ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନ ପାଇଁ ଅଧିକାଂଶ ଛାତ୍ର ସଙ୍ଗଠନ ଆଗ୍ରହ ପ୍ରକାଶ କରୁଥିବାବେଳେ ବହୁ ଅଧ୍ୟକ୍ଷ କିନ୍ତୁ ନିର୍ବାଚନ ସପକ୍ଷରେ ନାହାନ୍ତି । ଏଠାରେ ଅନୁଷ୍ଠିତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବାବେଳେ ବହୁ ଅଧ୍ୟକ୍ଷ ବ୍ୟକ୍ତିଗତ ଭାବେ ଏଭଳି ମତ ରଖିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୨୦୧୭ ପରଠାରୁ ରାଜ୍ୟରେ ଆଉ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ସେତେବେଳେ ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକାଣ୍ଡକୁ ଆଳ କରି କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଛନ୍ତି । ପୂର୍ବରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ନିଜ ନିଜର ସୁବିଧା ଅନୁଯାୟୀ ଅଗଷ୍ଟ-ସେପ୍ଟେମ୍ବର ମାସରେ ଛାତ୍ର ସଂସଦ ନିର୍ବାଚନ କରାଉଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଗୋଟିଏ ଦିନରେ ସାରା ରାଜ୍ୟରେ ଏହି ନିର୍ବାଚନ କରାଇଲେ ।
ତେବେ ଗତ କିଛିବର୍ଷ ଧରି ବିଶ୍ୱ ବିଦ୍ୟାଳୟ ଓ କଲେଜ କ୍ୟାମ୍ପସ୍ରେ ରାଜନୈତିକ ଦଳମାନେ ନିଜର ଦବ୍ଦବା ଜାହିର କରିବା ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରି ଛାତ୍ର ସଂସଦ ନିର୍ବାଚନକୁ ବ୍ୟୟବହୁଳ କରାଇଛନ୍ତି । ଏହାଛଡା ସ୍ଥାନୀୟ ନେତାମାନେ ନିଜ ନିଜର ଦବ୍ଦବା ଜାହିର କରିବା ପାଇଁ ଯେକୌଣସି ପ୍ରକାରେ ଛାତ୍ର ସଂସଦ ଦଖଲ କରିବା ଲାଗି ଅଭିଯାନ ଚଳାଇବାରୁ ଉତ୍ତେଜନା ବୃଦ୍ଧି ପାଉଥିଲା ।
ଏହାଛଡା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ଅନ୍ୟ ନିର୍ବାଚିତ ଲୋକ ପ୍ରତିନିଧି ଓ ସେମାନଙ୍କ ପ୍ରତିଦ୍ୱନ୍ଦୀମାନେ ଛାତ୍ର ସଂସଦ ନିର୍ବାଚନକୁ ମର୍ଯ୍ୟାଦାର ପ୍ରସଙ୍ଗ ଭାବେ ଗ୍ରହଣ କରିବା ଯୋଗୁ ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ବାହାର ଅଣଛାତ୍ର ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିଲା । ଏଥିଯୋଗୁ ଶୈକ୍ଷିକ ବାତାବରଣ ମଧ୍ୟ କ୍ଷତିଗ୍ରସ୍ତ ହେଉଥିବା କଥା ନିଜ ନାମ ଗୋପନ ରଖିବା ସର୍ତ୍ତରେ କେତେକ ଅଧ୍ୟକ୍ଷ ସ୍ୱୀକାର କରିଛନ୍ତି ।
ଏହି ଅଧ୍ୟକ୍ଷମାନେ କହିଛନ୍ତି ଯେ ସଂଖ୍ୟାଧିକ କଲେଜରେ ନିୟମିତ ଅଧ୍ୟକ୍ଷ ନଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦ୍ୱାରା କୌଣସି ପ୍ରକାରେ କଲେଜ ଗୁଡିକ ଚାଲିଛି । ଏହାଛଡ଼ା କଲେଜ ଗୁଡିକରେ ବ୍ୟାପକ ସଂଖ୍ୟକ ଅଧ୍ୟାପକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି । ଫଳରେ ନିର୍ବାଚନ ହେଲେ ବିଭିନ୍ନ ଛାତ୍ର ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା କଲେଜ କର୍ତ୍ତୃପକ୍ଷଙ୍କ ଲାଗି ସମସ୍ୟା ସୃଷ୍ଟି କରୁଛି । ଶିକ୍ଷକ ସହିତ ବହୁ ଅଣଶିକ୍ଷକ ପଦବୀ ମଧ୍ୟ କଲେଜ ଗୁଡିକରେ ଖାଲି ପଡିଛି ।
