Home Agriculture ଶୃଙ୍ଖଳିତ ହେବ କାଳିଆ ଯୋଜନା

ଶୃଙ୍ଖଳିତ ହେବ କାଳିଆ ଯୋଜନା

ଭୁବନେଶ୍ୱର : ରାଜ୍ୟର କୃଷି ଓ କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଐତିହାସିକ କାଳିଆ ଯୋଜନା ଅତ୍ୟନ୍ତ ଲୋକପି୍ରୟ ଓ ଫଳପ୍ରଦ ସାବ୍ୟସ୍ତ ହୋଇଥିବାବେଳେ ଏହାକୁ ଅଧିକ ଶୃଙ୍ଖଳିତ ଓ ବ୍ୟାପକ କରିବା ପାଇଁ ବିଭିନ୍ନ ସମୟରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

କାଳିଆ ଯୋଜନାରେ ପ୍ରତି ଫସଲ ଋତୁ ପ୍ରାରମ୍ଭରେ କାଳିଆ ହିତାଧିକାରୀ ଚାଷୀମାନଙ୍କୁ ନଗଦ ଅର୍ଥ ଆକାରରେ ସହାୟତା ଯୋଗାଇ ଦିଆଯାଇଥାଏ ଯାହାକି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଚାଷ କାର୍ଯ୍ୟ ପାଇଁ ପ୍ରାଥମିକ ମୂଳଧନ ପରି ସାହାଯ୍ୟ କରିଥାଏ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କାଳିଆ ଯୋଜନାର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗ ସଂପର୍କରେ ସମୀକ୍ଷା କରିବା ଅବସରରେ କହିଛନ୍ତି ଯେ କୌଣସି ଯୋଗ୍ୟ ଚାଷୀ ଯେପରି କାଳିଆ ହିତାଧିକାରୀ ତାଲିକାରୁ ବାଦ ନପଡ଼ନ୍ତି ସେଥିପ୍ରତି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପ୍ରତି ଜିଲ୍ଲାରେ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯାଉଛି ।

ଜିଲ୍ଲାରେ କାଳିଆ ସେଣ୍ଟରଗୁଡ଼ିକ କାର୍ଯ୍ୟକ୍ଷମ ହେଲାପରେ ଚାଷୀଭାଇମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଶା ପ୍ରକାଶ କରିଥିଲେ । କାଳିଆ ଯୋଜନା ଓ କାଳିଆ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ପ୍ରଦତ୍ତ କାଳିଆ ଛାତ୍ରବୃତ୍ତିର ଲାଭ ଯେପରି ଯୋଗ୍ୟ ହିତାଧିକାରୀମାନେ ପାଇ ପାରିବେ ସେଥିପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।

ସମସ୍ତ ଶିକ୍ଷାନୁଷ୍ଠାନରେ ଏଥି ପାଇଁ ହେଲ୍ପ ଡେସ୍କ ସ୍ଥାପନ କରି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯିବ । ଏଥି ସହିତ ବିଭାଗର ‘ଆମ କୃଷି’ କାର୍ଯ୍ୟକ୍ରମ ମାଧ୍ୟମରେ ହିତାଧିକାରୀଙ୍କୁ ‘କାଳିଆ’ ସଂପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।

ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ଇ-କେୱାଇସି ମାଧ୍ୟମରେ ମିଳିଥିବା ତଥ୍ୟ ଆଧାରରେ ଚାଷୀମାନଙ୍କର ପ୍ରକୃତ ପରିଚୟ ଚିହ୍ନଟ କରି କାଳିଆ ଯୋଜନାରେ ସାମିଲ କରାଯିବା ପାଇଁ ପଦକ୍ଷେପ ନିଆଯିବ ।

ବୈଠକରେ ସହରାଞ୍ଚଳର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରିବା, କାଳିଆ ଛାତ୍ରବୃତ୍ତିର ପରିମାଣ ବୃଦ୍ଧି କରିବା ଆଦି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଥିଲା । ଏଥିରେ ‘କାଳିଆ’ ଯୋଜନାର ଉପଦେଷ୍ଟା ଶ୍ରୀ ସାରଦା ପ୍ରସନ୍ନ ଜେନା, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।