ଭୁବନେଶ୍ୱର : ବାର ବର୍ଷ ତଳେ ପ୍ରଣୟନ କରାଯାଇଥିବା ରାଜ୍ୟ ମାମଲା ନୀତିର ଠିକଣା ଅନୁପାଳନ ହେଉ ନଥିବାରୁ ଓଡ଼ିଶାରେ ମାମଲା ସଂଖ୍ୟା କମିବା ପରିବର୍ତ୍ତେ ବଢି ବଢି ଚାଲିଛି । ମାମଲା ନୀତିକୁ କଡ଼ାକଡି ଭାବେ କାର୍ଯ୍ୟକାରି କରିବା ତ ଦୂରର କଥା ଏ ସଂକ୍ରାନ୍ତରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଥିବା କମିଟି ଗୁଡିକର ବୈଠକ ବର୍ଷ ବର୍ଷ ଧରି ବି ହେଉନାହିଁ ।
ରାଜ୍ୟର ବିଭିନ୍ନ ବିଚାରାଳୟ ଗୁଡିକରେ ମୋକଦ୍ଦମା ସଂଖ୍ୟା କମାଇବା ପାଇଁ ୨୦୧୧ ମସିହାରେ ରାଜ୍ୟ ମାମଲା ନୀତି ପ୍ରଣୟନ କରାଯାଇଥିଲା । ଏ ସଂକ୍ରାନ୍ତରେ ସେହିବର୍ଷ ମଇ ୩୧ ତାରିଖରେ ଗେଜେଟି ବିଜ୍ଞପ୍ତିକୁ ଆଇନ ବିଭାଗ ପ୍ରକାଶ କରିଥିଲା । ଆଇନ ଅଦାଲତ ଗୁଡିକରେ ଯେତେ ମାମଲା ରହୁଛି ସେଥିରୁ ଅଧିକାଂଶରେ ସରକାର ପକ୍ଷଭୁକ୍ତ ରହୁଛନ୍ତି । ଏହାଛଡ଼ା ସରକାରୀ ବିଧି ବ୍ୟବସ୍ଥାର ଉଲ୍ଲଂଘନ ଯୋଗୁ ଲୋକେ ମାମଲା ରୁଜୁ କରିବାକୁ ବାଧ୍ୟ ହେଉଛନ୍ତି ।
ଏହାସତ୍ତ୍ୱେ ବି ଅପରାଧିକ ମାମଲା ଗୁଡିକରେ ଦଣ୍ଡବିଧାନ ହାର ଢେର୍ କମ୍ ରହୁଛି ଏବଂ ବିଚାର ପ୍ରତୀକ୍ଷାରେ ଥିବା ଅପରାଧିକ ମାମଲା ଗୁଡିକ ମଧ୍ୟରୁ ବର୍ଷରେ ୧୦ ପ୍ରତିଶତ ବି ଫଇସଲା ହୋଇପାରୁନାହିଁ । କ୍ଷେତ୍ର ବିଶେଷରେ ଦେୱାନୀ ଓ ଫୌଜଦାରୀ ମାମଲା କେବଳ ବର୍ଷ ବର୍ଷ ନୁହେଁ ପୁରୁଷ ପୁରୁଷ ଧରି ଗଡିବା ଫଳରେ ଲୋକେ ନ୍ୟାୟ ପାଇବାରୁ ବଞ୍ôଚତ ହେଉଥିବାବେଳେ ବିଚାର ବ୍ୟବସ୍ଥା ଓ ପ୍ରଶାସନର ବ୍ୟାପକ ସମୟ ନଷ୍ଟ ହେଉଛି ଏବଂ ସରକାରଙ୍କୁ ମଧ୍ୟ ଥାନା, ଫାଣ୍ଡି, କୋର୍ଟ, କଚେରି ଆଦି ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।
