Home News in Odia ଗଡିଲା ପୁରୀ-ରାଉରକେଲା ବନ୍ଦେ ଭାରତ

ଗଡିଲା ପୁରୀ-ରାଉରକେଲା ବନ୍ଦେ ଭାରତ

ନୂଆାଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୁରୀ-ରାଉରକେଲା ସମେତ ୯ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ନୂତନ ବନ୍ଦେ ଭାରତ ଟ୍ରେନ୍ ଗୁଡ଼ିକ ସମଗ୍ର ଦେଶରେ ଯୋଗାଯୋଗ କ୍ଷେତ୍ରରେ  ଉନ୍ନତି ଆଣିବା ଏବଂ ରେଳ ଯାତ୍ରୀ ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସଫଳ କରିବା ଦିଗରେ ଏକ ଅନନ୍ୟ ପଦକ୍ଷେପ । 

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଦେଶରେ ଆଧୁନିକ ଯୋଗାଯୋଗର ଏକ ଅଭୂତପୂର୍ବ ଅବସର । ଦେଶରେ ଭିତ୍ତିଭୂମି ବିକାଶର ଏହି ଗତି ଏବଂ ବ୍ୟାପକତା ୧୪୦ କୋଟି ଭାରତୀୟ ମାନଙ୍କର ଆକାଂକ୍ଷା ସହ ସମାନ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆରମ୍ଭ ହୋଇଥିବା ଟ୍ରେନ୍ ଗୁଡ଼ିକ ଅଧିକ ଆଧୁନିକ ଏବଂ ଆରାମଦାୟକ । ସେ କହିଛନ୍ତି ଯେ ଏହି ବନ୍ଦେ ଭାରତ ଟ୍ରେନ୍ ଗୁଡିକ ନୂତନ ଭାରତର ନୂତନ ଉତ୍ସାହର ପ୍ରତୀକ । ବନ୍ଦେ ଭାରତ ଟ୍ରେନ୍‌ରେ ୧ କୋଟି ୧୧ ଲକ୍ଷରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ବୋଲି ସେ ସୂଚନା ଦେବା ସହ ବନ୍ଦେ ଭାରତକୁ ନେଇ ବଢୁଥିବା ଉତ୍ସାହ ଉପରେ ଖୁସି ବ୍ୟକ୍ତ କରିଥିଲେ ।

ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୫ଟି ବନ୍ଦେ ଭାରତ ଟ୍ରେନ୍ ଲୋକଙ୍କୁ ସେବା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିରେ ଆଜି ଆଉ ୯ଟି ବନ୍ଦେ ଭାରତ ଯୋଡ଼ି ହେବାକୁ ଯାଉଛି ଏବଂ ସେ କହିଛନ୍ତି ଯେ ବନ୍ଦେ ଭାରତ ଦେଶର ପ୍ରତ୍ୟେକ ପ୍ରାନ୍ତକୁ ସଂଯୋଗ କରିବାର ଦିନ ଦୂର ନୁହେଁ । ଯେଉଁମାନେ ସମୟ ସଞ୍ଚୟ କରିବାକୁ ଚାହୁଁଛନ୍ତି ଏବଂ ସେହି ସମାନ ଦିନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବନ୍ଦେ ଭାରତର ଉପଯୋଗୀତା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ବନ୍ଦେ ଭାରତ ସହ ଜଡିତ ସ୍ଥାନ ଗୁଡିକରେ ପର୍ଯ୍ୟଟନ ବୃଦ୍ଧି ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ସେ ଆଲୋକପାତ କରିଥିଲେ ।

ଦେଶର ସଫଳତା ପାଇଁ ପ୍ରତ୍ୟେକ ନାଗରିକ ଗର୍ବ ଅନୁଭବ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ଆଶା ଓ ଆତ୍ମବିଶ୍ୱାସର ବାତାବରଣ ଉପରେ ଆଲୋକପାତ କରିଛନ୍ତି । ସେ ଚନ୍ଦ୍ରଯାନ – ୩ ଏବଂ ଆଦିତ୍ୟ ଏଲ୍ – ୧ର ଐତିହାସିକ ସଫଳତା ବିଷୟରେ ଉଲ୍ଲେଖ କରିଥିଲେ । ସେହିଭଳି ଜି – ୨୦ ସଫଳତା ଭାରତର ଗଣତନ୍ତ୍ର, ଜନସଂଖ୍ୟା ଓ ବିବିଧତାର ଶକ୍ତିକୁ ପ୍ରଦର୍ଶିତ କରିଛି ବୋଲି ସେ କହିଥିଲେ ।

