ୍ରମାନ ସ୍ଥାନିତ ହୋଇଛି ତାହା ବିଶେଷ କରି ଛାତ୍ରଛାତ୍ରୀମାନଙ୍କୁ ଆକର୍ଷିତ କରୁଛି ।

ଏହି ଗ୍ୟାଲେରିରେ ଜୟୀ ରାଜଗୁରୁଙ୍କୁ ନିର୍ମମ ହତ୍ୟାର ଚିତ୍ର ସହିତ ଲକ୍ଷ୍ମଣ ନାୟକଙ୍କ ଫାଶୀ, ସୁଭାଷ ଚନ୍ଦ୍ର ବୋଷଙ୍କ ସେବା ଓ ସଂଗ୍ରାମ, ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ ଓ ଭାରତ ଛାଡ ଆନ୍ଦୋଳନ ସମେତ ଗଡ଼ଜାତ ପ୍ରଜା ଆନ୍ଦୋଳନରେ ବହୁ ବିରଳ ଘଟଣାର ସଚ୍ଚିତ୍ର ବିବରଣୀ ଯେକୌଣସି ଜାତି ପ୍ରାଣ ଓଡ଼ିଆ ମନରେ ଶିହରଣ ସୃଷ୍ଟି କରିବ ।

ଏଠାରେ ଉଲ୍ଲେଖନୀୟ ଯେ ଗାନ୍ଧୀଜୀଙ୍କ ୧୫୦ତମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଓଡ଼ିଶାରେ ଗାନ୍ଧୀଜୀ ନାମରେ ଦୁଇଟି ଗ୍ୟାଲେରି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗ୍ୟାଲେରି ପ୍ରତିଷ୍ଠା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ବରିଷ୍ଠ ଐତିହାସିକ, କଳାକାର, ଗାନ୍ଧୀ ତତ୍ତ୍ୱବିତ୍‍ ଓ ସାହିତ୍ୟିକ ଆଦିଙ୍କ ସକ୍ରିୟ ସହଯୋଗ ନିଆଯାଇ ସଂସ୍କୃତି ବିଭାଗର ପ୍ରଦତ୍ତ ଅର୍ଥରେ ଇନଟାକ୍‍ ଭଳି ଜାତୀୟ ସ୍ତରର ଏକ ସଂସ୍ଥା ମ୍ୟୁଜିୟମ୍‍ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏହି ଗ୍ୟାଲେରି ପ୍ରସ୍ତୁତ କରିଛନ୍ତି । ତେବେ ଗାନ୍ଧୀ ଗ୍ୟାଲେରି କାମ ଚାଲିଥିବାରୁ ଆସନ୍ତା ନଭେମ୍ବର ମାସରେ ଏହା ଉନ୍ମୋଚିତ ହୋଇପାରେ ବୋଲି ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ କହୁଛନ୍ତି । (ତଥ୍ୟ)