ଭୁବନେଶ୍ୱର : ସହରାଞ୍ଚଳରେ ଜଳର ମାନ ପରୀକ୍ଷା ସହିତ ଜଳ କର ଆଦାୟ ପାଇଁ ନିଯୁକ୍ତ ହୋଇଛନ୍ତି ଜଳସାଥି । ଏମାନଙ୍କୁ ତାଲିମ ଦିଆଯିବା ସହିତ ପୋର୍ସ ମେସିନ୍ ଓ ଜଳ ପରୀକ୍ଷା ଉପକରଣ ଆଦି ଯୋଗାଇ ଦିଆଯାଇଛି । ହେଲେ ଜଳସାଥୀମାନେ ଜଳକର ଆଦାୟ ପାଇଁ ଯେତିକି ତତ୍ପର ହେଉଛି ସେହି ପରିମାଣରେ ଜଳ ପରୀକ୍ଷା ପାଇଁ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଉ ନାହିଁ ।
ରାଜଧାନୀରେ ଏବେ ବିଭିନ୍ନ ୱାର୍ଡରେ ୨୪ଘଣ୍ଟିଆ ଜଳଯୋଗାଣ ହେଉଛି । ଏହି ଜଳ ଅତ୍ୟନ୍ତ ବିଶୁଦ୍ଧ ଓ ଲୋକେ ସିଧାସଳଖ ଟ୍ୟାପ୍ରୁ ପିଇ ପାରିବେ ବୋଲି କର୍ତ୍ତୃପକ୍ଷ କହୁଛନ୍ତି । ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାରେ ଏହି ଜଳ ଯୋଗାଣ ହେଉଥିବାବେଳେ କାଳେ କେତେବେଳେ ଜଳର ମାନ ହ୍ରାସ ପାଇବ ସେଥିପାଇଁ ଜଳସାଥୀମାନେ ନିୟମିତ ଅନ୍ତରରେ ଘରକୁ ଘର ବୁଲି ଜଳ ପରୀକ୍ଷାପାଇଁ ତାଲିମ ପାଇଛନ୍ତି । ଏଥିପାଇଁ ସେମାନଙ୍କୁ ଆବଶ୍ୟକ ଉପକରଣ ସହିତ ପ୍ରତ୍ୟେକ ଜଳ ପରୀକ୍ଷାପାଇଁ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା ହୋଇଛି । ଏହା ସେମାନଙ୍କ ଆୟର ଅନ୍ୟତମ ଉତ୍ସ ବୋଲି କୁହାଯାଇଥିଲା ।
ହେଲେ ଜଳସାଥିମାନେ ଘରକୁ ଘର ବୁଲି ଜଳ କର ଆଦାୟ କରୁଥିବାବେଳେ ଜଳ ପରୀକ୍ଷାପାଇଁ କିନ୍ତୁ ଆଗ୍ରହୀ ନୁହନ୍ତି । ଏପରିକି ୨୪ଘଣ୍ଟିଆ ଜଳ ଯୋଗାଣ ହେଉଥିବା ବହୁ ୱାର୍ଡରେ ଆରମ୍ଭରୁ ହିଁ ଥରୁଟିଏ ହେଲେ ଜଳର ମାନ ପରୀକ୍ଷା ହୋଇନଥିବା ଦେଖିବାକୁ ମିଳୁଛି । ତେଣୁ କର୍ତ୍ତୃପକ୍ଷ ଯୋଗାଉଥିବା ଜଳ କେଉଁ ଅଞ୍ଚଳରେ କେତେ ବିଶୁଦ୍ଧ ତାହା ଖୋଦ୍ କର୍ତ୍ତୃପକ୍ଷ କିମ୍ବା ବ୍ୟବହାରକାରୀ ଜାଣିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ଜଳର ମାନକୁ ନେଇ ବି ସହରବାସୀଙ୍କର ଚିନ୍ତା ବଢିବାରେ ଲାଗିଛି । କାରଣ ଯେଉଁସବୁ ଜଳ ଉତ୍ସରୁ ଲୋକଙ୍କ ଘରକୁ ଜଳଯୋଗାଣ ହେଉଛି ସେଠାରେ ବେଆଇନ୍ ଭାବେ ପାଇଖାନା ଓ ଗାଧୁଆଘର ନିର୍ମାଣ ସହିତ ଏକାଧିକ ଲୋକ ବସବାସ କରୁଛନ୍ତି । ତେଣୁ ଏହି ଅଞ୍ଚଳରେ ଜଳ କେତେ ଶୁଦ୍ଧ ତାହା ଏବେ ପ୍ରଶ୍ନବାଚୀ ଘେରରେ ।
ସହରର ବିଭିନ୍ନ ସ୍ଥାନରେ ଥିବା ପାଣି ଟାଙ୍କିରେ ଆସୁଥିବା ଜଳ ଗଚ୍ଛିତ ରହିବାପରେ ତାହା ଲୋକଙ୍କ ଘରକୁ ଯୋଗାଣ ହୋଇଥାଏ । ଏହି ଅଞ୍ଚଳକୁ କର୍ତ୍ତୃପକ୍ଷ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରିବା ସହିତ ତତ୍ଜନିତ ବୋର୍ଡ ବି ଲଗାଇଛନ୍ତି । ଏହା ପରିସରକୁ ପ୍ରବେଶ ନିଷିଦ୍ଧ ବୋଲି ବଡ ବଡ ଅକ୍ଷରରେ ଲେଖା ହୋଇଛି । ହେଲେ ଏହି ନିଷିଦ୍ଧାଞ୍ଚଳରେ ଏବେ ମାଳ ମାଳ ଘର କରି ଲୋକେ ରହୁଛନ୍ତି । ପାଣି ଟାଙ୍କି କଡରେ ପାଇଖାନା ଓ ଗାଧୁଆଘର ନିର୍ମାଣ କରିଛନ୍ତି । ଯେହେତୁ ନିଷିଦ୍ଧାଞ୍ଚଳ ଭିତରକୁ ସ୍ୱରେଜ ସଂଯୋଗ ନାହିଁ ତେଣୁ ଲୋକଙ୍କ ବ୍ୟବହୃତ ଜଳ ଭୂତଳ ଟାଙ୍କିରେ ଥିବା ଜଳରେ ମିଶିବାର ଆଶଙ୍କା ସୃଷ୍ଟି ହେଉଛି । ଖୋଦ୍ ରାଜଧାନୀର ବିଭିନ୍ନ ପାଣି ଟାଙ୍କି ପରିସରରେ ଏଭଳି ସ୍ଥିତି ଉପୁଜିଥିବାବେଳେ କର୍ତ୍ତୃପକ୍ଷ ସବୁ ଦେଖି ନଦେଖିଲା ଭଳି ରହୁଛନ୍ତି ।
ବିଶୁଦ୍ଧ ଜଳ ଯୋଗାଣ ଓ ଜଳ ଆଦାୟ କ୍ଷେତ୍ରରେ ଜଳସାଥିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସେମାନେ ଯେଭଳି ନିୟମିତ ଭାବେ ଘରକୁ ଘର ବୁଲି ଜଳର ମାନ ପରୀକ୍ଷା ସହିତ ତାହା ସରକାରଙ୍କୁ ଜଣାଇବେ ଓ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବେ ତାହା ଉପରେ ୱାଟ୍କୋ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଆବଶ୍ୟକ । ନହେଲେ ତାଲିମ ଓ ସାଜ ସରଞ୍ଜାମ ଯୋଗାଣ ସବୁକିଛି ପାଣିରେ ପଡିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)