Home Agriculture ଆଉ ୪୨୦୦ ହେକ୍ଟରରେ ପାମ୍‍ ଚାଷ

ଆଉ ୪୨୦୦ ହେକ୍ଟରରେ ପାମ୍‍ ଚାଷ

ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହୋଇଥିବା ପାମ୍‍ ଚାଷ ସଫଳ ହୋଇ ଥିବାବେଳେ ଆଗାମୀ ୫ବର୍ଷରେ ଆଉ ୪୨୦୦ ହେକ୍ଟର ଜମିରେ ପାମ୍‍ ଗଛ ଲଗାଇବାପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ୨୦୦୬-୦୭ ବର୍ଷରେ ରାଜ୍ୟରେ ପାମ୍‍ ଚାଷ ଆରମ୍ଭ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୭୦୩୦ ହେକ୍ଟର ଜମିରେ ଗଛ ଲଗାଯାଇଛି ।

ତେବେ ୩୭୩୪ ହେକ୍ଟର ଜମିରେ ଲାଗିଥିବା ପାମ୍‍ ଗଛରୁ ଉତ୍ପାଦନ ଆରମ୍ଭ ହୋଇଛି । ପାମ୍‍ ଚାଷ ହୋଇଥିବା ୭୦୩୦ ହେକ୍ଟର ଜମି ମଧ୍ୟରୁ ସର୍ବାଧିକ ୧୯୫୭ ହେକ୍ଟର ବରଗଡ ଜିଲ୍ଲାରେ ରହିଥିବାବେଳେ ରାୟଗଡାରେ ୧୧୮୦, ମୟୁରଭଞ୍ଜରେ ୧୧୨୫, ନୟାଗଡରେ ୬୮୭, ଭଦ୍ରକରେ ୫୨୪, ବାଲେଶ୍ୱରରେ ୨୪୩ ହେକ୍ଟର ପରିମିତ ଅଞ୍ଚଳ ରହିଛି । ତେବେ ରାୟଗଡା ଜିଲ୍ଲାରେ ଗୋଟିଏ ହେକ୍ଟର ପାମ୍‍ ଚାଷରୁ ସର୍ବାଧିକ ୨୦ଟନ୍‍ ମିଳିବ ବୋଲି ଆକଳନ ହୋଇଛି । ଗଞ୍ଜାମରେ ୧୦ ଟନ୍‍ ଓ କୋରାପୁଟରେ ୬.୩୭ ଟନ୍‍ ମିଳିବ ।

ରାଜ୍ୟରେ ପାମ୍‍ ଚାଷର ଏଭଳି ସଫଳତାକୁ ଦୃଷ୍ଟିରେ ରଖି ୨୦୨୪-୨୫ ସୁଦ୍ଧା ଆଉ ୪୨୦୦ ହେକ୍ଟର ଜମିରେ ପାମ୍‍ ଚାଷ ଲାଗି ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ପାମ୍‍ ଗଛ ଆବଶ୍ୟକ ପଡିବ । ପାମ୍‍ ଚାରା ପାଇଁ ଓଡିଶାକୁ ଏବେ ଆନ୍ଧ୍ରପ୍ରଦେଶ, କୋଷ୍ଟାରିକା, କେରଳ ଉପରେ ନିର୍ଭର କରିବାକୁ ପଡୁଛି । ପାମ୍‍ ଚାରାର ମୂଲ୍ୟ ୭୦ରୁ ୮୫ ଟଙ୍କା ମଧ୍ୟରେ ରହୁଥିବାବେଳେ ତୈଳ ଉତ୍ପାଦନକାରୀ କମ୍ପାନୀଗୁଡିକ ଏଥିପାଇଁ ନର୍ସରୀ ପ୍ରତିଷ୍ଠା କରୁଛନ୍ତି ।

ପାମ୍‍ ଚାରା ପାଇଁ ରାଜ୍ୟରେ ନର୍ସରୀ ପ୍ରତିଷ୍ଠା କରିଥିବା କମ୍ପାନୀଗୁଡିକ ମଧ୍ୟରେ ଲକ୍ଷ୍ମୀ ବାଲାଜୀ ଅଏଲ ସିଡ୍‍ସ, ଗୋଡରେଜ ଆଗ୍ରୋଭେଟ ଲିମିଟେଡ, ରୁଚି ସୋୟା ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡ ଓ ବୈଦେହୀ ପାମ୍‍ ପ୍ରାଇଭେଟ ଲିମିଟେଡ । ଏହିସବୁ ସଂସ୍ଥାମାନେ ରାୟଗଡା, ବରଗଡ, ମୟୁରଭଞ୍ଜ, ନୟାଗଡ ଓ ବୌଦ ଜିଲ୍ଲାରେ ନର୍ସରୀ ପ୍ରତିଷ୍ଠା କରଛନ୍ତି । ତେବେ ଗତ ୬ବର୍ଷ ମଧ୍ୟରେ ୮ଲକ୍ଷ ୮୩ହଜାର ପାମ୍‍ ଚାରା ରୋପଣ ହୋଇଥିବାବେଳେ ଏଥିରୁ ୫ଲକ୍ଷ ୪୦ହଜାର ସ୍ୱଦେଶୀ ହୋଇଥିବାବେଳେ ୩ଲକ୍ଷ ୪୩ହଜାର ଚାରା ଆମଦାନୀ ହୋଇଥିବା ଜଣାଯାଇଛି ।

ଉତ୍ପାଦିତ ପାମ୍‍ରୁ ତେଲ ବାହାର କରିବାପାଇଁ ଗତବର୍ଷ ନୟାଗଡ ଜିଲ୍ଲାର ଦଶପଲ୍ଲା ଠାରେ ଗୋଟିଏ କାରଖାନା ପ୍ରତିଷ୍ଠା ହୋଇଛି । ବୈଦେହୀ ପାମ୍‍ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧୦ହଜାର ଟନ୍‍ କ୍ଷମତା ବିଶିଷ୍ଟ ଏହି କାରଖାନାରେ ୨୬ଜଣ କର୍ମଚାରୀ ରହିଛନ୍ତି । ଗୋଟିଏ ମେଟ୍ରିକ ଟନ୍‍ ପାମ୍‍ ମଞ୍ଜି ପ୍ରକ୍ରିୟାକରଣ ଲାଗି ୧୮୫୩ଟଙ୍କା ଖର୍ଚ୍ଚ ହେଉଥିବା ଜଣାଯାଇଛି ।