ଭୁବନେଶ୍ୱର : ମୃତ ଲୋକଙ୍କ ଦିଆଯାଇଛି ବର୍ଷାଧିକ କାଳ ବାର୍ଦ୍ଧକ୍ୟ ଭତ୍ତା । ପୌର କର୍ତ୍ତୃପକ୍ଷ ମୃତ ଲୋକଙ୍କ ସଂକ୍ରାନ୍ତରେ ସଠିକ ସୂଚନା ନରଖିବାରୁ ଦୁଇ ପୌର ନିଗମର ୨୫ଜଣ ହିତାଧିକାରୀଙ୍କ ମୃତ୍ୟୁପରେ ମଧ୍ୟ ସେମାନଙ୍କ ନାଁରେ ଭତ୍ତା ପ୍ରଦାନ କରାଯାଇଛି ।
ଭାରତର ମହାଲେଖାକାର (ସିଏଜି) ତାଙ୍କ ତଦନ୍ତ ସମୟରେ ଏଭଳି ଅନିୟମିତାକୁ ଧରିଛନ୍ତି । ସିଏଜି ଦର୍ଶାଇଛନ୍ତି ଯେ ରାଜ୍ୟର ଦୁଇ ପୌରସଂସ୍ଥା ରାଇରଙ୍ଗପୁର ଓ ସୋନପୁରରେ ଏଭଳି ଘଟଣା ନଜରକୁ ଆସିଛି । ଏଠାରେ ୨୫ଜଣ ମୃତ ହିତାଧିକାରୀଙ୍କ ମୃତ୍ୟୁ ପରେ ସେମାନଙ୍କୁ ଏକ ମାସରୁ ୨୭ମାସଧରି ଭତ୍ତା ପ୍ରଦାନ କରାଯାଇଛି । ମୃତ୍ୟୁ ପଞ୍ଜିକରଣ ଏବଂ ପରିଚିତ ରେଜିଷ୍ଟ୍ରରର କ୍ରସ୍ ଯାଞ୍ଚ ସମୟରେ ଏହି ୨୫ ଜଣଙ୍କ ସଂକ୍ରାନ୍ତରେ ଜାଣିବାକୁ ମିଳିଥିଲା ।
ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ଓଡିଶା ସରକାର ୨୦୦୮ମସିହାରେ ମଧୁବାବୁ ପେନ୍ସନ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟ ଯୋଜନାରୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଏଭି ଭତ୍ତା ପ୍ରଦାନ କରାଯାଉଛି । ତେବେ ମଧୁବାବୁ ପେନ୍ସନ ଯୋଜନା ୨୦୦୮ ର ଧାରା ୧୬ ଓ ୧୯ ଅନୁଯାୟୀ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀଙ୍କ ମୃତ୍ୟୁ ଘଟଣାର ସୂଚନା ଉପଜିଲ୍ଲାପାଳଙ୍କୁ ତୁରନ୍ତ ଅବକତ କରାଇବା ଆବଶ୍ୟକ ।
ସାଧାରଣତଃ ପ୍ରତ୍ୟେକ ବର୍ଷ ଏପ୍ରିଲ୍ ପ୍ରଥମ ସପ୍ତାହରେ ଭତ୍ତାଧାରୀଙ୍କ ବାର୍ଷିକ ଯାଞ୍ଚ ଯଥା ସେମାନେ ଜୀବତ ଅଛନ୍ତି କି ନାହିଁ ସେ ସଂକ୍ରାନ୍ତରେ ଜାଣିବା ସହିତ ତାହାକୁ ସୁନିଶ୍ଚିତ କରିବାପରେ ତଦନୁଯାୟୀ ଭତ୍ତା ପ୍ରଦାନ ହୋଇଥାଏ । ଯଦି କାର୍ଯ୍ୟନିର୍ବାହୀ ଅଧିକାରୀ ଜାଣିବେ ଯେ ହିତାଧିକାରୀ ଜୀବିତ ନାହାହାନ୍ତି ତେବେ ତାଙ୍କର ପେନ୍ସନ ବାତିଲ କରି ତାହାର ସୂଚନା ଉପ ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ବାଧ୍ୟ ଅଟନ୍ତି । ଏହି ଯୋଜନାର ଧାରା ୨୨ ଅନୁଯାୟୀ ହିତାଧିକାରୀଙ୍କ ମୃତ୍ୟୁ ତାରିଖ ପରେ ତାଙ୍କର ପେନ୍ସନ ବନ୍ଦ କରାଯିବ ।
ତେବେ ଉଭୟ ରାିରଙ୍ଗପୁର ଓ ସୋନପୁର ପୌରସଂସ୍ଥା ପକ୍ଷରୁ ଭତ୍ତାଧାରୀଙ୍କ ସଂକ୍ରାନ୍ତରେ ବାର୍ଷିକ ଯାଞ୍ଚ କରାଯାଇନଥିଲା । ଫଳରେ ଅଡିଟ୍ ସମୟରେ ଜଣାପଡିଥିଲା ଯେ ରାଇରଙ୍ଗପୁରର ୮ଟି ୱାର୍ଡ ଓ ସୋନପୁରର ୩ଟି ୱାର୍ଡ ରେ ୨୫ଜଣ ମୃତ ବ୍ୟକ୍ତିଙ୍କ ନାଁରେ ଭତ୍ତା ଦିଆଯାଇଛି । ରେଜିଷ୍ଟ୍ରାରରେ ସେମାନଙ୍କ ନାମ ସ୍ଥାନରେ ଟିପ ଦିଆଯାଇଛି କିମ୍ବା ଦସ୍ତଖତ ଦିଆଯାଇ ଭତ୍ତା ପ୍ରଦାନ ହୋଇଛି ।
କେବଳ ସେତିକି ନୁହେଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ପାଣ୍ଠିରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ୫କୋଟିରୁ ଅଧିକ ଟଙ୍କା ରାଜ୍ୟ ଯୋଜନାକୁ ସ୍ଥାନାନ୍ତର କରିଥିବା ମଧ୍ୟ ସିଏଜି ଧରିଛନ୍ତି । ଏହି ଅର୍ଥ ବିଭିନ୍ନ ଜାତୀୟ ପେନ୍ସନ ଯୋଜନାରେ ଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ତାହାକୁ ରାଜ୍ୟ ଯୋଜନାକୁ ସ୍ଥାନାନ୍ତର କରିବା ସହିତ ନଗଦ ଆକାରରେ ମଧ୍ୟ କିଛି ହିତାଧିକାରୀଙ୍କୁ ଭତ୍ତା ଆକାରରେ ପ୍ରଦାନ କରିଥିଲେ । (ତଥ୍ୟ)