Home General କମ ରହୁଛି ମହିଳାଙ୍କ ସଂଖ୍ୟା

କମ ରହୁଛି ମହିଳାଙ୍କ ସଂଖ୍ୟା

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଢେର୍‍ କମ୍‍ ରହୁଥିବାରୁ ଆଗାମୀ ଦିନରେ ଏହା ଗୁରୁତର ସାମାଜିକ, ଆର୍ଥିକ ଓ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି କରିପାରେ ବୋଲି ସମାଜ ବିଜ୍ଞାନୀମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।

ଏବେ ବିବାହ ଯୋଗ୍ୟ ବୟସରେ ଥିବା ଓଡ଼ିଶାର ଲକ୍ଷାଧିକ ପୁଅଙ୍କ ପାଇଁ କନ୍ୟା ନାହାନ୍ତି । ଆଉ ୨୦ବର୍ଷ ପରେ ଏହି ସମସ୍ୟା ଅଧିକ ଉତ୍କଟତର ହୋଇପାରେ । ଲିଙ୍ଗଗତ ପ୍ରଭେଦ ଦୂର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ପ୍ରଚାର କରାଯାଉଥିବାବେଳେ ଏହା ହିଁ ହେଉଛି ବାସ୍ତବ ସ୍ଥିତି ।

ଗତ ଜନଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶାର ୧୦ଟି ଜିଲ୍ଲାରେ ପ୍ରତି ହଜାର ପୁରୁଷରେ ମହିଳାଙ୍କ ଅନୁପାତ ଅଧିକ ରହିଛି । ଏହି ୧୦ଟି ଜିଲ୍ଲା ମଧ୍ୟରୁ ୯ଟି ହେଉଛି ଆଦିବାସୀ ଅଧ୍ୟ୍ୟୁଷିତ ରାୟଗଡ଼ା, ଗଜପତି, କନ୍ଧମାଳ, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି, ମୟୂରଭଞ୍ଜନ ଓ କଳାହାଣ୍ଡି ଏବଂ ଉପକୂଳବର୍ତ୍ତି କେନ୍ଦ୍ରାପଡ଼ା ଜିଲ୍ଲା । ଅବଶିଷ୍ଟ ୨୦ଟି ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ କମ୍‍ ରହୁଛି । ନୟାଗଡ଼ ଜିଲ୍ଲାରେ ସର୍ବଶେଷ ଜନଗଣନା ତଥ୍ୟ ମୁତାବକ ପ୍ରତି ହଜାର ପୁରୁଷରେ ମହିଳାଙ୍କ ଅନୁପାତ ସର୍ବନିମ୍ନ ୯୧୬ ଥିବାବେଳେ ରାଜ୍ୟର ରାଜଧାନୀ ଥିବା ଖୋର୍ଦ୍ଧା ଜିଲ୍ଲାରେ ଏହି ଅନୁପାତ ୯୨୫ ରହିଛି । ଏ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାର ସ୍ଥାନ ୨୯ରେ ଥିବାବେଳେ ନୟାଗଡ଼ ୩୦ରେ ରହିଛି । ଏଠାରେ ଉଲ୍ଲେଖନୀୟ ଯେ ଏହି ରିପୋର୍ଟ ମୁତାବକ ସମଗ୍ର ରାଜ୍ୟରେ ପ୍ରତି ହଜାରେ ପୁରୁଷରେ ମହିଳାଙ୍କ ଅନୁପାତ ୯୭୮ବୋଲି ଗଣନା କରାଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ୧୯୦୧ରୁ ୧୯୬୧ ପର୍ଯ୍ୟନ୍ତ ଲଗାତର ଭାବେ ଓଡ଼ିଶାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଅନୁପାତ ଅଧିକ ରହୁଥିଲା । ୧୯୭୧ରୁ ୨୦୧୧ର ଜନଗଣନା ପର୍ଯ୍ୟନ୍ତ ସବୁଥିରେ ରାଜ୍ୟରେ ମହିଳାଙ୍କ ଆନୁପାତିକ ସଂଖ୍ୟା ପୁରୁଷଙ୍କଠାରୁ କମ୍‍ ଦର୍ଶାଯାଇଛି । ୨୦୨୧ରେ ଜନଗଣନା ହୋଇନଥିବାରୁ ଏବେ ରାଜ୍ୟର ବାସ୍ତବ ସ୍ଥିତି କେବଳ ଅନୁମାନ ସାପେକ୍ଷ । ସର୍ବଶେଷ ଜନଗଣନା ହିସାବ ମୁତାବକ ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରେ ପ୍ରତି ହଜାର ପୁଅରେ ହାରାହାରି କନ୍ୟା ସନ୍ତାନଙ୍କ ସଂଖ୍ୟା ୯୩୪ ରହୁଛି ।

