Home General ସଂଗ୍ରାମୀ ପୀଠର ରୂପାନ୍ତରଣ ହେଉ

ସଂଗ୍ରାମୀ ପୀଠର ରୂପାନ୍ତରଣ ହେଉ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଉଜ୍ଜିବୀତ କରି ରଖିବା ସହ ପରବର୍ତ୍ତୀ ପିଢିକୁ ଦେଶାତ୍ମବୋଧର ମନ୍ତ୍ରରେ ଅଭିମନ୍ତ୍ରିତ କରିବା ଲାଗି ରାଜ୍ୟରେ ଥିବା ସମସ୍ତ ବଳିଦାନ ଓ ସଂଗ୍ରାମ କ୍ଷେତ୍ରକୁ ଚିହ୍ନଟ କରି ଏଗୁଡିକର ବିକାଶ ଲାଗି ମତ ପ୍ରକାଶ ପାଉଛି । ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଗୁଡିକର ରୂପାନ୍ତରଣ ସହିତ ସହିଦ ଓ ସଂଗ୍ରାମ ପୀଠଗୁଡିକୁ ଆକର୍ଷଣୀୟ କରାଯାଇପାରିଲେ ଏହା ରାଜ୍ୟକୁ ଦୀର୍ଘମିଆଦି ସୂତ୍ରରେ ଢେର ଲାଭ ଦେବ ବୋଲି ବୁଦ୍ଧିଜୀବୀ ମହଲ ମତବ୍ୟକ୍ତ କରୁଛନ୍ତି ।

ଭାରତଛାଡ଼ ଆନ୍ଦୋଳନ ସମୟରେ ଓଡ଼ିଶାର ଇରମ୍‍, ଲୁଣିଆ, ତୁଡ଼ିଗଡିଆ-ଖଇରାଡିହି, କାଇପଡ଼ା-କଳାମାଟିଆ, ମାଥିଲି, ପାପଡ଼ାହାଣ୍ଡି, ନିମାପଡ଼ା, ନୟାଗଡ଼, ତାଳଚେର, ଢେଙ୍କାନାଳ, ନୀଳଗିରି, ସୋନପୁର ଆଦି ବହୁ ସ୍ଥାନରେ ଗୁଳିକାଣ୍ଡ ଘଟି ଅନେକ ସ୍ୱାଧୀନତା ସଂଗ୍ରାମୀ ଶହୀଦ ହୋଇଥିଲେ । ଏହି ଆନ୍ଦୋଳନ କାଳରେ କେବଳ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଅନ୍ୟୁନ ୪୩ଜଣ ଦେଶପାଇଁ ପ୍ରାଣବଳି ଦେଇଥିଲେ । ଲକ୍ଷ୍ମଣ ନାୟକଙ୍କ ଭଳି ସତ୍ୟାଗ୍ରହୀ ଫାଶୀ ଖୁଣ୍ଟରେ ଝୁଲିଥିଲେ ।

ଲବଣ ସତ୍ୟାଗ୍ରହ ସମୟରେ ଇଞ୍ଚୁଡ଼ି, ଶ୍ରୀଜଙ୍ଗ, କୁଜଙ୍ଗ, ଅସ୍ତରଙ୍ଗର କୁହୁଡ଼ି, ଗଞ୍ଜାମର ହୁମା ଆଦି ବହୁ ସ୍ଥାନରେ ସତ୍ୟାଗ୍ରହ ହୋଇଥିଲା । ଏହାଛଡ଼ା ବେଆଇନ ଘୋଷିତ ଲୁଣି ବିକି ଅନେକ ସଂଗ୍ରାମୀ ମଧ୍ୟ ଗିରଫ ହୋଇଥିଲେ । କଟକ, ବାଲେଶ୍ୱର ସମେତ ବହୁ ସ୍ଥାନରେ ମଦ ଦୋକାନ ଆଗରେ ପିକେଟିଂ କରି ଅନେକ ମହିଳା ଗିରଫ ହେବା ସହ ବାନରସେନାର ସ୍ୱେଚ୍ଛାସେବୀମାନେ ବେତ୍ରାଘାତ ଖାଇଥିଲେ । କଟକ, ପୁରୀ, ବ୍ରହ୍ମପୁର, କୋରାପୁଟ, ବାଲେଶ୍ୱର ଆଦି ବିଭିନ୍ନ ଜେଲରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅଟକ ରଖାଯାଇଥିଲା । ଏସବୁ ସ୍ଥାନ ଗୁଡିକର ଯେଭଳି ପ୍ରଚାର ପ୍ରସାର ଓ ବିକାଶ କରାଯିବା କଥା ତାହା ଏଯାବତ୍‍ ହୋଇନାହିଁ ।

