Home News in Odia ବଢୁଛି ଆତ୍ମହତ୍ୟା ଓ ହତ୍ୟାକାଣ୍ଡ

ବଢୁଛି ଆତ୍ମହତ୍ୟା ଓ ହତ୍ୟାକାଣ୍ଡ

ଭୁବନେଶ୍ୱର : ଓଡ଼ିଶାରେ ଆତ୍ମହତ୍ୟା, ହତ୍ୟା, ଚୋରି, ରାହାଜାନୀ ଓ ମୋଟରଯାନ ଦୁର୍ଘଟଣା ବର୍ଷକୁ ବର୍ଷ ବଢିବାରେ ଲାଗିଛି । ୫ବର୍ଷ ଭିତରେ ଆତ୍ମହତ୍ୟା ମାମଲା ସଂଖ୍ୟା ଢେର୍‍ ବଢିଥିବାବେଳେ ଅନ୍ୟାନ୍ୟ ଅପରାଧ ମଧ୍ୟ ବଢୁଥିବା ଜଣାପଡିଛି ।

ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦେଇଥିବା ସୂଚନା ମୁତାବକ ୨୦୧୮ ବର୍ଷରେ ଓଡ଼ିଶାରେ ୪,୪୪୭ଟି ଆତ୍ମହତ୍ୟା ମାମଲା ରୁଜୁ ହୋଇଥିବାବେଳେ ୨୦୧୯ରେ ୪,୬୩୬, ୨୦୨୦ରେ ୫, ୪୮୨, ୨୦୨୧ରେ ୫, ୬୪୯ଟି ମାମଲା ରୁଜୁ ହୋଇଥିଲା । ତେବେ ୨୦୨୨ରେ ଓଡ଼ିଶାରେ ୬, ୧୪୦ଟି ଆତ୍ମହତ୍ୟା ମାମଲା ଦରଜ ହୋଇଥିବା ଗୃହରାଷ୍ଟ୍ରମନ୍ତ୍ରୀ କହିଛନ୍ତି ।

ତାଙ୍କ ପ୍ରଦତ୍ତ ସରକାରୀ ତଥ୍ୟ ମୁତାବକ ୨୦୧୮ରେ ରାଜ୍ୟରେ ୯୦୬୯ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ତାହା ୧୦,୪୧୨ ଓ ୨୦୨୧ରେ ୧୩,୦୨୪ ଥିଲା । ୨୦୨୨ରେ ରାଜ୍ୟରେ ଚୋରି ମାମଲା ସଂଖ୍ୟା ବୃଦ୍ଧି ପାଇ ୧୪, ୮୯୩ରେ ପହଞ୍ôଚଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସେହିଭଳି ମୋଟରଯାନ ଦୁର୍ଘଟଣା ରାଜ୍ୟରେ ମଧ୍ୟ ବାର୍ଷିକ ୧୧ହଜାରରୁ ଅଧିକ ରହୁଛି । ୨୦୧୮ ଓ ୨୦୧୯ ବର୍ଷରେ ଯଥାକ୍ରମେ ଓଡ଼ିଶାରେ ୧୧, ୨୬୨ ଓ ୧୧, ୦୬୪ଟି ମୋଟରଯାନ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୦ ଓ ୨୦୨୧ରେ ଏହା ଯଥାକ୍ରମେ ୯୮୧୭ ଓ ୧୦୯୮୩କୁ ହ୍ରାସ ପାଇଥିଲା । ତେବେ ପୁଣି ୨୦୨୨ରେ ରୁଜୁ ହୋଇଥିବା ମୋଟରଯାନ ଦୁର୍ଘଟଣା ମାମଲା ସଂଖ୍ୟା ବୃଦ୍ଧି ପାଇ ୧୧, ୬୬୩ରେ ପହଞ୍ôଚଛି । ଅନ୍ୟପକ୍ଷରେ ୨୦୧୮ରେ ଓଡ଼ିଶାରେ ୨୧୨୫ଟି ରାହାଜାନୀ ମାମଲା ପଞ୍ଜିକୃତ ହୋଇଥିବାବେଳେ ଏହା ବୃଦ୍ଧି ପାଇ ୨୦୨୨ ବର୍ଷରେ ୨୯୯୮ରେ ପହଞ୍ôଚଛି ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଅପରାଧ ରିପୋର୍ଟିଂ ବୃଦ୍ଧି ପାଇଛି । ମାମଲାର ମୁକ୍ତ ପଞ୍ଜୀକରଣ, ଶିକ୍ଷା ଓ ସଚେତନତା ତଥା ‘୫-ଟି’ ଓ ‘ମୋ ସରକାର’ର ସଠିକ ରୁପାୟନ ସହ ଅପରାଧିକ ମାମଲାରେ ପୁଲିସର ଶୂନ୍ୟ ସହିଷ୍ଣୁତା ତଥା ଜନସଂଖ୍ୟା ଓ ଶିଳ୍ପାୟନ ବୃଦ୍ଧି ଯୋଗୁ ମାମଲା ସଂଖ୍ୟା ବଢୁଛି । (ତଥ୍ୟ)