ଭୁବନେଶ୍ୱର : ରାଜ୍ୟରେ ଏବେ ପାର୍ବଣଋତୁ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ଫଳର ଦର ଆକାଶଛୁଆଁ ହୋଇଛି । ବିଶେଷକରି ସମସ୍ତ ପ୍ରକାର ପୂଜାରେ ବ୍ୟବହାର ହେଉଥିବା ପାଚିଲା କଦଳୀ ପାଇଁ ଓଡିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଫଳରେ କଦଳୀ ଡଜ୍ନ ଏବେ ଓଡିଶା ବଜାରରେ ୬୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି ।
କଦଳୀ ପାଇଁ ଓଡିଶା ମୁଖ୍ୟତଃ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛି । କାରଣ ଓଡିଶାରେ କଦଳୀ ଚାଷ ସେତେଟା ଉତ୍ସାହଜନକ ନୁହେଁ । ୨୦୧୬-୧୭ ମସିହାରେ ଓଡିଶାରେ ୨୪ହଜାର ହେକ୍ଟର ଜମିରେ କଦଳୀ ଚାଷ ହୋଇ ୪ଲକ୍ଷ ୬୬ ହଜାର ଟନ୍ କଦଳୀ ଉତ୍ପାଦନ ହେଉଥିବାବେଳେ ବର୍ତ୍ତମାନ ସୁଦ୍ଧା ତାହା ୧୦ଲକ୍ଷ ଟନ୍ରେ ପହଞ୍ଚି ପାରିନାହିଁ । ସେହିଭଳି କଦଳୀ ଚାଷର ପରିମାଣ ବଢିବା ପରିବର୍ତ୍ତେ ଏବେ କମିବାରେ ଲାଗିଛି । କାରଣ ୨୦୨୧-୨୨ ବର୍ଷରେ ଓଡିଶାରେ ୨୩ହଜାର ହେକ୍ଟରରୁ ସାମାନ୍ୟ ଅଧିକ ଅଞ୍ଚଳରେ କଦଳୀ ଚାଷ ହୋଇଥିବା ଜଣାଯାଇଛି ।
ଅନ୍ୟ ପକ୍ଷରେ ପଡୋଶୀ ଆନ୍ଧ୍ରରେ ୨୦୧୬-୧୭ ବର୍ଷରେ ୮୮ହଜାର ହେକ୍ଟର ଜମିରେ କଦଳୀ ଚାଷ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ତାହା ଏକ ଲକ୍ଷ ହେକ୍ଟରକୁ ଅତିକ୍ରମ କରିଯାଇଛି । ଆନ୍ଧ୍ରରେ ଅଧିକରୁ ଅଧିକ କଦଳୀ ଚାଷ ହେବା ସହିତ ଓଡିଶା ଭଳି ରାଜ୍ୟକୁ ଅଧିକରୁ ଅଧିକ ପରିମାଣରେ କଦଳୀ ରପ୍ତାନି କରୁଛନ୍ତି । ସେହିଭଳି କେରଳରେ ସର୍ବାଧିକ ଏକ ଲକ୍ଷ ୧୨ହଜାର ହେକ୍ଟର ଜମିରେ କଦଳୀ ଚାଷ ହେଉଛି ।
ତେବେ କଦଳୀ ଫଳାଇବା କ୍ଷେତ୍ରରେ ଓଡିଶା ବିହାର, ମଧ୍ୟପ୍ରଦେଶ, ଛତିଶଗଡ, ଭଳି ରାଜ୍ୟ ଠାରୁ ଢେର ପଛରେ ପଡିଛି । ରାଜ୍ୟରେ ସମସ୍ତ ପ୍ରକାର ଅନୁକୂଳ ପାଣିପାଗ ଓ ସରକାରୀ ପ୍ରୋତ୍ସାହନ ସତ୍ୱେ ଚାଷୀମାନେ କଦଳୀ ଚାଷ ପାଇଁ ଆଗ୍ରହୀ ହେଉନାହାନ୍ତି । ଫଳରେ ରାଜ୍ୟର ଆବଶ୍ୟକତା ମେଣ୍ଟାଇବାପାଇଁ ବ୍ୟବସାୟୀମାନେ ଦୈନିକ ଟ୍ରକ ଟ୍ରକ କଦଳୀ ଆନ୍ଧ୍ରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଆମଦାନୀ କରୁଛନ୍ତି ।
ବ୍ୟବସାୟୀଙ୍କ କହିବାକଥା ଯେ ତୈଳ ଦର ବୃଦ୍ଧି ପରେ ଏବେ କଦଳୀ ଦର ବଢିବାରେ ଲାଗିଛି । ଓଡିଶାରେ ଏହି କଦଳୀ ଉତ୍ପାଦନ ହେଉଥିଲେ ତାହା ଡଜନ୍ ପ୍ରତି ୨୫ ରୁ ୪୦ ଟଙ୍କା ଭିତରେ ବିକ୍ରି ହୋଇଥାନ୍ତା । ହେଲେ ରାଜ୍ୟବାହାରୁ ଆସୁଥିବା କଦଳୀରେ ଗାଡିଭଡା ଯୋଡିହୋଇ ଯାଉଥିବାରୁ ତାହା ଶହେ ଟଙ୍କା ଛୁଇଁଲାଣି ।
କେବଳ କଦଳୀ ନୁହେଁ କାକୁଡି, ସେଓ, ଅଙ୍ଗୁର, ସପୁରୀ ଆଦିର ଦର ବି ଓଡିଶା ବଜାରରେ ଆକାଶଛୁଆଁ ରହିଛି । କାକୁଡି କିଲୋ ପାର୍ବଣ ସମୟରେ ୬୦ ଟଙ୍କା ଟପିଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଅନ୍ୟ ଫଳର ଦର ୧୫୦ରୁ ୩୦୦ ଟଙ୍କା ମଧ୍ୟରେ ରହୁଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)