କାମ ଚଳାଇବା ପାଇଁ ଯେଉଁ ଠିକା ଓ ଅତିଥି ଅଧ୍ୟାପକମାନଙ୍କୁ ନିୟୋଜନ କରାଯାଉଛି ସେମାନଙ୍କର ନିର୍ବାଚନ ପରିଚାଳନା କରିବା କାମ ନୁହେଁ । ଏଣେ ସେମିଷ୍ଟାର ପରୀକ୍ଷା ହେଉଥିବାରୁ ନିର୍ବାଚନ ହେଲେ ସେଥିରେ ବ୍ୟାଘାତ ବି ଉପୁଜୁଛି । ତେଣୁ ଭିତ୍ତିଭୂମିର ବିକାଶ ନକରି ଛାତ୍ର ସଂସଦ ନିର୍ବାଚନ କରାଇଲେ ସମ୍ଭାବ୍ୟ ହିଂସାକାଣ୍ଡକୁ କଲେଜ କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ ।
ଛାତ୍ର ଓ ଯୁବ ବିଜେଡି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ସରକାରଙ୍କ ଘୋଷଣାକୁ ସ୍ୱାଗତ କରାଯାଉଛି । ବିଶେଷ କରି ଲିଙ୍ଗ୍ଡୋ କମିଶନ ଯେଉଁ ସୁପାରିଶ କରିଥିଲେ ତାହାର ପ୍ରତିପାଳନ ପାଇଁ ନିର୍ବାଚନର ଆବଶ୍ୟକତା ନାହିଁ । କାରଣ ନିର୍ବାଚନ ହେଲେ ହିଁ ଗଣ୍ଡଗୋଳ ଉପୁଜୁଛି ଓ କଲେଜର ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ଫଳରେ ଯେଉଁ ଉଦ୍ଦେଶ୍ୟରେ ଅଭିଭାବକମାନେ ପିଲାମାନଙ୍କୁ କଲେଜ ପଠାଉଛନ୍ତି ତାହା ବିଫଳ ହେଉଛି । କଲେଜର ସମସ୍ୟା ବୁଝିବା ଓ କାର୍ଯ୍ୟକ୍ରମ ପରିଚାଳନା ପାଇଁ ମନୋନିତ ପରିଷଦ ଗଢା ଯାଉଥିବାରୁ ନିର୍ବାଚନର ଆବଶ୍ୟକତା ନାହିଁ ବୋଲି ଶାସକ ଦଳର ଛାତ୍ର ଓ ଯୁବଶାଖାର କର୍ମକର୍ତ୍ତାମାନେ ଗଣମାଧ୍ୟମକୁ କହୁଛନ୍ତି ।
ଅନ୍ୟପକ୍ଷରେ ଡିଏସ୍ଓ, ଏସ୍ଏଫ୍ଆଇ, ଏଆଇଏସ୍ଏଫ୍ ଭଳି ବାମପନ୍ଥୀ ଛାତ୍ର ସଙ୍ଗଠନ, ଏବିଭିପି ଓ ଛାତ୍ର କଂଗ୍ରେସ ଆଦି ଛାତ୍ର ସଂସଦ ନିର୍ବାଚନ ପାଇଁ ଆନ୍ଦୋଳନର ଧମକ ଦେଉଛନ୍ତି । ଛାତ୍ର ସଂସଦ ନିର୍ବାଚନ କରାନଯିବା ଫଳରେ ରାଜ୍ୟରେ ଛାତ୍ର ନେତୃତ୍ୱ ସୃଷ୍ଟି ହେଉନାହିଁ ଫଳରେ ରାଜନୀତି କ୍ଷେତ୍ରକୁ ଆଉ ଲଢୁଆ ଲୋକେ ଆସିବେ ନାହିଁ । ବସ୍ତୁତଃ ଗଣତାନ୍ତ୍ରିକ ବ୍ୟବସ୍ଥା କ୍ରମଶଃ ଅନୁଗତ ଓ ଖୋସାମତିଆମାନଙ୍କ ଭୂସ୍ୱର୍ଗ ପାଲଟିବ ବୋଲି ଏହି ଛାତ୍ର ସଙ୍ଗଠନ ଗୁଡିକର ନେତାମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି ।
ପୂର୍ବରୁ ବିଜେଡିର ଛାତ୍ର ଶାଖା ଅଧିକାଂଶ କଲେଜ ନିର୍ବାଚନ ଜିଣୁଥିବାବେଳେ ପରିବର୍ତ୍ତିତ ପରିସ୍ଥିତିରେ ପରାଜୟର ଆଶଙ୍କା କରି ରାଜ୍ୟରେ ଶାସନ ଦଳ ଛାତ୍ର ସଂସଦ ନିର୍ବାଚନ କରୁନାହିଁ ବୋଲି ସେମାନେ ଖୋଲା ଅଭିଯୋଗ କରୁଛନ୍ତି । ନିର୍ବାଚିତ ଛାତ୍ର ସଂସଦ ନଥିବାରୁ ବିଶ୍ୱ ବିଦ୍ୟାଳୟ ଓ କଲେଜ ଗୁଡିକର ନ୍ୟାକ୍ ଗ୍ରେଡ୍ କମୁଛି ଏବଂ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡୁଥିବାବେଳେ ଏହାର ପୂରଣ ପାଇଁ ଯେଭଳି ଛାତ୍ରଛାତ୍ରୀମାନେ ସଂଘବଦ୍ଧ ସ୍ୱର ଉତ୍ତୋଳନ ନକରିପାରିବେ ତାହାକୁ ଆଖି ଆଗରେ ରଖି ନିର୍ବାଚନ କରାଯାଉନଥିବା ସେମାନେ କହୁଛନ୍ତି । (ତଥ୍ୟ)