ଭୁବନେଶ୍ୱର : ରାଜ୍ୟର ୩୦ଟି ଜିଲ୍ଲାରୁ ଦୈନିକ ୩୦୬୩.୫୬୨ ମେଟ୍ରିକ ଟନ୍ କଠିନ ବର୍ଜ୍ୟବସ୍ତୁ ବାହାରୁଛି । ଏଥିରେ ଖୋରଧା ଓ ଗଞ୍ଜାମର ଅବଦାନ ସର୍ବାଧିକ ଥିବାବେଳେ ବୌଦ, ମାଲକାନଗରି, ନୂଆପଡାରୁ କମ୍ ପରିମାଣର ବର୍ଜ୍ୟ ବାହାରୁଥିବା ଜଣାଯାଇଛି । ତେବେ ମୁଣ୍ଡପିଛା ବର୍ଜ୍ୟ ବାହାରିବାରେ ଖୋର୍ଦ୍ଧା ଓ ସମ୍ବଲପୁର ସବୁଠାରୁ ଆଗରେ ଅଛନ୍ତି ।
ରାଜ୍ୟ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରସ୍ତୁତ ସର୍ବଶେଷ ରିପୋର୍ଟରୁ ଜଣାଯାଇଛି ଯେ ରାଜ୍ୟର ୨୮ଟି ଜିଲ୍ଲାରେ ବର୍ଜ୍ୟବସ୍ତୁକୁ ପୃଥିକୀକରଣ କରାଯାଉଛି । ତେବେ ବୌଦ୍ଧ ଜିଲ୍ଲାରେ ବର୍ଜ୍ୟ ପୃଥିକୀକରଣ ହେଉନଥିବାବେଳେ ଢେଙ୍କାନାଳ ଜିଲ୍ଲାର ତଥ୍ୟ ଉପଲବ୍ଧ ନାହିଁ । ଖୋର୍ଦ୍ଧା, ନୟାଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଶତ ପ୍ରତିଶତ ବର୍ଜ୍ୟବସ୍ତୁ ପୃଥକୀକରଣ ହେଉଥିବାବେଳେ ୪ଟି ଜିଲ୍ଲା ଯଥା ଯାଜପୁର, ଖୋର୍ଦ୍ଧା, ନୟାଗଡ ଏବଂ ସୁବର୍ଣ୍ଣପୁରରେ ବିପଦଜନକ ବର୍ଜ୍ୟକୁ ପୃଥିକୀକରଣ କରାଯାଉଛି ।
ଅନୁରୂପ ଭାବେ ଭଦ୍ରକ, କଟକ, ଯାଜପୁର ସୁବର୍ଣ୍ଣପୁର ଜିଲ୍ଲାରେ ୮୦ ପ୍ରତିଶତରୁ ଅଧିକ ବର୍ଜ୍ୟର ପୃଥକୀକରଣ ହେଉଛି । ବଲାଙ୍ଗିର, ବରଗଡ, ଦେବଗଡ, ଗଜପତି, ଗଞ୍ଜାମ, ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଏବଂ ସୁନ୍ଦରଗଡରେ ୫୦ ରୁ ୮୦ ପ୍ରତିଶତ ବର୍ଜ୍ୟ ପୃଥକୀକରଣ ହେଉଛି । ତେବେ ଅନୁଗୁଳ, ବାଲେଶ୍ୱର, ବୌଦ, ଢେଙ୍କାନାଳ, ଝାରସୁଗୁଡା, କନ୍ଧମାଳ, ମୟୁରଭଞ୍ଜ, ନୂଆପଡା, ପୁରୀ ଏବଂ ସମ୍ବଲପୁର ଜିଲ୍ଲାରୁ ବର୍ଜ୍ୟ ପୃଥକୀକରଣର ତଥ୍ୟ ଉପଲବ୍ଧ ହେଉନାହିଁ ।
ଗଜପତି ଜିଲ୍ଲା ହେଉଛି ଏକମାତ୍ର ଜିଲ୍ଲା ଯେଉଁଠାରେ ସଫେଇକାର୍ଯ୍ୟ ଲୋକଙ୍କ ହାତରେ ହୁଏ ନାହିଁ । ବଲାଙ୍ଗିର, ଭଦ୍ରକ, କଟକ, ଖୋର୍ଦ୍ଧା, ସମ୍ବଲପୁର, ପୁରୀ ଏବଂ ନୟାଗଡ ଜିଲ୍ଲାରେ ରାସ୍ତା ସଫେଇ କାର୍ଯ୍ୟ ମେସିନ ଦ୍ୱାରା କରାଯାଉଛି ।
ସୂଚନା ଅନୁଯାୟୀ ରାଜ୍ୟର ୧୪ଟି ଜିଲ୍ଲାରେ ବର୍ଜ୍ୟ ଜମା କେନ୍ଦ୍ର ଥିବାବେଳେ ୧୫ଟି ଜିଲ୍ଲାରେ ଏହା ନାହିଁ । ସମ୍ବଲପୁର ଜିଲ୍ଲାରୁ ଏ ସଂକ୍ରାନ୍ତୀୟ ତଥ୍ୟ ଉପଲବ୍ଧ ନୁହେଁ । ଜିଲ୍ଲାଗୁଡିକ ପାଇଁ ଅତି କମ୍ରେ ୮୮ଟି ବର୍ଜ୍ୟ ଜମା କେନ୍ଦ୍ର ଆବଶ୍ୟକ । ରାଜ୍ୟର ମୋଟ୍ ଜିଲ୍ଲା ମଧ୍ୟରୁ ୪୭ ପ୍ରତିଶତରୁ ୧୦୦% ବର୍ଜ୍ୟ ସଂଗ୍ରହ ହେଉଛି । ଏହିସବୁ ଜିଲ୍ଲା ମଧ୍ୟରେ ରହିଛି ଅନୁଗୁଳ, ବାଲେଶ୍ୱର, ବୌଦ୍ଧ, ଗଜପତି, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ନୂଆପଡା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ ।
ବର୍ଜ୍ୟ ପରିଚାଳନା ରିପୋର୍ଟ ଅନୁଯାୟୀ ୧୯ ଜିଲ୍ଲାର ପୌରାଞ୍ଚଳରେ ଶତ ପ୍ରତିଶ୍ରତ ବର୍ଜ୍ୟ ସଂଗ୍ରହ ହେଉଛି । ଛଅଟି ଜିଲ୍ଲା ଯଥା ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି ଏବଂ ମଞ୍ଜୁରଭଞ୍ଜରେ ଘରକୁ ଘର ବୁଲି ବର୍ଜ୍ୟ ସଂଗ୍ରହର ତଥ୍ୟ ଉପଲବ୍ଧ ନାହିଁ । ନବରଙ୍ଗପୁର ଜିଲ୍ଲାରେ ଘରକୁ ଘର ବୁଲି ମାତ୍ର ୫୦ ପ୍ରତିଶତ ବର୍ଜ୍ୟ ସଂଗ୍ରହ ହେଉଥିବାବେଳେ ଗଞ୍ଜାମରେ ୬୦ ପ୍ରତିଶତ ସଂଗ୍ରହ ହେଉଛି । ବଲାଙ୍ଗିରରେ ଏହା ୭୦ ପ୍ରତିଶତ ଥିବାବେଳେ କୋରାପୁଟ, ରାୟଗଡାରେ ଏହା ଯଥାକ୍ରମେ ୭୫ ଓ ୮୦ପ୍ରତିଶତ ରହିଛି । (ତଥ୍ୟ)