Home Finance ସିଏସ୍‍ପି ପ୍ଳସ ତାଲିକାକୁ ନେଇ ଦ୍ୱନ୍ଦ

ସିଏସ୍‍ପି ପ୍ଳସ ତାଲିକାକୁ ନେଇ ଦ୍ୱନ୍ଦ

ଭୁବନେଶ୍ୱର : ରାଜ୍ୟ ସରକାର ବ୍ୟାଙ୍କ୍‍ ସେବା ନଥିବା ପଞ୍ଚାୟତଗୁଡିକରେ ପର୍ଯ୍ୟାୟକ୍ରମେ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଜରିଆରେ ‘ସିଏସ୍‍ପି ପ୍ଲସ’ ଖୋଲିବାପାଇଁ ଯୋଜନା କରିବା ସହିତ ଏଥିପାଇଁ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ତେବେ ବ୍ୟାଙ୍କ୍‍ ସେବା ନଥିବା ଏହି ପଞ୍ଚାୟତ ତାଲିକାକୁ ନେଇ ଦ୍ୱନ୍ଦ ଉପୁଜିଛି । କାରଣ ରାଷ୍ଟ୍ରାୟତ ବ୍ୟାଙ୍କ୍‍ର ‘ସିଏସ୍‍ପି’ ଥିବା ପଞ୍ଚାୟତଗୁଡିକ ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ବ୍ୟାଙ୍କ୍‍ ଶାଖା ନଥିବା ପଞ୍ଚାୟତରେ ଲୋକେ ଯେଭଳି ହାତ ପାଆନ୍ତାରେ ବ୍ୟାଙ୍କ୍‍ ସେବା ପାଇବେ ସେଥିପାଇଁ ରାଜ୍ୟ ସରକାର ସେହିସବୁ ପଞ୍ଚାୟତରେ ‘ସିଏସ୍‍ପି ପ୍ଲସ’ ଖୋଲିବାକୁ ଯୋଜନା କରିଛନ୍ତି । ଏଥିପାଇଁ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଯଥା ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍, ପଞ୍ଜାବ ନେସନାଲ ବ୍ୟାଙ୍କ୍‍, ୟୁକୋ ବ୍ୟାଙ୍କ୍‍, ୟୁନିୟନ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ବ୍ୟାଙ୍କ୍‍ ଅଫ୍‍ ବରୋଦା ଓ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ତାଲିକାଭୁକ୍ତ ହୋଇଛନ୍ତି । ଏହିସବୁ ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ପର୍ଯ୍ୟାୟକ୍ରମେ ୪୩୭୩ ପଞ୍ଚାୟତରେ ସିଏସ୍‍ପି ପ୍ଲସ ଖୋଲିବାକୁ ଥିବାବେଳେ ରାଜ୍ୟ ସରକାର ସହାୟତା ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ।

ନିକଟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ୫୦୦ କୋଟି ଟଙ୍କାକୁ ମଞ୍ଜୁରୀ ଦେଇଥିବାବେଳେ ଏହି ଅର୍ଥରେ ସିଏସ୍‍ପି ପ୍ଲସ ଖୋଲିବାକୁ ଥିବା ହିତାଧିକାରୀଙ୍କୁ ମାଗଣାରେ ଘର, ତିନିବର୍ଷ ପାଇଁ ଚଳନ୍ତି ଖର୍ଚ୍ଚ ଓ ଏକାକାଳୀନ ଜମା ଯୋଗାଣ ପାଇଁ ସ୍ଥିର ହୋଇଛି ।

ତେବେ ତାଲିକା ପ୍ରଦାନରେ ତ୍ରୁଟି ଯୋଗୁଁ ଯେଉଁଠାରେ ଭାରତୀୟ ଷ୍ଟେଟ୍‍ବ୍ୟାଙ୍କ୍‍ର ‘ସିଏସ୍‍ପି’ ଦୀର୍ଘଦିନ ହେଲା କାର୍ଯ୍ୟ କରୁଛି ସେଠାରେ ଏବେ ୟୁକୋ ବ୍ୟାଙ୍କ୍‍ର ‘ସିଏସ୍‍ପି ପ୍ଲସ୍‍’ ଖୋଲିବାପାଇଁ ସ୍ଥିର ହୋଇଛି । ଏଭଳି ଅବସ୍ଥା ଦେଖା ଦେଇଛି ଜଗତ୍‍ସିଂହପୁର ଜିଲ୍ଲାରେ । ଏହି ଜିଲ୍ଲାରେ ୧୦୧ଟି ପଞ୍ଚାୟତରେ ‘ସିଏସ୍‍ପି ପ୍ଲସ’ ଖୋଲିବାପାଇଁ ତାଲିକାଭୁକ୍ତ ହୋଇଥିବାବେଳେ ଜିଲ୍ଲାରେ ଦୀର୍ଘଦିନ ହେଲା ଏସ୍‍ବିଆଇର ପ୍ରାୟ ୧୨୦ ସିଏସ୍‍ପି ସୁରୁଖୁରୁରେ କାର୍ଯ୍ୟ କରୁଛି ।

