Home Health ଅଣଓଡିଆ କମ୍ପାନୀକୁ ନେଇ ଅସନ୍ତୋଷ

ଅଣଓଡିଆ କମ୍ପାନୀକୁ ନେଇ ଅସନ୍ତୋଷ

ଭୁବନେଶ୍ୱର : ଅଣଓଡିଆ କମ୍ପାନୀକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଅସନ୍ତୋଷ ବଢୁଥିବାବେଳେ ଆଜି ଅସନ୍ତୁଷ୍ଟ କର୍ମଚାରୀଙ୍କ ସପକ୍ଷରେ ବାହାରିଛି ପ୍ରଦେଶ ଛାତ୍ର କଂଗ୍ରେସ । ହସ୍ପିଟାଲର ହାଉସକିପିଂ ଷ୍ଟାଫଙ୍କୁ ଏହି ଅଣଓଡ଼ିଆ କମ୍ପାନୀ “କୁଏସ୍‌” ହଇରାଣ ହରକତ କରୁଥିବା ବେଳେ ହସ୍ପିଟାଲ କର୍ତୃପକ୍ଷ ସଂପୃକ୍ତ କମ୍ପାନୀର ପକ୍ଷ ନେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ।

ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ ଏବଂ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀ ପ୍ରକାଶ ମିଶ୍ର କ୍ୟାପିଟାଲ ହସ୍ପିଟାଲ ପ୍ରାଙ୍ଗଣରେ ଆନ୍ଦୋଳନରତ ହାଉସକିପିଂ ଷ୍ଟାଫଙ୍କୁ ଭେଟି ତାଙ୍କର ଦାବି ସଂପର୍କରେ ଅବଗତ ହୋଇଥିଲେ । ଅଣଓଡ଼ିଆ କମ୍ପାନୀ “କୁଏସ୍‌” କ୍ୟାପିଟାଲ ହସପିଟାଲର ହାଉସକିପିଂ ଏବଂ ଅନ୍ୟାନ୍ୟ ଆଉଟସୋର୍ସିଂ କାର୍ଯ୍ୟ ହାତକୁ ନେଲାପରେ ସେଠାରେ ଆମର କାର୍ଯ୍ୟରତ ଷ୍ଟାଫମାନଙ୍କୁ ଦୁବ୍ୟବହାର କରିବା ସହ ବିଭିନ୍ନ ଅସୁବିଧାରେ ପକାଉଛନ୍ତି ।

ହାଉସ୍‌କିପିଙ୍ଗ ଷ୍ଟାଫମାନେ ଅଭିଯୋଗ କରିଥିଲେ ଯେ ନୂଆ କମ୍ପାନୀ “କୁଏସ” ପୂର୍ବ କମ୍ପାନୀ ଠାରୁ ଦୈନିକ ୫୦ଟଙ୍କା କମ ମଜୁରୀ ଦେବ ବୋଲି ଘୋଷଣା କରିଛି । ଏଠାରେ ୨୪୪ ଜଣ ହାଉସକିପିଂ ଷ୍ଟାଫ କାମ କରୁଛନ୍ତି ଏବଂ ଏମାନଙ୍କର ୧୮ଜଣ ସୁପରଭାଇଜର ଅଛନ୍ତି । ଏବେ ନୂଆ କମ୍ପାନୀ “କୁଏସ” ମାତ୍ର ୧୦୦ ଜଣଙ୍କୁ ନିଯୁକ୍ତି ଦେବ ବୋଲି ଘୋଷଣା କରିଛି । ହେଲେ ଏଠାରେ ୧୦ ବର୍ଷଧରି କାମକରୁଥିବା ବାକି ଲୋକ କ’ଣ କରିବେ? ଆଲୋଚନା ସମୟରେ କ୍ୟାପିଟାଲ ହସ୍ପିଟାଲର ଡାଇରେକ୍ଟରଙ୍କ ଉପସ୍ଥିତିରେ ନୂଆ କମ୍ପାନୀ ୨୪୪ ଜଣ ଷ୍ଟାଫଙ୍କୁ ରଖିବେବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଅନ୍ୟପକ୍ଷରେ ଷଡ଼ଯନ୍ତ୍ର କରି ନୂଆ ଷ୍ଟାଫ ରଖିବାପାଇଁ କମ୍ପାନୀ ପକ୍ଷରୁ ବିଜ୍ଞାପନ ଜାରି କରାଯାଇଛି । ପୂରୁଣା କମ୍ପାନୀ ୫ ହଜାର ଟଙ୍କା ବୋନସ ଦେଉଥିବା ବେଳେ ନୂଆ କମ୍ପାନୀ ଏହାକୁ ଦେବାକୁ ରାଜି ନୁହନ୍ତି । ଆଡଭାନ୍ସ ଦେବାପାଇଁ ମଧ୍ୟ ମନା କରିଦେଇଛନ୍ତି । ଶ୍ରମ ଆଇନକୁ ଉଲ୍ଲଙ୍ଘନ କରି ୮ ଘଂଟା ବଦଳରେ ୧୨ ଘଂଟା ଡ୍ୟୁଟି କରିବାକୁ ବାଧ୍ୟ କରାଯାଉଛି । ଯଦି କେହି ଆନ୍ଦୋଳନ ବା ପ୍ରତିବାଦ କରନ୍ତି ତେବେ ବାହାରେ ଫୋପାଡ଼ି ଦେବେବୋଲି ନୂଆ କମ୍ପାନୀର କତୃପକ୍ଷ କହିଛନ୍ତି ।