ନାରୀ ଶକ୍ତି ବନ୍ଦନ ଆଇନ୍‌କୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଛନ୍ତି ଯେ ଅନେକ ରେଳ ଷ୍ଟେସନ ମହିଳା କର୍ମକର୍ତ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଆତ୍ମବିଶ୍ୱାସୀ ଭାରତ ତା’ର ବର୍ତ୍ତମାନ ଏବଂ ଭବିଷ୍ୟତର ଆବଶ୍ୟକତା ଉପରେ ଏକା ସହିତ କାର୍ଯ୍ୟ କରୁଛି ।  ଭିତ୍ତିଭୂମି ବିକାଶରେ ନିରବଚ୍ଛିନ୍ନ ସମନ୍ୱୟ ରକ୍ଷା କରିବା ଏବଂ ପରିବହନ ଏବଂ ରପ୍ତାନୀ ସମ୍ବନ୍ଧୀୟ ଶୁଳ୍କ ହ୍ରାସ ପାଇଁ ନୂତନ ଲଜିଷ୍ଟିକ୍ ନୀତି ପାଇଁ ସେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ମାଷ୍ଟରପ୍ଲାନ୍ ବିଷୟରେ ଉଲ୍ଲେଖ କରିଥିଲେ । ଏକ ପରିବହନ ମାଧ୍ୟମ ଅନ୍ୟ ମାଧ୍ୟମକୁ ସମର୍ଥନ କରିବା ଉଚିତ ବୋଲି ସେ ବହୁବିଧ ସଂଯୋଗ ବିଷୟରେ ମଧ୍ୟ କହିଥିଲେ । ଏସବୁ ସାଧାରଣ ନାଗରିକ ମାନଙ୍କର ଯାତାୟାତକୁ ସହଜ କରିବା ନିମନ୍ତେ ବୋଲି ସେ ଉଲ୍ଲେଖ କରିଛନ୍ତି ।

ସାଧାରଣ ନାଗରିକ ମାନଙ୍କର ଜୀବନରେ ରେଳବାଇର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ପୂର୍ବ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପ୍ରତି ଅବହେଳା ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଥିଲେ । ଭାରତୀୟ ରେଳବାଇର ରୂପାନ୍ତରଣ ପାଇଁ ବର୍ତ୍ତମାନର ସରକାରଙ୍କ ପ୍ରୟାସ ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ବର୍ଦ୍ଧିତ ବଜେଟ ବିଷୟରେ ସୂଚନା ଦେଇଥିଲେ,  ସେ କହିଥିଲେ ଯେ,  ଚଳିତ ବର୍ଷର ରେଳ ବଜେଟ ୨୦୧୪ର ରେଳ ବଜେଟ୍ ଠାରୁ ୮ ଗୁଣ ଅଧିକ । ସେହି ଭଳି ଦୋହରୀକରଣ, ବିଦ୍ୟୁତୀକରଣ ଓ ନୂଆ ମାର୍ଗ ପାଇଁ କାମ ଚାଲିଛି ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ବିକଶିତ ହେଉଥିବା ଏକ ଭାରତକୁ ଏବେ ଏହାର ରେଳ ଷ୍ଟେସନର ଆଧୁନିକୀକରଣ କରିବାକୁ ପଡିବ । ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଭାରତରେ ପ୍ରଥମ ଥର ପାଇଁ ରେଳ ଷ୍ଟେସନର ବିକାଶ ଓ ଆଧୁନିକୀକରଣ ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଜି ରେଳ ଯାତ୍ରୀ ମାନଙ୍କର ସୁବିଧା ପାଇଁ ଦେଶରେ ରେକର୍ଡ ସଂଖ୍ୟକ ଫୁଟଓଭର ବ୍ରିଜ୍‌, ଲିଫ୍ଟ  ଓ ଏସ୍କେଲେଟର ନିର୍ମାଣ କରାଯାଉଛି ।

କିଛି ଦିନ ତଳେ ଦେଶର ୫୦୦ରୁ ଅଧିକ ପ୍ରମୁଖ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ଆରମ୍ଭ ହୋଇଛି । ଅମୃତ କାଳ ସମୟରେ ନିର୍ମିତ ଏହି ନୂତନ ଷ୍ଟେସନ ଗୁଡ଼ିକୁ ଅମୃତ ଭାରତ ଷ୍ଟେସନ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଗାମୀ ଦିନରେ ଏହି ଷ୍ଟେସନ ଗୁଡ଼ିକ ନୂଆ ଭାରତର ପରିଚୟ ପାଲଟିବ ବୋଲି ସେ କହିଛନ୍ତି ।

