Home General ଓଟିଡିସିକୁ ୪୫ ଚାଲିଲା

ଓଟିଡିସିକୁ ୪୫ ଚାଲିଲା

ଭୁବନେଶ୍ୱର : ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) କୁ ୪୫ ଚାଲିଲା । ଏହାର ୪୪ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି ।

ଏହି ଅବସରରେ ଯୋଗଦେଇ ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି କହିଲେ ଯେ ଓଟିଡିସି ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ରାଜ୍ୟ ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ତୁଲାଇଛି । ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ସହ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ ରଖିବାରେ ସକ୍ଷମ ହୋଇଛି ।

ପର୍ଯ୍ୟଟନ କ୍ଷେତ୍ରରେ ସମଗ୍ର ଦେଶରେ ଅନ୍ୟରାଜ୍ୟ ପାଇଁ ଓଟିଡିସି ଉଦାହରଣ ସୃଷ୍ଟି କରିଥିବା ନେଇ ଡଃ ମହାନ୍ତି ଉଲ୍ଲେଖ କରିଥିଲେ । ବିଭିନ୍ନ ପର୍ବପର୍ବାଣୀରେ ପିଠା ବିକ୍ରୟ କରି ୧୬ ଲକ୍ଷ ଟଙ୍କା ଲାଭ କରିଥିବା ବେଳେ ମୋଟ ବ୍ୟବସାୟରେ ଓଟିଡିସି ଗତବର୍ଷ ୫ କୋଟି ଟଙ୍କା ଲାଭ କରିଥିବା ସେ ଉଲ୍ଲେଖ କରିଥିଲେ । ନିଗମର ସ୍ୱର୍ଣ୍ଣ ଜୟନ୍ତୀ ପାଳନ ବେଳେ ଏହି ଲାଭାଂଶ ବହୁଗଣିତ ହେବ ବୋଲି ସେ କହିଥିଲେ ।

ସେହିଭଳି ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ତଥା ଓଟିଡିସି ପରିଚାଳନା ନିର୍ଦ୍ଦେଶକ  ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ଯୋଗଦେଇ କହିଲେ ଯେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ଓଟିଡିସି ଗୁରୁ ଭୂମିକା ଗ୍ରହଣ କରିଛି । ପର୍ଯ୍ୟଟନ ଓ ଭ୍ରମଣ କ୍ଷେତ୍ରରେ ଥିବା ବ୍ୟାପକ ସୁଯୋଗକୁ ଆପଣେଇବାରେ  ଏହା ସଫଳହୋଇଛି ।

କରୋନା ମହାମାରୀ ସମୟରେ କାର୍ଯ୍ୟକରି ଓଡିଟିସି ଏହାର  ଦକ୍ଷତା ପ୍ରତିପାଦିତ କରିଥିବା ସେ କହିଥିଲେ । ଓଡିଶା ୱାକ୍ସ, ତାଳଦଣ୍ତା ଓ କଟକରେ ବୋଟ କ୍ଲବ ଖୋଲିବା ସହ ନୂତନ ଖାଦ୍ୟ ପ୍ରସ୍ତୁତିରେ ମଧ୍ୟ ଓଟିଡିସି ଆଗରେ ରହିଥିବା ଶ୍ରୀ ଯାଦବ କହିଥିଲେ ।

ଏହି ଅବସରରେ ଓଟିଡିସି ଜେନେରାଲ ମ୍ୟାନେଜର ଡଃ ଲଲାଟେନ୍ଦୁ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପର୍ଯ୍ୟଟନର ପ୍ରୋତ୍ସାହନ କ୍ଷେତ୍ରରେ ଓଟିଡିସିର ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ଓଟିଡିସି ପରିସରରେ ଚାରାରୋପଣ କରାଯିବା ସହ ଉନ୍ନତିକରଣ ହୋଇଥିବା ୧୨ଟି ଶଯ୍ୟାକୁ ଲୋକାର୍ପିତ କରାଯାଇଥିଲା । ପ୍ରାରମ୍ଭରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ସେହିଭଳି ନିଗମର ଉତ୍କର୍ଷତା କ୍ଷେତ୍ରରେ ପୁରୀ ଓ ଗୋପାଳପୁର ସ୍ଥିତ ପାନ୍ଥନିବାସ, ଭୁବନେଶ୍ୱରସ୍ଥିତ ନିମନ୍ତ୍ରଣ ରେସ୍ତରାଁ ସମେତ ଓଟିଡିସିର ବିଭିନ୍ନ ୟୁନିଟକୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ କର୍ମଚାରୀ ଶ୍ରୀମତୀ ବିଦୁ ନାୟକ, ଶ୍ରୀ କେଦାର ବାରିକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ପ୍ରତିଷ୍ଠା ଦିବସର ଉପହାର ପ୍ରଦାନ କରାଯାଇଥିଲା ।  ଏଥିସହ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଫୁଡ ବ୍ଲଗର ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଓଡିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତୀ ବେହେରା,ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀ ବାଳମୁକୁନ୍ଦ ଭୂୟାଁ, ଶ୍ରୀ ଅନନ୍ତ ନାରାୟଣସିଂ ଲାଗୁରୀ, ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ, ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିଲେ ।