Home General ଘର ନକରି ବେପାର

ଘର ନକରି ବେପାର

ଭୁବନେଶ୍ୱର : ରାଜଧାନୀରେ ଘରଖଣ୍ଡିଏ କରିବାପାଇଁ ସରକାରଙ୍କ ଠାରୁ ଅଳ୍ପ ଦରରେ ଜମି ଖଣ୍ଡିଏ ନେଇଥିବା ଲୋକେ ସେଠାରେ ଘର କରୁନାହାନ୍ତି । ତାହାକୁ ପକାଇ ରଖି ଦର ବଢାଉଛନ୍ତି ନହେଲେ ବିଲ୍ଡରଙ୍କ ହାତରେ ଟେକି ଦେଉଛନ୍ତି । ସହର ସାରା ଏବେ ଏଭଳି ମାଳ ମାଳ ଜମି ପଡି ରହିଥିଲେ ମଧ୍ୟ ସାଧାରଣ ପ୍ରଶାସନ, ବିଡିଏ କିମ୍ବା ସ୍ମାର୍ଟସିଟି କର୍ତ୍ତୃପକ୍ଷ କେହି ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ।

ସହରର ବିଭିନ୍ନ ୟୁନିଟ୍‍ରେ ଲୋକେ ସାଧାରଣ ପ୍ରଶାସନ ଠାରୁ ରିହାତି ଦରରେ ଜମି ନେଇଛନ୍ତି । ସରକାର ବିଭିନ୍ନ ଅଞ୍ଚଳରେ ଜମିର ସର୍ବଶେଷ ବେଞ୍ଚମାର୍କ ଧାର୍ଯ୍ୟ କରିବା ପୂର୍ବରୁ ଏହି ଜମି ପ୍ରଦାନ କରାଯାଇଛି । ଜମି ନେଇଥିବା ଲୋକଙ୍କୁ ମୂଳ ଉଦ୍ଦେଶ୍ୟ ହେଉଛି ସେଠାରେ ଘର ଖଣ୍ଡେ କରି ପରିବାର ସହ ରହିବା । ହେଲେ ବହୁ ଜମି ଏବେ ଅବ୍ୟବହୃତ ହୋଇ ସହର ସାରା ପଡି ରହିଛି । ଏଭଳି ଜମି ମଧ୍ୟରୁ ଅଧିକାଂଶରେ ଜଙ୍ଗଲ ଭଳି ସ୍ଥିତି ଉପୁଜିଛି । ଜମି ନେଇଥିବା ଲୋକଙ୍କ ମଧ୍ୟରୁ ଅନେକ ଆରପାରିକୁ ବି ଚାଲିଗଲେଣି । ସେମାନଙ୍କ ପିଲାମାନେ ବାହାରେ ରହୁଥିବାରୁ ଆଉ ଏଠାରେ ଘର କରୁନାହାନ୍ତି । କିଛି ଜମି ମାମଲାରେ ବି ଛନ୍ଦିହୋଇ ଗଲାଣି ।

ତେବେ ଆଉ କେତେକ ଜମିର ମାଲିକ ରାଜଧାନୀରେ ଏକାଧିକ ପ୍ଲଟ ରଖିଥିବାରୁ ସରକାରଙ୍କ ଠାରୁ ଶସ୍ତାରେ ନେଇଥିବା ଜମିକୁ ପକାଇ ରଖି ଦର କଷୁଛନ୍ତି । ଯେଉଁ ଜମିକୁ ସରକାରଙ୍କ ଠାରୁ ଲକ୍ଷେ ଦୁଇ ଲକ୍ଷରେ ନେଇଥିଲେ ତାହାକୁ ଏବେ କୋଟି ଦରରେ ମୂଲଚାଲ କରୁଛନ୍ତି । ଆଉ କେତେକ ଜମି ମାଲିକ ସେମାନଙ୍କ ଜମିକୁ ବିଲ୍ଡରଙ୍କ ହାତରେ ଟେକି ଦେବା ସହିତ ସେଠାରେ ୪/୫ଟି ଘର ମାଗଣାରେ ପାଇ ଭଡା ଲଗାଇ ମୋଟା ଅଙ୍କର ଆୟ କରୁଛନ୍ତି ।

ଦେଶର ବିଭିନ୍ନ ବଡ ବଡ ସହରରେ ସରକାରଙ୍କ ଠାରୁ ଜମି ନେବାର ପରେ ପରେ ସେଠାରେ ଘର କରି ରହିବା ବାଧ୍ୟତାମୂଳକ । ଏଥିପାଇଁ ବିଭିନ୍ନ ସହରାଞ୍ଚଳ ସଂସ୍ଥା ଭିନ୍ନ ଭିନ୍ନ ସମୟ ଧାର୍ଯ୍ୟ କରିଛନ୍ତି । ରାଜଧାନୀ ପାଇଁ ମଧ୍ୟ ୩ବର୍ଷିଆ କଣ୍ଟ ଦିଆଯାଇଛି । ହେଲେ ଏହାକୁ ଲୋକେ ମାନୁ ନାହାନ୍ତି ।

ସହର ମଝିରେ ଏକାଧିକ ପ୍ଲଟ ଏକ ପ୍ରକାର ଜଙ୍ଗଲ ପାଲଟି ଥିବାରୁ ତାହା ମଶାବଂଶ ବୃଦ୍ଧିରେ ବି ସହାୟକ ହେଉଛି । ଅବସ୍ଥା ଏଭଳି ହେଲାଣି ଯେ ଅସଲ ପ୍ଲଟ ମାଲିକଙ୍କ ଦେଖାଦର୍ଶନ ନଥିବାରୁ ପଡିଶାରେ ରହୁଥିବା ଲୋକେ ମଶା ଦାଉରୁ ବଞ୍ଚିବାପାଇଁ ହାତରୁ ଅର୍ଥ ଶ୍ରାଦ୍ଧ କରି ବଣ ବୁଦା ସଫା କରୁଛନ୍ତି । ବିଏମ୍‍ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି ।

ତେବେ ସବୁଠାରୁ ଗୁରୁତର ସମସ୍ୟା ସୃଷ୍ଟି ହେଉଛି ଯେଉଁଠାରେ ପଡିରହିଥିବା ଏହି ଛୋଟ ଛୋଟ ପ୍ଲଟଗୁଡିକ ବିଲ୍ଡରଙ୍କ ହାତକୁ ଚାଲିଯାଉଛି । ସେଠାରେ ସେମାନେ ରାତାରାତି ଆପାର୍ଟମେଣ୍ଟ ନିର୍ମାଣ କରିବା ଫଳରେ ଆଖାପଖରେ ରାସ୍ତାଘାଟ ଗାଡିମୋଟରେ ଭିଡ ହେଉଛି । ଏପରିକି ଆପାର୍ଟମେଣ୍ଟରେ ରହୁଥିବା ଲୋକେ ରାସ୍ତାଉପରେ ଗାଡି ରଖି ଗହଳି କରୁଛନ୍ତି । ତେଣୁ ସହର ମଧ୍ୟରେ ପଡିଥିବା ଏହି ମୂଲ୍ୟବାନ ପ୍ଲଟଗୁଡିକ ପାଇଥିବା ଲୋକେ ଯେଭଳି ବ୍ୟବସାୟ ନକରି ଘର କରିବେ ସେଥିପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ନେବା ଆବଶ୍ୟକ । ବିଶେଷକରି ଦେଶର ଅନ୍ୟାନ୍ୟ ବଡ ବଡ ସହରଭଳି ପଡିଆ ପଡୁଥିବା ଏହି ଜମି ମାଲିକଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)