ଭୁବନେଶ୍ୱର : ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୩-୨୪ ବର୍ଷ ପାଇଁ ମୋଟ୍ ୨୮ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଆଗତ କରିଥିଲେ । ଏଥି ମଧ୍ୟରେ କାର୍ଯ୍ୟକ୍ରମ ବ୍ୟୟପାଇଁ ସର୍ବାଧିକ ୨୦,୧୦୦ କୋଟି ଟଙ୍କା ଥିବାବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୪୬୬୪ କୋଟି, ପ୍ରଶାସନିକ ବ୍ୟୟ ପାଇଁ ୨୮୬୪ କୋଟି ଏବଂ ରାଜ୍ୟ ବଜେଟ୍ରୁ ସ୍ଥାନାନ୍ତର ବାବଦରେ ୫୭୨ କୋଟି ଟଙ୍କା ରହିଛି ।
ଅତିରିକ୍ତ ବଜେଟ୍ରେ ନୂତନ ପଦକ୍ଷେପ ଭାବରେ ଆମ ଓଡିଶା ନବୀନ ଓଡିଶା ପାଇଁ ୧୩୦୨ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବାବେଳେ ପଞ୍ଚାୟତିରାଜ ସଂସ୍ଥା ମାଧ୍ୟମରେ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୫୩ କୋଟି ଟଙ୍କା, ମୁଖ୍ୟମନ୍ତ୍ରୀ ଛାତ୍ର-ଛାତ୍ରୀ ପରିଧାନ ଯୋଜନା ପାଇଁ ୧୧୦ କୋଟି ଟଙ୍କା, ସହରୀ ଭିତ୍ତିଭୂମି ବିକାଶ ପାଣ୍ଠି ପାଇଁ ୧୦୦ କୋଟି, ଓଡିଶା ମେଟ୍ରୋ ରେଳ ପରିବହନ ପାଇଁ ୨୧୦ କୋଟି, ସଂଖ୍ୟାଲଘୁ ବର୍ଗଙ୍କୁ ବିବାହ ସହାୟତା ପାଇଁ ୧୫କୋଟି, ଗ୍ରାମ ପଞ୍ଚାୟତକୁ ସୂଚନା ପ୍ରଯୁକ୍ତିବିଦ୍ୟା ସଂଯୋଗୀକରଣ ପାଇଁ ୨୫୨ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୮୮,୪୮୭ କୋଟି ଟଙ୍କା ହୋଇଛି ଯାହାକି ରାଜ୍ୟର ମୋଟ୍ ଘରୋଇ ଉତ୍ପାଦର ୧୦.୦୩ ପ୍ରତିଶତ ଅଟେ । ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ୨୮୬୪ କୋଟି ଟଙ୍କାର ବରାଦ ହୋଇଥିବାବେଳେ ଏଥି ମଧ୍ୟରେ ପୁଲିସ୍ ବ୍ୟବସ୍ଥା ସହିତ ର୍ନିବାଚନ ପରିଚାଳନା ପାଇଁ ୧୯୬ କୋଟି ଟଙ୍କା ଥିବାବେଳେ ଯାଜପୁର ଏବଂ କଳାହାଣ୍ଡିରେ ନୂତନ ମେଡିକାଲ କଲେଜ ଏବଂ ହସ୍ପିଟାଲ ପାଇଁ ୨୭ କୋଟି ଟଙ୍କା ରହିଛି ।
ବିପର୍ଯ୍ୟୟ ପରିଚାଳନାକୁ ବାଦ୍ ଦେଲେ ଅତିରିକ୍ତ ବଜେଟ୍ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପାଇଁ ସର୍ବାଧିକ ୪୦୮୩ କୋଟି ଟଙ୍କା ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୮୮୧.୮୪ କୋଟି, ଜଳ ସମ୍ପଦ ବିଭାଗ ପାଇଁ ୨୪୦୬.୬୫ କୋଟି, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପାଇଁ ୧୩୨୭.୧୮ କୋଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ୧୦୮୭.୮୦ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ୮୯୭.୦୭ କୋଟି, ମିଶନ ଶକ୍ତି ବିଭାଗ ପାଇଁ ୭୮୩.୧୬ କୋଟି, ଉଚ୍ଚ ଶିକ୍ଷା ବିଭାଗ ପାଇଁ ୮୪୧.୫୫ କୋଟି, ସମବାୟ ବିଭାଗ ପାଇଁ ୬୦୫.୪୧ କୋଟି, ସ୍ୱରାଷ୍ଟ୍ର ବିଭାଗ ପାଇଁ ୭୮୦.୮୩ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।