Home Excise ଅବକାରୀ ଅଧିକାରୀଙ୍କୁ ତାଲିମ

ଅବକାରୀ ଅଧିକାରୀଙ୍କୁ ତାଲିମ

ଭୁବନେଶ୍ୱର : ଅବକାରୀ ସବଇନ୍ସପେକ୍ଟରମାନଙ୍କ ଦକ୍ଷତା ବୃଦ୍ଧି ଲାଗି ବିଭାଗ ଇତିହାସରେ ପ୍ରଥମଥର ପାଇଁ ସେମାନଙ୍କୁ ଅବକାରୀ ଆଇନ୍‍, ଏଥିରେ ଥିବା ବିଭିନ୍ନ ଧାରା, ଏନ୍‍ଡିପିଏସ୍‍ ଆଇନ୍‍ ସହିତ ଅବକାରୀ ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯାଉଛି । ପ୍ରଥମ ଦଫାରେ ୪୮ ଜଣ ଅବକାରୀ ସବ୍‌-ଇନ୍ସପେକ୍ଟରଙ୍କୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି ।

ଅବକାରୀ ନିର୍ଦ୍ଦେଶାଳୟ ଠାରେ ରାଜ୍ୟ ଅବକାରୀ କମିଶନର ଶ୍ରୀ ନରସିଂହ ଭୋଳ ଏହି ତାଲିମ କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ଅବକାରୀ ଯୁଗ୍ମ କମିଶନର ଡକ୍ଟର ଦିବ୍ୟଲୋଚନ ମହନ୍ତ, ଯୁଗ୍ମ କମିଶନର ଶ୍ରୀ ରାମ ଚନ୍ଦ୍ର ମିଶ୍ର, ଉପ କମିଶନର (ତାଲିମ) ଶ୍ରୀ ରଜତ କୁମାର ପ୍ରହରାଜ, ଏକ୍ସାଇଜ୍‌, ଉପ କମିଶନର (ନୀତି) ଶ୍ରୀ ଦେବଦତ୍ତ ଧଳ, ଆକାଉଣ୍ଟସ୍ ଅଫିସର ଓ ପାଠ୍ୟକ୍ରମ ସଂଯୋଜକଙ୍କ ସମେତ ସମସ୍ତ ବିଶେଷଜ୍ଞ ମାନେ ଏହି ତାଲିମ ଅଧିବେଶନରେ ଯୋଗ ଦେଇଛନ୍ତି ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୮ ଜଣ ସବ୍‌-ଇନ୍ସପେକ୍ଟରଙ୍କୁ ଏହି ବ୍ୟାଚରେ ଓଡିଶା ଅବକାରୀ ଆଇନ୍‍, ନିୟମ, ଏନଡିପିଏସ୍ ଆଇନ୍‍ ଏବଂ ଧାରା, ପ୍ରମୁଖ କାର୍ଯ୍ୟ, ବୈଷୟିକ ଅବକାରୀ ମାନୁଆଲ୍ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ କାର୍ଯ୍ୟକ୍ରମ ୩୦ଦିନ ପାଇଁ ଜାରି ରହିବ । ତାଲିମ ସମୟରେ, ସେମାନଙ୍କୁ ଆଇପିସି / ସିଆରପିସି / ଏନଡିପିଏସ୍ ଆଇନ୍‍ ଇତ୍ୟାଦି ସହିତ ଅବକାରୀ ଆଇନ୍ / ନିୟମ / ମାନୁଆଲ ସଂକ୍ରାନ୍ତରେ ତାଲିମ ଦିଆଯିବ ।

ଅବକାରୀ କମିଶନର ଶ୍ରୀ ଭୋଳ ତାଙ୍କ ଉଦଘାଟନୀ ବକ୍ତବ୍ୟରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଆଇନ / ନିୟମ / ପ୍ରକ୍ରିୟାର ଜଟିଳତା ବିଷୟରେ ଭଲଭାବେ ଅବଗତ ହେବାକୁ ପରାମର୍ଶ ଦେଇ କହିଛନ୍ତି ଯେ \”ଜ୍ଞାନ ହେଉଛି ଶକ୍ତି\’ । ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ଉପସ୍ଥାପିତ କେସ୍‌-ଷ୍ଟଡିରୁ ସେମାନଙ୍କୁ ଶିଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା; ବିଶେଷକରି ଅନୁସନ୍ଧାନ ସମୟରେ ନାର୍କୋଟିକ୍ସ ଆଇନ୍ ଯେପରିକି ଏନ୍‍ଡିପିଏସ୍‍ ଆକ୍ଟ, ପିଆଇଟି ଏନ୍‍ଡିପିଏସ୍‍ ଆକ୍ଟ ଇତ୍ୟାଦି ଅନୁସରଣ କରାଯିବାକୁ ଥିବା ପଦ୍ଧତିର ପ୍ରକ୍ରିୟାଗୁଡ଼ିକୁ ଶିଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା; ଯାହା ସେମାନଙ୍କର ଗୁଣାତ୍ମକ ଅନୁସନ୍ଧାନରେ ସହାୟତା କରିବା ସହିତ ଦୋଷୀକୁ ଦଣ୍ଡ ଦେବାକୁ ସହାୟକ ହେବ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଅବକାରୀ ବିଭାଗର ଇତିହାସରେ ପ୍ରଥମ ଥର ପାଇଁ ବହୁ ସଂଖ୍ୟକ ସବ୍‌-ଇନ୍ସପେକ୍ଟରଙ୍କୁ ତାଲିମ ଦେବା ପାଇଁ ଇନ୍‌-ହାଉସ୍ ତାଲିମ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହା ସେମାନଙ୍କର ଅନୁସନ୍ଧାନକାରୀ ଜ୍ଞାନ ଏବଂ କୌଶଳକୁ ବଢାଇବା ସହିତ ଅବକାରୀ ଆଇନ ଏବଂ ଆଣ୍ଟି-ନାର୍କୋଟିକ୍ସ ଆଇନର ଉତ୍ତମ କାର୍ଯ୍ୟକାରିତା ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି । ଉପ କମିଶନର ଶ୍ରୀ ରାମ ଚନ୍ଦ୍ର ମିଶ୍ର ଅଧିବେଶନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।