ରେଳବାଇ ରେଳ ଷ୍ଟେସନ ପ୍ରତିଷ୍ଠାର ‘ସ୍ଥାପନା ଦିବସ’ ପାଳନ କରିବା ଆରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ ଏବଂ କୋଏମ୍ବାଟୁର, ଛତ୍ରପତି ଶିବାଜୀ ଟର୍ମିନାସ୍ ଏବଂ ମୁମ୍ବାଇରେ ଏହି ଉତ୍ସବ ବିଷୟରେ ଉଲ୍ଲେଖ କରିଥିଲେ । କୋଏମ୍ବାଟୁର ରେଳ ଷ୍ଟେସନକୁ ୧୫୦ ବର୍ଷ ପୂରଣ ହୋଇଛି ।  ଏବେ ରେଳ ଷ୍ଟେସନର ଜନ୍ମଦିନ ପାଳନର ଏହି ପରମ୍ପରାକୁ ଆହୁରି ବ୍ୟାପକ କରାଯିବ ଏବଂ ଏଥିରେ ଅଧିକରୁ ଅଧିକ ଲୋକ ସାମିଲ ହେବେ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନକୁ ଦେଶ ସଂକଳ୍ପରୁ ସିଦ୍ଧିର ମାଧ୍ୟମରେ ପରିଣତ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରତ୍ୟେକ ରାଜ୍ୟର ଏବଂ ପ୍ରତ୍ୟେକ ରାଜ୍ୟର ଜନସାଧାରଣଙ୍କ ବିକାଶ ହେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ରେଳ ମନ୍ତ୍ରୀଙ୍କର ନିଜ ରାଜ୍ୟରେ ରେଳ ବିକାଶକୁ ଗୁରୁତ୍ୱ ଦେବାର ସ୍ୱାର୍ଥପର ଚିନ୍ତାଧାରା ଦେଶକୁ ବହୁତ କ୍ଷତି ପହଞ୍ଚାଇଛି ଏବଂ  ବର୍ତ୍ତମାନ ଆମେ କୌଣସି ରାଜ୍ୟକୁ ପଛୁଆ ରଖି ପାରିବୁ ନାହିଁ । “ଆମକୁ ସବ୍‌କା ସାଥ୍‌,   ସବକା ବିକାଶର ଏକ ପରିକଳ୍ପନା ସହିତ ଆଗକୁ ବଢ଼ିବାକୁ ପଡିବ ବୋଲି ସେ କହିଛନ୍ତି ।

କଠିନ ପରିଶ୍ରମୀ ରେଳ କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଯାତ୍ରୀମାନଙ୍କ ପାଇଁ ପ୍ରତ୍ୟେକ ଯାତ୍ରାକୁ ସ୍ମରଣୀୟ କରିବାକୁ କହିଥିଲେ । ରେଳବାଇର ପ୍ରତ୍ୟେକ କର୍ମଚାରୀଙ୍କୁ ସହଜ ଯାତ୍ରା ପ୍ରତି ନିରନ୍ତର ସମ୍ବେଦନଶୀଳ ରହିବାକୁ ପଡିବ ଏବଂ ଯାତ୍ରୀ ମାନଙ୍କୁ ଏକ ଭଲ ଅନୁଭୂତି ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରେଳବାଇର ସ୍ୱଚ୍ଛତାର ନୂତନ ମାନଦଣ୍ଡକୁ ପ୍ରତ୍ୟେକ ନାଗରିକ ଦେଖିଛନ୍ତି । ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୦ଟାରେ ପ୍ରସ୍ତାବିତ ସ୍ୱଚ୍ଛତା ଅଭିଯାନରେ ସାମିଲ ହେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଅକ୍ଟୋବର ୨ରୁ ଅକ୍ଟୋବର ୩୧ ତାରିଖ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଖଦି ଓ ସ୍ୱଦେଶୀ ଦ୍ରବ୍ୟ କ୍ରୟରେ ନିଜକୁ ପୁନଃ ସମର୍ପଣ କରିବା ସହ ସ୍ଥାନୀୟ ଜିନିଷ ପାଇଁ ଅଧିକ ଆଗ୍ରହ ପ୍ରକାଶ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଭାରତୀୟ ରେଳବାଇ ଏବଂ ସମାଜରେ ପ୍ରତ୍ୟେକ ସ୍ତରରେ ଘଟୁଥିବା ପରିବର୍ତ୍ତନ ଏକ ବିକଶିତ ଭାରତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ମୋର ବିଶ୍ୱାସ ରହିଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ସମାପ୍ତ କରି କହିଥିଲେ । .ଏହି ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରଗଣ, ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।