ଭୁବନେଶ୍ୱର : ଚାକିରି ଖଣ୍ଡିଏ ପାଇଁ ୧୧ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଥିବାବେଳେ ବର୍ଷକରେ ଏମାନଙ୍କ ମଧ୍ୟରୁ ଶହେ ଜଣ ବି ଚାକିରି ପାଉ ନାହାନ୍ତି । ଗତବର୍ଷ ଏମାନଙ୍କ ମଧ୍ୟରୁ ମାତ୍ର ୫୯ଜଣଙ୍କୁ ନିଯୁକ୍ତି ମିଳିଛି ।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ରାଜ୍ୟ ରାଜ୍ୟର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଗୁଡିକରେ ୧୧ଲକ୍ଷରୁ ଅଧିକ ଯୁବକ ଯୁବତୀ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୨୦୨୦ ରେ ମାତ୍ର ୮୩ଜଣ ଚାକିରି ପାଇଥିବାବେଳେ ୨୦୨୨ ରେ ୫୯ ଜଣ ନିଯୁକ୍ତି ପାଇଛନ୍ତି । ତେବେ ୨୦୧୯ବର୍ଷରେ ସର୍ବାଧିକ ୧୦୫୩ ଜଣ ନିଯୁକ୍ତି ପାଇଥିବାବେଳେ ଚଳିତ ବର୍ଷରେ ଜୁନ୍ ମାସ ସୁଦ୍ଧା ମାତ୍ର ୪୯୯ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।
ହାତଗଣତି ଚାକିରି ମିଳୁଥିଲେ ମଧ୍ୟ ଯୁବକ ଯୁବତୀମାନେ କିନ୍ତୁ ଚାକିରି ଆଶାରେ ଅଧିକରୁ ଅଧିକ ସଂଖ୍ୟାରେ ନିୟୋଜନ କାର୍ଯ୍ୟାଳୟରେ ନିଜ ନିଜ ନାମ ପଞ୍ଜିକରଣ କରୁଛନ୍ତି । ୨୦୧୯ ବର୍ଷରେ ୧,୭୫,୩୫୯ ଜଣ ସେମାନଙ୍କର ନାମ ପଞ୍ଜିକରଣ କରିଥିବାବେଳେ ଚଳିତବର୍ଷ ଜୁନ୍ ମାସ ସୁଦ୍ଧା ୩,୫୫,୫୨୮ଜଣ ଯୁବକ ଯୁବତୀ ନାମ ପଞ୍ଜିକରଣ କରିସାରିଛନ୍ତି ।
ଚଳିତବର୍ଷ ନିୟୋଜନ ନିର୍ଦ୍ଦେଶାଳୟରେ ନାମ ପଞ୍ଜିକରଣ କରିଥିବା ଯୁବକ ଯୁବତୀମାନଙ୍କ ମଧ୍ୟରୁ ୧,୧୮,୩୧୩ ହେଉଛନ୍ତି ଯୁକ୍ତ ଦୁଇ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବକ ଯୁବତୀ । ସେହିଭଳି ୭୭,୯୦୮ଜଣ କଳା ସ୍ନାତକ ନାମ ପଞ୍ଜିକରଣ କରିଥିବାବେଳେ ବିଜ୍ଞାନ ସ୍ନାତକଙ୍କ ସଂଖ୍ୟା ୪୫,୫୯୩, ବାଣିଜ୍ୟ ସ୍ନାତକ ୧୪,୧୪୨, ୯୨୭ଜଣ ବିବିଏ, ୧୦୭୪ଜଣ ବିସିଏ ଡିଗ୍ରୀଧାରୀ ରହିଛନ୍ତି । କୃଷିବିଞ୍ଜାନ ଡିଗ୍ରୀଧାରୀ ୩୦୧ ଜଣ ଥିବାବେଳେ ପଶୁ ଚିକିତ୍ସା ଡିଗ୍ରୀଧାରୀ ଆଦୌ ନାହାନ୍ତି ।
ଚାକିରି ଆଶାରେ ନାମ ପଞ୍ଜିକରଣ କରିଥିବା ଡିଗ୍ରୀଧାରୀ ଇଞ୍ଜିନିୟରଙ୍କ ସଂଖ୍ୟା ୧୨ହଜାରରୁ ଅଧିକ ରହିଥିବାବେଳେ ଆଇନ୍ ଡିଗ୍ରୀଧାରୀଙ୍କ ସଂଖ୍ୟା ଶହେରୁ କମ୍ ରହିଛି । ଏହିଭଳି ଭାବେ ମୋଟ୍ ୧,୫୨,୮୫୪ ଜଣ ସ୍ନାତକ ଡିଗ୍ରୀଧାରୀ ନିୟୋଜନ ତାଲିକାରେ ରହିଛନ୍ତି ।
ସେହିଭଳି ନାମ ପଞ୍ଜିକରଣ କରିଥିବା ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ସଂଖ୍ୟା ଚଳିତବର୍ଷ ଜୁନ୍ ମାସ ସୁଦ୍ଧା ୧୧,୦୬୮ରହିଛି । ଏମାନଙ୍କ ମଧ୍ୟରେ କଳା ବର୍ଗର ୬୧୩୪, ବିଜ୍ଞାନରେ ୩୩୪୨, ବାଣିଜ୍ୟରେ ୧୦୪୩ ରହିଛନ୍ତି । ଏମବିଏ ଡିଗ୍ରୀଧାରୀଙ୍କ ସଂଖ୍ୟା ୧୬୫ ଥିବାବେଳେ ଏମସିଏ ଡିଗ୍ରୀଧାରୀଙ୍କ ସଂଖ୍ୟା ୨୬୯ ରହିଛି । କୃଷି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ୫ଜଣ ନାମ ପଞ୍ଜିକରଣ କରିଥିବାବେଳେ ୭୭ଜଣ ଇଞ୍ଜିନିୟର ଓ ୩୩ଜଣ ସ୍ନାତକୋତ୍ତର ଆଇନ୍ ଡିଗ୍ରୀଧାରୀ ବି ତାଲିକାରେ ରହିଛନ୍ତି ।
ନିଯୁକ୍ତି କ୍ଷେତ୍ରରେ ସର୍ବାଧିକ ସମ୍ଭାବନା ଥିବା ବୈଷୟିକ ଶିକ୍ଷା ଯଥା ଡିପ୍ଲୋମା, ଆଇଟିଆଇ, ସିଟି, ବିଏଡ୍, ଏମ୍ଏଡ୍ ପଞ୍ଜିକୃତ ସଂଖ୍ୟା ଚଳିତ ବର୍ଷ ଜୁନ୍ ମାସ ସୁଦ୍ଧା ୧୩,୪୧୭ ରହିଛି । ଏମାନଙ୍କ ମଧ୍ୟରେ ସର୍ବାଧିକ ୧୨,୮୫୩ଜଣ ଡିପ୍ଲୋମା ସାର୍ଟିଫିକେଟଧାରୀ ରହିଛନ୍ତି । ବିଏଡ୍ ଡିଗ୍ରୀଧାରୀଙ୍କ ସଂଖ୍ୟା ୯୦୯୦ ଥିବାବେଳେ ଏମଏଡ୍ ସଂଖ୍ୟା ମାତ୍ର ୧୧ ରହିଛି । (ତଥ୍ୟ)