ଶ୍ରମ ନିୟମ ଅନୁଯାୟୀ ସୁଇପର ଅଣ କୁଶଳୀ ଏବଂ ହାଉସକିପିଂ ଅର୍ଦ୍ଧକୁଶଳୀ କିନ୍ତୁ ନୂଆ କାମ ପାଇଥିବା କମ୍ପାନୀ ହାଉସ କିପର ମାନଙ୍କୁ ଅଣକୁଶଳୀ ହିସାବରେ ଆର୍ଥିକ ବିଡରେ ପକେଇଛି । ନିୟମତଃ ଭାବେ କାମ ପାଇଥିବା ନୂଆ କମ୍ପାନୀ ଭୁଲ ଆର୍ଥିକ ବିଡ଼ ପାଇଁ କଟିଯିବା କଥା । ବର୍ତମାନ ମଧ୍ୟ ଆମେ ସମସ୍ତ ହାଉସ କିପରମାନେ ଅର୍ଦ୍ଧକୁଶଳୀ ହିସାବରେ ଦରମା, ଇପିଏଫ ଏବଂ ଇ.ଏସ.ଆଇ.ସି. ପାଉଛୁ । ନୂଆ କମ୍ପାନୀ ଅର୍ଦ୍ଧକୁଶଳୀ ଭାବେ ଦରମା ଦେବ ତ?

ନୂତନ କମ୍ପାନୀ ଜାଣି ନାହିଁ ସୁଇପର ଅଣକୁଶଳୀ ଏବଂ ହାଉସ କିପରି ଅର୍ଦ୍ଧକୁଶଳୀ ବର୍ଗରେ ଯାଆନ୍ତି ବୋଲି । ଏହା ନୂତନ କମ୍ପାନୀର ଯୋଗ୍ୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କାମ ପାଇଥିବା ନୂଆ କମ୍ପାନୀ ୨୦.୧୧.୨୦୨୨ ରେ କାମ ଆରମ୍ଭ କରିବା କଥା ହେଲେ ଏ ପର୍ଯ୍ୟନ୍ତ କାମ ଆରମ୍ଭ କରିନାହିଁ । ସରକାରୀ ନିୟମ ହିସାବରେ କାମ ପାଇ କାମ ଆରମ୍ଭ ନ କଲେ ସେହି କମ୍ପାନୀକୁ ବ୍ଲାକ ଲିଷ୍ଟ କରାଯିବା କଥା, ହେଲେ ଏବେ ପର୍ଯ୍ୟନ୍ତ ବି ସେହି କମ୍ପାନୀକୁ ବ୍ଲାକ ଲିଷ୍ଟ କରାଯାଇନାହିଁ ।

ଆର୍ଥିକ ବିଡ଼ରେ ଭୁଲ ପକାଇବା ପରେ ମଧ୍ୟ ଓବିସିସି କାମ ଦଉଛି । ନୂତନ ସଂସ୍ଥା ବେଆଇନ ଭାବେ କାମ ନେଉଛି । ପ୍ରିବିଡ଼ ମିଟିଙ୍ଗରେ ଆଲୋଚନା କରି ଅର୍ଦ୍ଧକୁଶଳୀ ଏବଂ ଅଣକୁଶଳୀ ମଧ୍ୟର ପାର୍ଥକ୍ୟ ଜାଣି ଟେଣ୍ଡରରେ ଭାଗ ନେବା କଥା । କିନ୍ତୁ ନୂଆ ସଂସ୍ଥା ରେଟ ଭୁଲ ପକେଇ ଦର ସଂଶୋଧନ ପାଇଁ ଓବିସିସି ନିକଟରେ ଏକ ଚିଠି ମାଧ୍ୟମରେ ନିବେଦନ କରୁଛି । ଏହା କେତେ ଦୂର ଯୁକ୍ତିଯୁକ୍ତ? ଏହା ଯୋଗୁଁ ଓବିସିସିର ସ୍ୱଚ୍ଛ ପ୍ରତିଛବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଅଭିଯୋଗ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କର ବାହାର କମ୍ପାନୀ ପ୍ରତି ବଢ଼ିଯାଇଛି । ଆମ ଓଡ଼ିଆ ‘ପ୍ରତ୍ୟେୁଷୁ’ କୁ ଉପେକ୍ଷା କରି କେଉଁ ନ୍ୟାୟରେ ‘କୁଏସ୍‌’ କମ୍ପାନୀକୁ କ୍ୟାପିଟାଲ ଡାକ୍ତରଖାନାର ହାଉସ୍‌କିପିଙ୍ଗ ଦାୟିତ୍ୱ ଦିଆଗଲା । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଓଡ଼ିଆ କମ୍ପାନୀଙ୍କ ଠାରୁ ରୋଜଗାର ଛଡ଼େଇ ଅଣଓଡ଼ିଆ କମ୍ପାନୀକୁ ଓଡ଼ିଶାରେ ପ୍ରାଧାନ୍ୟ ଦିଆଯିବାକୁ ସହ୍ୟ କରାଯିବ ନାହିଁ । ଅନ୍ୟପକ୍ଷରେ କ୍ୟାପିଟାଏ ଡାକ୍ତରଖାନାର ହାଉସ୍‌କିପିଙ୍ଗ ଷ୍ଟାପଙ୍କର ଦାବିକୁ ପୂର୍ଣ୍ଣ ସମର୍ଥନ ଛାତ୍ର କଂଗ୍ରେସ ପକ୍ଷରୁ କରାଯାଉଛି । ସେମାନଙ୍କ ଦାବି ପୂରଣ ନ ହେଲେ ଏବଂ ସେମାନଙ୍କୁ ଯଦି ହଇରାଣ ହରକତ୍ କରାଯାଏ ତେବେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଚେତାବନୀ ଦେଇଛନ୍ତି ।