ଯେଉଁସବୁ ପଞ୍ଚାୟତରେ ଏସ୍‍ବିଆଇର ‘ସିଏସ୍‍ପି’ ରହିଛି ତାହାକୁ ବ୍ୟାଙ୍କସେବା ରହିତା ତାଲିକାରେ ଦର୍ଶାଯାଇ ସେଠାରେ ୟୁକୋ ବ୍ୟାଙ୍କ୍‍ର ‘ସିଏସ୍‍ପି ପ୍ଲସ’ ଖୋଲିବାପାଇଁ ସ୍ଥିର ହୋଇଛି । ଏହାକୁ ନେଇ ଏବେ ଜିଲ୍ଲାରେ ଅସନ୍ତୋଷ ବ୍ୟାପିବା ସହିତ ସଏସ୍‍ପି ପରିଚାଳକମାନେ ଏକାଠି ହୋଇ ଜିଲ୍ଲା ସଦର ମହକୁମାରେ ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି ।

ଏସ୍‍ବିଆଇର ସିଏସ୍‍ପି ପରିଚାଳକମାନେ କହିଛନ୍ତି ଯେ ସେମାନେ ନିଜ ହାତରୁ ଘରଭଡା ଦେବା ସହିତ କମ୍ପ୍ୟୁଟର, ପ୍ରିଣ୍ଟର, ପାଶ୍‍ବୁକ୍‍ ପ୍ରିଣ୍ଟର, ଫିଙ୍ଗର ପ୍ରିଙ୍ଗ୍‍ ଯନ୍ତ୍ର ଆଦି ବହୁ ସାଜ ସରଞ୍ଜାମ ଖରିଦ କରିଛନ୍ତି । ବର୍ତ୍ତମାନ ସରକାରୀ ସହାୟତାରେ ସେମାନଙ୍କ ସିଏସ୍‍ପି ନିକଟରେ ଆଉ ଗୋଟିଏ ସିଏସ୍‍ପି ପ୍ଲସ ଖୋଲିଲେ ସେମାନଙ୍କ ବ୍ୟବସାୟ ପ୍ରଭାବିତ ହେବା ନିଶ୍ଚିତ । ତେଣୁ ଯଦି ସରକାର ସହାୟତା ଯୋଗାଉଛନ୍ତି ତେବେ କାର୍ଯ୍ୟରତ ସିଏସ୍‍ପିମାନଙ୍କୁ ଅଗ୍ରାଧିକାର ଦିଅନ୍ତୁ । ଯାହା ଫଳରେ ବ୍ୟାଙ୍କିଙ୍ଗ୍‍ ସେବା ଆହୁରି ପରିବ୍ୟାପ୍ତ ହୋଇପାରିବ ।

କେବଳ ଏହି ଗୋଟିଏ ଜିଲ୍ଲା ନୁହେଁ ଦୀର୍ଘଦିନରୁ ଏସ୍‍ବିଆଇ ସମେତ ଆଉ କେତେକ ରାଷ୍ଟ୍ରାୟତ ବ୍ୟାଙ୍କ୍‍ ଫ୍ରାଞ୍ଚାଇଜ୍‍ ଜରିଆରେ ବିଭିନ୍ନ ପଞ୍ଚାୟତରେ ‘ସିଏସ୍‍ପି’ ମାଧ୍ୟମରେ ବ୍ୟାଙ୍କିଙ୍ଗ୍‍ ସେବା ଯୋଗାଉଛନ୍ତି । ତେବେ ବ୍ୟାଙ୍କ୍‍ ସେବା ନଥିବା ପଞ୍ଚାୟତ ତାଲିକା ପ୍ରସ୍ତୁତ ସମୟରେ ଏଗୁଡିକୁ କିଭଳି ଅଣଦେଖା କରାଗଲା ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । (ତଥ୍ୟ)