ଭୁବନେଶ୍ୱର : ଗାଁ ଗହଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ଭାରତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ହାତରେ ଦେବାପାଇଁ ସରକାର ଆଗ୍ରହୀ ଥିବାବେଳେ ମହିଳା ଗୋଷ୍ଠିଗୁଡିକ କିନ୍ତୁ ଏ କ୍ଷେତ୍ରରେ ସେତେଟା ଆଗ୍ରହୀ ନୁହନ୍ତି । ରାଜ୍ୟରେ ଥିବା ୧୧ହଜାରରୁ ଅଧିକ ବଣ୍ଟନ କେନ୍ଦ୍ର ମଧ୍ୟରୁ ମହିଳା ଗୋଷ୍ଠି ହାତରେ ଦୁଇ ହଜାରରୁ ସାମାନ୍ୟ ଅଧିକ କେନ୍ଦ୍ର ରହିଛି । ଘରୋଇ ଲୋକଙ୍କ ହାତରେ ୫ହଜାରରୁ ଅଧିକ କଣ୍ଟ୍ରୋଲ ଦୋକାନ ରହିଥିବା ଜଣାଯାଇଛି ।
ସରକାରୀ ସୂଚନା ମୁତାବକ ଗତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟରେ ୧୧,୫୩୮ଟି ବିକ୍ରୟ କେନ୍ଦ୍ର ଜରିଆରେ ଲୋକଙ୍କୁ କଣ୍ଟ୍ରୋଲ ସାମଗ୍ରୀ ଯୋଗାଇ ଦିଆଯାଉଛି । ମୋଟାମୋଟି ଭାବେ ବର୍ତ୍ତମାନ କଣ୍ଟ୍ରୋଲ ଦେକାନାରେ କେବଳ ମାଗଣା ଚାଉଳ ହିଁ ମିଳୁଛି । ବହୁ ଦିନରୁ ଗହମ ଯୋଗାଣ ବନ୍ଦ ହୋଇଥିବାବେଳେ ପୂର୍ବଭଳି ଚିନି କିମ୍ବା କିରୋସିନି ଯୋଗାଣ ହେଉନାହିଁ । ତେବେ ଏହି ବିକ୍ରୟ କେନ୍ଦ୍ର ମଧ୍ୟରୁ ୫୪୬୬ଟି ଘରୋଇ ବ୍ୟକ୍ତିଙ୍କ ହାତରେ ଥିବାବେଳେ ୪୦୪୪ଟି ପଞ୍ଚାୟତ ହାତରେ ରହିଛି । ମାତ୍ର ୨୦୨୯ଟିର ପରିଚାଳନା ଭାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକ ନେଇଛନ୍ତି ।
ତେବେ ମହିଳା ଗୋଷ୍ଠିଙ୍କ ପରିଚାଳନାରେ ଥିବା ଏହି କେନ୍ଦ୍ର ମଧ୍ୟରୁ ସର୍ବାଧିକ ୫୭୩ଟି ଢେଙ୍କାନାଳ ଜିଲ୍ଲାରେ ରହିଥିବାବେଳେ ଅନୁଗୁଳରେ ୧୬୪, ଜଗତସିଂହପୁରରେ ୧୨୯, କେନ୍ଦୁଝରରେ ୧୨୨, ଭଦ୍ରକରେ ୧୧୨, କୋରାପୁଟରେ ୧୦୮ ଓ କଟକରେ ୧୦୨ଟି ରହିଛି । ଅନ୍ୟ ଜିଲ୍ଲାଗୁଡିକରେ ଏହା ଏକ କିମ୍ବା ଦୁଇ ଅଙ୍କରେ ସୀମିତ ।
ବୌଦ ଜିଲ୍ଲାରେ ଗୋଟିଏ ହେଲେ କଣ୍ଟ୍ରୋଲ ଦୋକାନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ପରିଚାଳନାରେ ନଥିବାବେଳେ ସୋନପୁରରେ ୫ଟି, ସମ୍ବଲପୁରରେ ୭ଟି, ମାଲକାନଗିରିରେ ୮ଟି, କନ୍ଧମାଳ ଓ ଗଜପତିରେ ୯ଟି କରି କଣ୍ଟ୍ରୋଲ ଦୋକାନକୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିମାନେ ପରିଚାଳନା କରୁଛନ୍ତି ।
ରାଜ୍ୟ ସରକାର ଇତି ମଧ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାପାଇଁ ସେମାନଙ୍କୁ କଣ୍ଟ୍ରୋଲ ଦୋକାନ ପରିଚାଳନା, ଧାନ କିଣା ଠାରୁ ଆରମ୍ଭ କରି ମଧ୍ୟାହ୍ନଭୋଜନ, ଆହାର ଯୋଜନା ଆଦିରେ ସାମିଲ କରୁଛନ୍ତି । ସେହିଭଳି ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାପାଇଁ ଦିଆଯାଉଥିବା ଋଣ ପରିମାଣ ଅତି କମ୍ରେ ୪ଲକ୍ଷ ଟଙ୍କା କରିବାପାଇଁ ବ୍ୟାଙ୍କ୍ଗୁଡିକୁ ପରାମର୍ଶ ଦିଆଯାଇଛି ।
ଗାଁ ଗହଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ଆର୍ଥିକ ସ୍ଥିତିରେ ଉନ୍ନତି ଆସୁଥିବାବେଳେ ସେମାନେ କିନ୍ତୁ ସାଧାରଣ ବଣ୍ଟନ ବ୍ୟବସ୍ଥା କିମ୍ବା ଧାନ କିଣା କ୍ଷେତ୍ରରେ ପ୍ରବେଶ କରିବାକୁ ସେତେଟା ରାଜି ହେଉନଥିବା ଲକ୍ଷ୍ୟ କରାଯାଉଛି । ଯାହା ଫଳରେ ସରକାର ଚାହିଁଲେ ସୁଦ୍ଧା ଘରୋଇ ଲୋକଙ୍କ ହାତରୁ ବଣ୍ଟନ ବ୍ୟବସ୍ଥା ହଟାଇ ପାରୁନାହାନ୍ତି । (ତଥ୍ୟ)