Home Education ବିଦ୍ୟାଳୟସ୍ତରୀୟ ଅଡିଟ୍‌ ପାଇଁ ବୁଝାମଣାପତ୍ର

ବିଦ୍ୟାଳୟସ୍ତରୀୟ ଅଡିଟ୍‌ ପାଇଁ ବୁଝାମଣାପତ୍ର

ଭୁବନେଶ୍ୱର : ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍‌ ୟୁନିଟ୍‌ (ଓସାଟ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଓଡ଼ିଶା ରାଜ୍ୟ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛି । ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି -୪) ଯଥା:- ଅନ୍ତର୍ଭୁକ୍ତିକରଣ, ସମାନତା, ଗୁଣାତ୍ମକ ଏବଂ ସାମଗ୍ରିକ ବିଦ୍ୟାଳୟ ଶିକ୍ଷା ପ୍ରଦାନ ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଏହା ସହାୟକ ହେବ ।

ସମଗ୍ର ଶିକ୍ଷା ଯୋଜନା ଏପରି ଏକ ସମନ୍ୱିତ ବିଦ୍ୟାଳୟ ଶିକ୍ଷା ଯୋଜନା ଯାହା ଅଧୀନରେ ପ୍ରାକ-ବିଦ୍ୟାଳୟ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସମଗ୍ର ଦେଶରେ ଶିକ୍ଷାର ଗୁଣାତ୍ମକ ମାନରେ ବ୍ୟାପକ ବିକାଶ ଏବଂ ଉନ୍ନତି ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ । ଏହାର ଯୋଜନାର କାର୍ଯ୍ୟକାରିତାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ପାଇଁ ସାମାଜିକ ଅଡିଟ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି ।

ଏହି ସାମାଜିକ ଅଡିଟ୍‌ ସମଗ୍ର ଶିକ୍ଷାର ମନିଟରିଂ ଏବଂ ଟ୍ରାକିଂ ବ୍ୟବସ୍ଥା ପାଇଁ ସ୍ୱାଧୀନ ଭାବରେ କାର୍ଯ୍ୟ କରିବ । ଏହି ଯୋଜନା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ସଂଗ୍ରହ କରାଯିବା ସହ ତୃଣମୂଳ ସ୍ତରରେ ବିଶେଷକରି ବିଦ୍ୟାଳୟଗୁଡିକରୁ ଅଂଶୀଦାରଙ୍କ ଠାରୁ ମତାମତ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯିବ । ସମଗ୍ର ଶିକ୍ଷା କାର୍ଯ୍ୟକାରିତା ପ୍ରକ୍ରିୟାରେ ଜନସାଧାରଣଙ୍କ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏହି ପଦକ୍ଷେପର ଲକ୍ଷ୍ୟ ।

ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ସାମାଜିକ ଅଡିଟ୍‌ ୟୁନିଟ୍‌ ୫ ବର୍ଷ ମଧ୍ୟରେ ସମସ୍ତ ସରକାରୀ ବିଦ୍ୟାଳୟ ପାଇଁ ସାମାଜିକ ଅଡିଟ୍‌ କରିବ, ଯେଉଁଥିରେ ବାର୍ଷିକ ମୋଟ ସରକାରୀ ବିଦ୍ୟାଳୟ ସଂଖ୍ୟାର ୨୦% ଅନ୍ତର୍ଭୁକ୍ତ ହେବ । ଏହି ଆଭିମୁଖ୍ୟ ସମଗ୍ର ରାଜ୍ୟରେ ବିଦ୍ୟାଳୟଗୁଡିକର ଶୃଙ୍ଖଳିତ ଏବଂ ବ୍ୟାପକ କଭରେଜ୍‌ ସୁନିଶ୍ଚିତ କରିବ ।

ମାଷ୍ଟର ଟ୍ରେନରମାନଙ୍କ ପାଇଁ ପ୍ରଥମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରି ଓଡ଼ିଶା ରାଜ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି ଯାହା ସାମାଜିକ ଅଡିଟ୍‌ ପ୍ରକ୍ରିୟାକୁ ସହଜ କରିବ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଓସାଟ୍‌, ଭୁବନେଶ୍ୱର ସହଯୋଗରେ ଅକେଫାବର ୬, ୨୦୨୩ରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରର କୃଷିଭବନଠାରେ ଅନୁଷ୍ଠିତ ହୋଇଥିଲା । ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ପ୍ରଫେସର ଡ. ସାରଦା ସିହ୍ନା ଏବଂ ଟିମ୍‌ ମାଷ୍ଟର ଟ୍ରେନରମାନଙ୍କୁ ଅତ୍ୟାବଶ୍ୟକ ଜ୍ଞାନ ଓ କୌଶଳ ପ୍ରଦାନ କରି ପ୍ରଶିକ୍ଷଣର ନେତୃତ୍ୱ ନେଇଥିଲେ ।

ଶିକ୍ଷା ସମ୍ବଳ ଯେପରି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ ଏବଂ ଶିକ୍ଷା ବ୍ୟବସ୍ଥା ଯେପରି ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ ହେବ ତାହାକୁ ଏହି ପରିବର୍ତନମୂଳକ ପଦକ୍ଷେପ ସୁନିଶ୍ଚିତ କରିବ । ଏହା ଏସ୍‌ଡିଜି-୪ର ଲକ୍ଷ୍ୟ ସହ ଯୋଡ଼ି ହୋଇ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ଓଡ଼ିଶାର ପ୍ରତିବଦ୍ଧତାକୁ ଦୃଢ଼ କରିବ ।