ଏହାଛଡ଼ା ୮ଟି ପର୍ଯ୍ୟାୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି ଅନ୍ୟୁନ ୬୯ଦିନ କଟାଇଥିଲେ ଏବଂ ସେଥିମଧ୍ୟରୁ ପାଖାପାଖି ମାସେ ବିତିଥିଲା ପଦଯାତ୍ରାରେ । କଟକ, ପୁରୀ, ଗଞ୍ଜାମ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ସମ୍ବଲପୁର, ଖୋର୍ଦ୍ଧା, ଗଜପତି ଓ ଝାରସଗୁଡା ଆଦି ଜିଲ୍ଲାରେ ଗାନ୍ଧୀଜୀଙ୍କର ଅନେକ କାର୍ଯ୍ୟକ୍ରମ ହୋଇଥିଲା । ଏହି ଗାନ୍ଧୀ ପୀଠ ଗୁଡିକର ବିକାଶ କରି ଗାନ୍ଧୀ ସର୍କିଟ ଲାଗି ବହୁ ପୂର୍ବରୁ ପ୍ରସ୍ତାବ ରହିଥିବାବେଳେ ତାହା ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରିନାହିଁ । ଏମିତିକି ସ୍ୱାଧୀନତା ସଂଗ୍ରାମୀମାନଙ୍କ ଗାଁକୁ ଆଦର୍ଶ ଗାଁ ଭାବେ ଘୋଷଣା କରାଯିବ ବୋଲି ପୂର୍ବରୁ କୁହାଯାଇଥିବାବେଳେ ତାହା ବି ପୂର୍ଣ୍ଣାଙ୍ଗ ରୂପ ଏଯାବତ୍‍ ନେଇନାହିଁ ।

ସ୍ୱାଧୀନତା ସଂଗ୍ରାମ ସହିତ ଜଡିତ କଟକର ସ୍ୱରାଜ ଆଶ୍ରମ, ଜଗତସିଂହପୁରର ଅଳକା ଆଶ୍ରମ, ବରୀର ସେବାଘର, ଭଦ୍ରକ ଗରଦପୁରର ଉତ୍କଳ ବାଳାଶ୍ରମ, ସାକ୍ଷୀଗୋପାଳର କାଦୁଆ ଆଶ୍ରମ, ବେରବୋଇର ସତ୍ୟାଗ୍ରହୀ ଆଶ୍ରମ, ଛତିଆ ନିକଟବର୍ତ୍ତୀ ଚମ୍ପାପୁର ହାଟ ଆଶ୍ରମ, ସତ୍ୟଭାମାପୁରର ମଧୁକୋଠି ଆଦି ବହୁ ସ୍ମରଣୀୟ ସ୍ଥାନ ଜନମାନସରୁ ବିଲୁପ୍ତ ହେବାକୁ ଯାଉଛି । ଏହାଛଡ଼ା ପାଇକ ବିଦ୍ରୋହ, ସୀପାହି ବିଦ୍ରୋହ ଆଦି ସମୟରେ ଓଡ଼ିଆଙ୍କ ବୀରତ୍ୱର ଗାଥା ଯେଉଁସବୁ ସ୍ଥାନ ବଖାଣି ଥାଏ ସଗେୁଡିକ ସମ୍ପର୍କରେ ବି ବିଶେଷ ଆଲୋଚନା ହେଉନାହିଁ ।

ସୁନ୍ଦରଗଡ଼ ଜିଲ୍ଲାର ଆମ୍‍କୋ ସିମ୍‍କୋରେ ପୁଲିସ ଗୁଳିରେ ୧୯୩୯ ମସିହାରେ ପ୍ରାୟ ୪୦ଜଣ ଆଦିବାସୀ ଶହୀଦ ହେବା, କନିକାରେ ବାସୁ ବିଶୁନିଙ୍କୁ ହତ୍ୟା କରିବା, ରଣପୁରର ରଘୁ ଦିବାକରଙ୍କୁ ଫାଶୀ, ଢେଙ୍କାନାଳର ଭୁବନ ଓ ନୀଳକଣ୍ଠପୁର ଘାଟରେ ପୁଲିସ ଗୁଳିରେ ବାଜି ରାଉତଙ୍କ ସହ ୬ଜଣ ଶହୀଦ ହେବା ଭଳି ଅନେକ ରୋମାଞ୍ଚକର ଘଟଣା ରହିଛି । ସ୍ୱାଧୀନତା ଆନ୍ଦୋଳନ ସମୟରେ ଓଡ଼ିଶାର ଆଦିବାସୀ ଓ ମହିଳାମାନେ ଯେଭଳି ବୀରତ୍ୱର ପରାକାଷ୍ଠା ସହ ତ୍ୟାଗ ଦେଖାଇଛନ୍ତି ସେ ସମ୍ପର୍କରେ ପାଠ୍ୟପୁସ୍ତକରେ ବିଶେଷ ତଥ୍ୟ ନାହିଁ । ରାଜ୍ୟର ଏଭଳି ଗୌରବାବହ ଗାଥାର ଠିକଣା ସଂକଳନ ସହିତ ସ୍ମୃତିପୀଠ ଗୁଡିକୁ ଚିହ୍ନଟ କରି ସେଗୁଡିକ ସହିତ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କୁ ଯୋଡ଼ାଗଲେ ସେମାନଙ୍କ ମନରେ ଦେଶପ୍ରୀତି ଅଧିକ ହେବ ବୋଲି ବହୁ ବୁଦ୍ଧିଜୀବୀ ମତବ୍ୟକ୍ତ କରିଛନ୍ତି । (ତଥ୍ୟ)