Home Education ଚକ୍କର କାଟିଲେଣି ଅଣଛାତ୍ର

ଚକ୍କର କାଟିଲେଣି ଅଣଛାତ୍ର

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ମହାବିଦ୍ୟାଳୟରେ ନୂତନ ଛାତ୍ରଛାତ୍ରୀମାନଙ୍କ ନାମଲେଖା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏବେ ଅଣଛାତ୍ରମାନେ ବିଭିନ୍ନ କଲେଜରେ ଚକ୍କର କାଟିବା ଆରମ୍ଭ କରିଛନ୍ତି । ବିଶେଷକରି ରାଜଧାନୀର ବିଭିନ୍ନ କଲେଜରେ ଅଣଛାତ୍ରୀମାନେ ଆଡ୍ଡା ଜମାଉଥିବା ଲକ୍ଷ୍ୟ କରାଯାଉଛି ।

ଅତୀତରେ ଅଣଛାତ୍ରମାନଙ୍କ ପାଇଁ ଦୁଇ ପ୍ରମୁଖ ମହାବିଦ୍ୟାଳୟ ବିଜେବି ଓ ମହର୍ଷିରେ ଗଣ୍ଡଗୋଳ ଘଟି ମାମଲା ଥାନାକୁ ଯାଇଥିବାବେଳେ ଅଳ୍ପଦିନ ତଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ର ପ୍ରବେଶକୁ ନେଇ ସ୍ଥିତି ଉଗ୍ରରୂପ ହୋଇଥିଲା । ବର୍ତ୍ତମାନ ରାଜଧାନୀରେ ଥିବା ସମସ୍ତ ମହାବିଦ୍ୟାଳୟ ପରିସରରୁ ଏବେ ଅଣଛାତ୍ରମାନଙ୍କୁ ତଡିବାକୁ ଦାବି ବଢିବାରେ ଲାଗିଛି ।

ତେବେ ସହରର ଅନ୍ୟତମ ସରକାରୀ ମହାବିଦ୍ୟାଳୟ ରାଜଧାନୀ କଲଜରେ ଏବେ ଅଣଛାତ୍ରଙ୍କ ଅନୁପ୍ରବେଶ ବଢିବାରେ ଲାଗିଛି । କଲେଜ ଖୋଲିବା ଠାରୁ ଛୁଟି ହେବା ପର୍ଯ୍ୟନ୍ତ ଏମାନେ ଆସି କ୍ୟାମ୍ପସରେ ଚକ୍କର କାଟୁଛନ୍ତି । କଲେଜ ପରିସରରେ ଥିବା ସାଇକେଲଷ୍ଟାଣ୍ଡ, କ୍ୟାଣ୍ଟିନ, ଗଛ ଚାରିପଟେ ତିଆରି ହୋଇଥିବା ପିଣ୍ଡି ସହିତ କଲେଜ ପୋଷାକ ପିନ୍ଧି ବିଭିନ୍ନ ଶ୍ରେଣୀଗୃହରେ ପଇଁତରା ମାରୁଛନ୍ତି ।

ଏହି ଅଣଛାତ୍ରମାନଙ୍କ ମଧ୍ୟରେ ଅନେକ ନିଶାଡି ହୋଇଥିବାରୁ କଲେଜରେ ଥିବା ସାଇକେଲ ଷ୍ଟାଣ୍ଡ ଆଖପାଖରେ ମାଳ ମାଳ ମଦବୋତଲ ସହିତ ଗୁଟଖା, ସିଗାରେଟ ଜରି ଆଦି ପଡିଥିବାର ଦେଖିବାକୁ ମିଳୁଛି । କିଛି ଅଣଛାତ୍ର ଓ ଅସାମାଜିକ ଯୁବକ ସଞ୍ଜ ହେଲେ କଲେଜ ପରିସରରେ ଆସି ଆଡ୍ଡା ଜମାଇବା ସହିତ ନିଶା ସେବାନ କରୁଛନ୍ତି । ଯଦିଓ କଲେଜରେ ଜଣେ ସୁରକ୍ଷାକର୍ମୀ ରହୁଛନ୍ତି ହେଲେ ତାଙ୍କୁ କେହି ଖାତିର କରୁନାହାନ୍ତି । ଅଣଛାତ୍ରଙ୍କ ଭୟରେ ସେ ମଧ୍ୟ ମୁହଁ ଖୋଲିପାରୁ ନାହାନ୍ତି ।

ଅଣଛାତ୍ରଙ୍କ ପ୍ରବେଶକୁ ରୋକିବା ସହିତ କଲେଜରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାପାଇଁ ରାଜଧାନୀ କଲେଜ କର୍ତ୍ତୃପକ୍ଷ କ୍ୟାମ୍ପସରେ ସିସିଟିଭି ଲଗାଇଥିଲେ । ହେଲେ କିଛି ଅସାମାଜିକ ଯୁବକ ତାହାକୁ ଭାଙ୍ଗି ନେଇଯାଇଥିବା ଜଣାପଡିଛି । ସେହିଭଳି ଏଠାରେ ଅସାମାଜିକମାନେ ଯେଭଳି ପଇଁତରା ମାରୁଛନ୍ତି ସେଥିପାଇଁ ପରିସରରେ ଥିବା ଛାତ୍ରବାସର ଅନ୍ତେବାସୀମାନେ ମଧ୍ୟ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ କିଛି ପୂର୍ବତନ ଛାତ୍ର ଓ ବର୍ତ୍ତମାନର ଛାତ୍ର ମିଶି କଲେଜ ପରିସରରେ ଅରାଜକତା ଚଳାଇଛନ୍ତି । ଧିରେ ଧିରେ ଏମାନଙ୍କ ମଧ୍ୟରେ ପତିଆରା ଲଢେଇ ଆରମ୍ଭ ହୋଇଗଲାଣି । ଇତି ମଧ୍ୟରେ କଲେଜ ପରିସରକରେ ଅଣଛାତ୍ର ଓ ଛାତ୍ରଙ୍କ ମଧ୍ୟରେ ଛୋଟ କାଟର ଗଣ୍ଡଗୋଳ ବି ଘଟିଲାଣି । ଯଦି ଏଠାରେ ଅଣଛାତ୍ରମାନଙ୍କୁ ନିୟନ୍ତ୍ରଣ କରାନଯାଏ ତେବେ ଆଗାମୀ ଦିଗରେ ଏହା ଉଗ୍ରରୂପଧାରଣ କରିବ ବୋଲି ଛାତ୍ରଛାତ୍ରୀମାନେ ମତ ଦେଉଛନ୍ତି । (ତଥ୍ୟ)