ଏ କ୍ଷେତ୍ରରେ କଟକ ଓ କେନ୍ଦ୍ରାପଡ଼ାରେ ଗତ ଜନଗଣନାରେ ତଥ୍ୟ ମୁତାବକ ପ୍ରତି ହଜାରେ ଶିଶୁପୁତ୍ରରେ ଶିଶୁ କନ୍ୟାଙ୍କ ସଂଖ୍ୟା ୯୨୧ ଥିବାବେଳେ ଦେବଗଡ଼ରେ ଏହା ୯୧୭ ଓ ଖୋର୍ଦ୍ଧାରେ ୯୧୦ ଥିଲା । କଟକ ଜିଲ୍ଲାରେ ଶିଶୁକନ୍ୟାଙ୍କ ଅନୁପାତ ୯୧୩ ଥିବାବେଳେ ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରେ ଏହା ୯୩୧ ରହିଥିଲା । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ଏହା ୯୩୭ ଓ ବାଲେଶ୍ୱରରେ ୯୪୧ ରେକର୍ଡ କରାଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ୬ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ଭିତରେ ଝିଅମାନଙ୍କ ସଂଖ୍ୟା ଯେଭଳି ଅତି କମ୍‍ ରହୁଛି ତାହା ଭବିଷ୍ୟତରେ ସାମାଜିକ ସନ୍ତୁଳନ ବିଗାଡି ପାରେ । ଜନସଂଖ୍ୟା ଗବେଷକମାନଙ୍କ ଯୁକ୍ତି ହେଉଛି ଯେ ଶିଶୁ ଓ ମାତୃ ମୃତ୍ୟୁହାର କମିବା ସହିତ ମଣିଷର ହାରାହାରି ପରମାୟୁ ଓଡ଼ିଶାରେ ବଢୁଥିବାରୁ ଏବେ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ୧୬ବର୍ଷରୁ କମ୍‍ ବୟସ୍କ ପିଲାଙ୍କ ସଂଖ୍ୟା ତୁଳନାରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଢେର୍‍ ଅଧିକ ରହୁଛି ।

ମୋଟାମୋଟି ଭାବେ ସାରା ଦେଶରେ ଗତ ଜନଗଣନା ହିସାବ ମୁତାବକ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ପ୍ରାୟ ୪କୋଟି କମ୍‍ ଥିବାବେଳେ ୬ବର୍ଷ ପର୍ଯ୍ୟନ୍ତ ବୟସର ଶିଶୁମାନଙ୍କ ଭିତରେ କନ୍ୟାରତ୍ନଙ୍କ ସଂଖ୍ୟା ଶିଶୁପୁତ୍ରମାନଙ୍କ ଠାରୁ ପ୍ରାୟ ୭ଲକ୍ଷ କମ୍‍ ଥିଲା । ସେହିଭଳି ଓଡ଼ିଶାରେ ଏହି ଜନଗଣନାର ତଥ୍ୟ ମୁତାବକ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ପ୍ରାୟ ସାଢେ ୪ଲକ୍ଷ କମ୍‍ ଥିବାବେଳେ ୬ବର୍ଷ ବୟସର ଶିଶୁମାନଙ୍କ ମଧ୍ୟରେ ବି ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା ପାଖାପାଖି ୨ଲକ୍ଷ କମ୍‍ ଥିଲା । ଏବେ ସଂଖ୍ୟାଧିକ ପରିବାର ଏକ ସନ୍ତାନ ବିଶିଷ୍ଟ ହୋଇଥିବାରୁ ବର୍ତ୍ତମାନ ସ୍ଥିତିରେ ଏହି ସମସ୍ୟା ଅଧିକ ଗମ୍ଭୀର ହୋଇପାରେ ।

ଜନସଂଖ୍ୟା ବିଷାରଦମାନେ କହୁଛନ୍ତି ଯେ, ଏକଦା ଏକ ସନ୍ତାନ ପରିବାର ଉପରେ ଗୁରୁତ୍ୱ ଦେଉଥିବା ଚୀନ୍‍ ଏବେ ସର୍ବନିମ୍ନ ୩ ସନ୍ତାନ ପରିବାର ନୀତି ପ୍ରଣୟନ କରିବାକୁ ବାଧ୍ୟ ହୋଇଛି । ଜାପାନ ଓ ଦକ୍ଷିଣ କୋରିଆରେ ମଧ୍ୟ ଏହି ସମସ୍ୟା ଉତ୍କଟତର ହେବାରେ ଲାଗିଛି । ଏହି ଦେଶ ଗୁଡିକରେ ବୁଢାବୁଢୀମାନଙ୍କ ସଂଖ୍ୟା ଯୁବକମାନଙ୍କଠାରୁ ଅଧିକ । ଏହାଛଡ଼ା ପୁଅମାନଙ୍କ ତୁଳନାରେ ଝିଅମାନଙ୍କ ସଂଖ୍ୟା କମ୍‍ ରହୁଥିବାରୁ ତାହା ମଧ୍ୟ ଅନେକ ଦେଶପାଇଁ ଚିନ୍ତାର କାରଣ ହେଲାଣି । (ତଥ୍ୟ)