Home News in Odia ଟ୍ରାଉମା ଚିକିତ୍ସା ସମ୍ପ୍ରସାରିତ

ଟ୍ରାଉମା ଚିକିତ୍ସା ସମ୍ପ୍ରସାରିତ

ଭୁବନେଶ୍ୱର : ଦୁର୍ଘଟଣାଗ୍ରସ୍ତ ଗୁରୁତର ଲୋକଙ୍କୁ ଜରୁରୀ ଚିକିତ୍ସା ସେବା ଯୋଗାଇଦେବା ଲାଗି ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୮୯ଟି ସରକାରୀ ଡାକ୍ତରଖାନାକୁ ଟ୍ରାଉମା କେୟାର ଫାସିଲିଟି (ଟିସିଏଫ୍‍) ଭାବେ ସୂଚାଇଛନ୍ତି । ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି ହୋଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ କଟକ ସ୍ଥିତ ଏସ୍‍ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ବୁର୍ଲାର ଭିମ୍‍ସାର, ଯାଜପୁର ପାଣିକୋଇଲି ଟିସିଏଫ୍‍ ଏବଂ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ସ୍ତରୀୟ ଟାଉମା ଚିକିତ୍ସା ସୁବିଧା ଲପଲବ୍ଧ । ଅନୁରୂପ ଭାବେ କୋରାପୁଟ, ବାରିପଦା, ବଲାଙ୍ଗିର, ବାଲେଶ୍ୱର, ପୁରୀ, କେନ୍ଦୁଝର, ସୁନ୍ଦରଗଡ ଏବଂ କଳାହାଣ୍ଡି ଠାରେ ଖୋଲିଥିବା ନୂତନ ମେଡିକାଲ କଲେଜକୁ ଦ୍ୱିତୀୟ ସ୍ତରର ଟିସିଏଫ୍‍ର ମାନ୍ୟତା ମିଳିଛି ।

ରାଜ୍ୟରେ ଥିବା ୭୬ଟି ଡାକ୍ତରଖାନା ରେ ତୃତୀୟ ସ୍ତରର ଟ୍ରାଉମା ଚିକିତ୍ସା ମିଳିବ । ଏଥି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଆଦି ରହିଛି । ଆଉ ନୂଆ ମେଡିକାଲ କଲେଜରେ ମଧ୍ୟ ଏହି ସ୍ତରର ଟ୍ରାଉମା କେୟାର ଚିକିତ୍ସା ସେବା ଉପଲବ୍ଧ ହେବ । ତେବେ କେନ୍ଦୁଝର ଓ ସୁନ୍ଦରଗଡ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରାଉମା ଚିକିତ୍ସା ସେବାରେ ଉନ୍ନତି ବିଧାନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓମ୍ବାଡକ ପାଣ୍ଠିରୁ ୧୯ କୋଟି ଟଙ୍କା ଆବଶ୍ୟକ କରିଛନ୍ତି । ପ୍ରତ୍ୟେକ ଡାକ୍ତରଖାନାକୁ ବିଭାଗ ପକ୍ଷରୁ ୯.୫୩ କୋଟି ଟଙ୍କା କରି ଯୋଗାଇ ଦିଆଯିବ ।

ଗତବର୍ଷ ଡିସେମ୍ବର ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜପଥ ନିକଟରେ ଥିବା ୫୫ଟି ଟ୍ରାଉମା ଚିକିତ୍ସା ସେବା କେନ୍ଦ୍ର ପ୍ରତିଷ୍ଠାକୁ ବିଧିବଦ୍ଧ ଭାବେ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏଥି ପୂର୍ବରୁ ରାଜ୍ୟ ସରକାର ୩୩ଟି ଟିସିଏଫ୍‍ ୨୦୧୮ରେ ପ୍ରତିଷ୍ଠା କରିଥିଲେ । ତେବେ ଦୁର୍ଘଟଣାର ୪୮ଘଣ୍ଟା ମଧ୍ୟରେ ଗୁରୁତର ରୋଗୀଙ୍କୁ ମାଗଣା ଟ୍ରାଉମା ଚିକିତ୍ସା ସେବା ଯୋଗାଇ ଦେବାପାଇଁ ତାଲିକାଭୁକ୍ତ ୧୮ଟି କର୍ପୋରେଟ ଡାକ୍ତରଖାନାରେ ପ୍ରଥମ ସ୍ତରୀୟ ଟ୍ରାଉମା ଚିକିତ୍ସା ସେବାକୁ ରାଜ୍ୟ ସରକାର ଅଧିକ ମଜବୁତ କରିଛନ୍ତି । (ତଥ୍ୟ)