ମାମଲା ନୀତିରେ କୁହାଯାଇଥିଲା ଯେ ଦୁର୍ବଳ ଓ ଅସତ୍ୟ ମାମଲା ଗୁଡିକୁ ଚିହ୍ନଟ କରାଯାଇ ଏଗୁଡିକର ତ୍ୱରିତ ପରିସମାପ୍ତି ଘଟାଇ ଅଦାଲତ ଉପରୁ ଚାପ କମାଇ ଗୁରୁତ୍ୱପୂର୍ଣ୍ଣ ମାମଲା ଫଇସଲା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି । ଏମିତିକି ଯେଉଁ କ୍ଷେତ୍ରରେ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ନୀତିଗତ ନିଷ୍ପତ୍ତି ନେଉଛନ୍ତି ଓ ତାହା ସରକାର କାର୍ଯ୍ୟକାରୀ କରୁଛନ୍ତି ସେଭଳି ଅନୁରୂପ କ୍ଷେତ୍ରରେ ସରକାରୀ କଳ ସମାନ ନ୍ୟାୟ ପ୍ରଦାନ କଲେ ଆଇନ ଅଦାଲତ ଉପରେ ମାମଲାର ଚାପ ହ୍ରାସ ପାଇବ । ଏହାଛଡ଼ା ପ୍ରଶାସନିକ ବ୍ୟବସ୍ଥା ମୁଣ୍ଡକୁ ଦାୟିତ୍ୱ ନନେଇ କୋର୍ଟ କଚେରୀର ନିଷ୍ପତ୍ତି ପାଇଁ ଅନାଇ ରହିବାରୁ ସମସ୍ୟା ବଢୁଛି ।
ମୋଟାମୋଟି ଭାବେ ୫ବର୍ଷରୁ ପୁରୁଣା ମାମଲା ଯେଭଳି ବାକି ନରୁହେ ତାହା ଉପରେ ମାମଲା ନୀତି ଗୁରୁତ୍ୱ ଦେଉଥିବାବେଳେ ବସ୍ତୁତଃ କିନ୍ତୁ ରାଜ୍ୟରେ ପାଖାପାଖି ୪୦ ପ୍ରତିଶତ ମାମଲା ୫ରୁ ୩୦ବର୍ଷ ଓ ତଦ୍ଦୁର୍ଦ୍ଧ୍ୱ ସମୟ ଧରି ବିଚାର ପ୍ରତୀକ୍ଷାରେ ଥିବା କୁହାଯାଉଛି । ମାମଲା ନୀତି ମୁତାବକ ଠିକଣା ସମୟରେ ବହୁ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଦାଲତରେ ଜବାବ କି ଅପିଲ ଦାଖଲ ହୋଇପାରୁନାହିଁ । ଏହାଛଡ଼ା ପୂର୍ବଭଳି ମଧ୍ୟ ମହଲତ ନେଇ ତାରିଖ ଗଡ଼ା ଚାଲିଛି । ବିଳମ୍ବିତ ବିଚାର ଯୋଗୁ ଲୋକେ ହନ୍ତସନ୍ତ ହେଉଥିବାବେଳେ ସରକାରଙ୍କୁ ମଧ୍ୟ ବହୁ କ୍ଷେତ୍ରରେ ତଣ୍ଡ ଗଣିବାକୁ ପଡୁଛି । ଏହାଛଡ଼ା ପ୍ରଶାସନ କଳ ବି ମାମଲାରେ ମାତି ବହୁ ସମୟ ବରବାଦ୍ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ମାମଲା ନୀତିରେ ମାତ୍ର ୯ଟି ଅନୁଚ୍ଛେଦ ରହିଛି । ଏହି ୯ଟି ଅନୁଚ୍ଛେଦରେ ରହିଥିବା ବ୍ୟବସ୍ଥାର ଠିକଣା ଅନୁପାଳନ କରାଯିବା ସହ ଯଦି ବିବାଦ ଓ ସାଧାରଣ ଲୋକଙ୍କ ଅଭିଯୋଗ ତୁରନ୍ତ ସକାରାତ୍ମକ ଫଇସଲା ହୋଇପାରନ୍ତା ତେବେ ମାମଲା ସଂଖ୍ୟା ଢେର୍ ହ୍ରାସ ପାଇପାରନ୍ତା ବୋଲି ପୁରୁଖା ଆଇନଜ୍ଞ ଓ ପ୍ରଶାସକମାନେ ସ୍ୱୀକାର କରୁଛନ୍ତି । (ତଥ୍ୟ)