ଭୁବନେଶ୍ୱର : ଜମିକୁ ଜଳସେଚନ କ୍ଷେତ୍ରରେ ଉଠାଜଳସେଚନ ବ୍ୟବସ୍ଥା ସବୁଠାରୁ ଆଗରେ ରହିଛି । ବିଶେଷକରି କୂଅ ଓ ବଡ ବଡ ଉଠାଜଳସେଚନ ଦ୍ୱାରା ଗତ ୧୦ବର୍ଷ ମଧ୍ୟରେ ସର୍ବାଧିକ ଜମି ଜଳସେଚନ ହୋଇପାରିଛି ।
ରାଜ୍ୟରେ ଜଳସେଚନ ଯୋଜନାରେ ଚାଷଜମିକୁ ଜଳସେଚିତ କରାଯାଉଛି । ଏଥି ମଧ୍ୟରେ ରହିଛି ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପ । ୨୦୧୨-୧୩ ମସିହା ସୁଦ୍ଧା ରାଜ୍ୟରେ ପ୍ରାୟ ୧୩୭୦ ହଜାର ହେକ୍ଟର ଜମି ବୃହତ୍ ଓ ମଧ୍ୟମ ଜଳସେଚନ ଯୋଜନା ଦ୍ୱାରା ଜଳସେଚିତ ହୋଇଥିବାବେଳେ ୨୦୨୨-୨୩ ବର୍ଷରେ ଏହା ପ୍ରାୟ ୧୫୩୪ ହଜାର ହେକ୍ଟରର ପହଞ୍ଚିଥିଲା । ଅର୍ଥାତ୍ ଦଶବର୍ଷ ମଧ୍ୟରେ ଏହିସବୁ ଜଳସେଚନ ମାଧ୍ୟମରେ ୨୦୦ ହେକ୍ଟରରୁ କମ୍ ଜମି ଜଳସେଚିତ ହୋଇଛି ।
ସେହିଭଳି କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡିକ ଜରିଆରେ ଏହି ଦଶବର୍ଷ ମଧ୍ୟରେ ଜଳସେଚିତ ଜମିର ପରିମାଣ ୫୯୫ ହଜାର ହେକ୍ଟରରୁ ବୃଦ୍ଧି ପାଇଁ ୭୪୩ ହଜାର ହେକ୍ଟରରେ ପହଞ୍ଚିଛି । ଅର୍ଥାତ୍ ୧୦ବର୍ଷରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ଦେଢ ଶହ ହଜାର ହେକ୍ଟରରୁ କମ୍ ଜମି ଜଳସେଚିତ ହୋଇପାରିଛି । କିନ୍ତୁ କୂପ ଓ ମେଗା ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଏହି ଦଶବର୍ଷର ସମୟ ମଧ୍ୟରେ ୧୨୦୦ ହଜାର ହେକ୍ଟରରୁ ଅଧିକ ଜମି ଜଳସେଚିତ ହୋଇପାରିଛି । ୨୦୧୨-୧୩ ବର୍ଷରେ ରାଜ୍ୟରେ ପ୍ରାୟ ୫୫୦ ହଜାର ହେକ୍ଟର ଜମି ଉଠାଜଳସେଚନ ଜରିଆରେ ଜଳସେଚିତ ହୋଇଥିବାବେଳେ ୨୦୨୨-୨୩ରେ ଏହି ଜମିର ପରିମାଣ ୧୭୫୧ ହଜାର ହେକ୍ଟରକୁ ଟପିଯାଇଥିଲା ।
ଯଦିଓ ରାଜ୍ୟରେ ଜଳସେଚିତ ହେଉଥିବା ଜମିର ପରିମାଣ ଏହି ଦଶବର୍ଷ ମଧ୍ୟରେ ବୃଦ୍ଧି ପାଇଛି, କିନ୍ତୁ ଏହି ସମୟରେ ଚାଷ ହେଉଥିବା ଜମିର ପରିମାଣ ରାଜ୍ୟରେ ହ୍ରାସ ପାଇଛି । ୨୦୧୨-୧୩ରେ ଉଭୟ ଖରିଫ ଓ ରବି ଋତୁରେ ରାଜ୍ୟରେ ମୋଟ୍ ୮୩.୪୫ ଲକ୍ଷ ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷବାସ ହୋଇଥିବାବେଳେ ୨୦୨୨-୨୩ ରେ ୮୧.୮୪ ଲକ୍ଷ ହେକ୍ଟରରେ ଚାଷବାସ ହୋଇଥିଲା ।
ତେବେ ଏହି ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଧାନ ଉତ୍ପାଦନ ଆଶା ଜନକ ହୋଇଥିବାବେଳେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଉତ୍ପାଦନରେ ସେତେଟା ଅଗ୍ରଗତି ହୋଇପାରି ନାହିଁ । ଧାନ ଉତ୍ପାଦନ ଏହି ଦଶ ବର୍ଷରେ ଏକର ପ୍ରତି ୧୪୩୧ କିଲୋରୁ ୧୭୮୦ କିଲୋକୁ ବୃଦ୍ଧି ପାଇଥିବାବେଳେ ଡାଲି ଉତ୍ପାଦନ ଏକର ପ୍ରତି ୨୦୩ କିଲୋରୁ ୨୧୯କୁ ବୃଦ୍ଧି ପାଇଛି । ତୈଳବୀଜ ଉତ୍ପାଦନ ୩୬୮ରୁ ୩୮୬ କିଲୋକୁ ବଢିଥିବାବେଳେ କପା ଉତ୍ପାଦନ ଏହି ଦଶବର୍ଷରେ ୧୯୩ କିଲୋରୁ ୨୨୨ କିଲୋକୁ ବଢିଛି । (ତଥ୍ୟ)