ଭୁବନେଶ୍ୱର : ଗତ ଚାରିବର୍ଷ ମଧ୍ୟରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ବିରୁଦ୍ଧରେ ଚାଲିଥିବା ଅଭିଯାନରେ ୨ଲକ୍ଷ କିଲୋରୁ ଅଧିକ ପ୍ଲାଷ୍ଟିକ ଜବତ ହୋଇଥିବାବେଳେ ମାତ୍ର ଗୋଟିଏ ମାମଲା ରୁଜୁ ହୋଇଛି । ସେହିଭଳି ଏହି ସମୟ ମଧ୍ୟରେ ତିନିଟି ପ୍ଲାଷ୍ଟିକ ଶିଳ୍ପସଂସ୍ଥାକୁ ବନ୍ଦ କରାଯାଇଛି ।
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୯ ଅକ୍ଟୋବର ୨ତାରିଖରୁ ଏକକ ବ୍ୟବହାର ପ୍ଲାଷ୍ଟିକ ଉପରେ ନିଷେଧାଦେଶ ଜାରି ହେବାପରେ ରାଜ୍ୟର ସମସ୍ତ ସହରାଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୨,୧୫,୩୮୫ କିଲୋ ପ୍ଲାଷ୍ଟି ଜବତ ହୋଇଛି । ଏ ବାବଦରେ ମାତ୍ର ଗୋଟିଏ ମାମଲା ରୁଜୁ ହୋଇଛି । ସେହିଭଳି ଜୋରିମାନା ଆକାରରେ ୨,୩୮,୯୪,୯୭୬ ଟଙ୍କାଆଦାୟ ହୋଇଛି ଏବଂ ୩ଟି ପ୍ଲାଷ୍ଟିକ ଶିଳ୍ପସଂସ୍ଥାକୁ ବନ୍ଦ କରାଯାଇଛି ।
ଜବତ ହୋଇଥିବା ପ୍ଲାଷ୍ଟିକଗୁଡିକୁ ସିମେଣ୍ଟ କାରଖାନାରେ ବ୍ୟବହାର ପାଇଁ ପଠାଯାଇଛି । ଏକକ ବ୍ୟବହୃତ ପ୍ଲାଷ୍ଟିକର ବିକଳ୍ପ ରୂପେ କାଗଜ, କାର୍ଡବୋର୍ଡ, ପତ୍ର, ଉଦ୍ଭିଦଜାତ ଦ୍ରବ୍ୟ ସହ ପରିବେଶ ଅନୁକୂଳ ପ୍ଲାଷ୍ଟିକ ପ୍ରଚଳନ ଆରମ୍ଭ ହୋଇଛି । ଭୁବନେଶ୍ୱର ତଥା ଅନ୍ୟାନ୍ୟ ପୌରାଞ୍ଚଳରେ ନିଷିଦ୍ଧ ଏକକ ବ୍ୟବହୃତ ପ୍ଲାଷ୍ଟି ଦ୍ରବ୍ୟର ବିକଳ୍ପ ଗୁଡିକର ବହୁଳ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉନଥିବା କାରଣରୁ ଏହାର ବ୍ୟବହାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇପାରୁ ନାହିଁ ।
ମନ୍ତ୍ରୀ ରଖିଥିବା ଉତ୍ତରରୁ ଜଣାଯାଇଛି ଯେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନେଇ କେବଳ ବୀରମିତ୍ରପୁର ମ୍ୟୁନିସିପାଲିଟିରେ ଗୋଟିଏ ମାମଲା ରୁଜୁ ହୋଇଛି । ଏହି ପୌରାଞ୍ଚଳରେ ୧୨୦୪ କିଲୋ ପ୍ଲାଷ୍ଟିକ ଜବତ ହୋଇଥିବାବେଳେ ଜୋରିମାନା ଆକାରରେ ୪୭,୪୫୦ ଟଙ୍କା ଆଦାୟ ହୋଇଛି । ତେବେ ସବୁଠାରୁ ଅଧିକ ୬୧,୯୩,୮୫୭ ଟଙ୍କାର ଜୋରିମାନା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଦାୟ ହୋଇଥିବାବେଳେ ଏଠାରୁ ୨୨,୫୬୫ କିଲୋ ପ୍ଲାଷ୍ଟିକ ଜବତ କରାଯାଇଛି ।
ସବୁଠାରୁ ଅଧିକ ପରିମାଣର ୪୬,୨୨୩ କିଲୋ ପ୍ଲାଷ୍ଟିକ କଟକ ମହାନଗର ନିଗମ ଅଞ୍ଚଳରୁ ଜବତ ହୋଇଥିବାବେଳେ ଏଠାରୁ ଜୋରିମାନା ଆକାରରେ ଆଦାୟ ହୋଇଛି ୧୬,୨୭,୬୩୨ ଟଙ୍କା । ପ୍ଲାଷ୍ଟିକ ଜବତ କ୍ଷେତ୍ରରେ ତୃତୀୟ ସ୍ଥାନରେ ରହିଛି ଯାଜପୁର ମ୍ୟୁନିସିପାଲିଟି । ଏଠାରୁ ୨୫,୦୫୩ କିଲୋ ପ୍ଲାଷ୍ଟିକ ଜବତ ସହିତ ଜୋରିମାନା ଆକାରରେ ୨,୩୮,୨୦୦ ଟଙ୍କା ଆଦାୟ କରାଯାଇଛି । ସେହିଭଳି ହିଞ୍ଜିଳିକାଟୁ ମ୍ୟୁନିସିପାଲିଟିରୁ ୧୦,୫୧୩ କିଲୋ ପ୍ଲାଷ୍ଟିକ ଜବତ ହୋଇଥିବାବେଳେ ଆଠଗଡ ଏନଏସିରୁ ୮୦୧୧ କିଲୋ, ବାଲେଶ୍ୱର ମ୍ୟୁନିସିପାଲଟିରୁ ୫୯୨୫ କିଲୋ, ଉଦଳା ଏନଏସିରୁ ୪୫୮୫ କିଲୋ, ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରୁ ୪୪୫୮ କିଲୋ, ଗୁଣୁପୁରୁ ମ୍ୟୁନିସିପାଟଲିଟିରୁ ୪୩୪୬ କିଲୋ, କୋରାପୁଟ ମ୍ୟୁନିସିପାଲିଟିରୁ ୩୪୨୬ କିଲୋ ପ୍ଲାଷ୍ଟିକ ଜବତ କରାଯାଇଛି । ତେବେ ରାଜ୍ୟର ତିନିଟି ମହାନଗର ନିଗମରେ ଏକକ ବ୍ୟବହୃତ ପ୍ଲାଷ୍ଟିକ ନେଇ କୌଣସି ମାମଲା ହୋଇନଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । (ତଥ୍ୟ)